ବ୍ରାହ୍ମଣୀରେ କଇଁଛ କରିଡର
କଇଁଛଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ସୁରକ୍ଷା ବଳୟ। ଢେଙ୍କାନାଳ ରାଙ୍କିଆ ଠାରୁ ବୁଢିବିଲି ପର୍ଯ୍ୟନ୍ତ ୮ କିଲୋମିଟର ନଦୀ କୂଳ କଇଁଛ କରିଡର। ଗ୍ରାମବାସୀଙ୍କ ସହଯୋଗରେ ଦିନରାତି ଚାଲିଛି ପାଟ୍ରୋଲିଂ। ଚଳିତ ବର୍ଷ ପ୍ରଥମ ଥର ଦେଖିବାକୁ ମିଳିଛି ବିରଳ ‘ଚିତ୍ରା’ ପ୍ରଜାତିର କଇଁଛ।
କାମାକ୍ଷାନଗର: ବିରଳ ପ୍ରଜାତିର କଇଁଛଙ୍କ ସୁରକ୍ଷା ପାଇଁ ବ୍ରାହ୍ମଣୀ ନଦୀରେ ତିଆରି ହୋଇଛି ସ୍ୱତନ୍ତ୍ର ସୁରକ୍ଷା ବଳୟ। ପ୍ରତିବର୍ଷ ଏଠାକୁ ମଧୁର ଜଳର କଇଁଛମାନେ ଅଣ୍ଡାଦାନ ପାଇଁ ଆସିଥାନ୍ତି। ଚଳିତ ବର୍ଷ ଢେଙ୍କାନାଳ ଜିଲ୍ଲାର ରାଙ୍କିଆ ଠାରୁ ବୁଢିବିଲି ପର୍ଯ୍ୟନ୍ତ ପ୍ରାୟ ୮ କିଲୋମିଟର ଅଞ୍ଚଳ ଏବେ ପାଲଟିଛି କଇଁଛଙ୍କ ସୁରକ୍ଷିତ ଆଶ୍ରୟସ୍ଥଳୀ। ଅଞ୍ଚଳର ୨୮୪ଟି ସ୍ଥାନରେ ରହିଛି କଇଁଛଙ୍କ ବସା। ଶହ ଶହ କଇଁଛ ଏଠାରେ ଅଣ୍ଡାଦାନ କରିଛନ୍ତି। ଏହି ଅଣ୍ଡା ଓ କଇଁଛଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ। ଅଣ୍ଡାଦାନ ସ୍ଥାନକୁ GPS ମାଧ୍ୟମରେ ଚିହ୍ନଟ କରାଯାଇ ନଜର ରଖାଯାଉଛି। ବାଲି ଉଠାଣ ଓ ନଦୀରେ ମାଛ ଧରା ଉପରେ ଲାଗିଛି କଟକଣା।
କେବଳ ବନ ବିଭାଗ ନୁହେଁ, କଇଁଛ ସୁରକ୍ଷାରେ ସାମିଲ ହୋଇଛନ୍ତି ସ୍ଥାନୀୟ ଲୋକେ ମଧ୍ୟ। ଢେଙ୍କାନାଳ ବନଖଣ୍ଡର ଷଡଙ୍ଗୀ ଓ ଭୁବନ ରେଞ୍ଜ ଅଧୀନ ଅଞ୍ଚଳରେ ପ୍ରତିବର୍ଷ ପ୍ରାୟ ୪ ହଜାର କଇଁଛ ଅଣ୍ଡାଦାନ ପାଇଁ ଆସନ୍ତି। କାବେରୀ, ମୟୂରଚୁଳିଆ, ଅମୁହାଁ, କାମୁଡା, ଦେଉଳି ଭଳି ୬ଟି ପ୍ରଜାତି ସହ ଚଳିତ ବର୍ଷ ପ୍ରଥମ ଥର ପାଇଁ ‘ଚିତ୍ରା’ ପ୍ରଜାତିର କଇଁଛ ମଧ୍ୟ ଦେଖିବାକୁ ମିଳିଛି। କଇଁଛ ସୁରକ୍ଷା ପାଇଁ ସ୍ୱତନ୍ତ୍ର ସ୍କ୍ୱାଡ୍ ନିୟୋଜିତ ହୋଇଛି। ୫ ଜଣ ସ୍ଥାନୀୟ କର୍ମଚାରୀଙ୍କୁ ୫ ମାସ ପାଇଁ ନିଯୁକ୍ତ କରାଯାଇଛି। ବିଲୁଆ ଓ କୁକୁର ଆକ୍ରମଣରୁ ଅଣ୍ଡାକୁ ରକ୍ଷା କରିବା ପାଇଁ ଗ୍ରାମବାସୀ ମଧ୍ୟ ପାଳି କରି ଜଗୁଛନ୍ତି। ବ୍ରାହ୍ମଣୀ ନଦୀର ଏହି ବିରଳ କଇଁଛ ସମ୍ପଦକୁ ସୁରକ୍ଷା ଦେବା ସହ ଏହାକୁ ପର୍ଯ୍ୟଟନ ସ୍ଥଳୀ ଭାବେ ବିକାଶ କରିବାକୁ ଦାବି ହୋଇଛି। ସରକାରୀ ପ୍ରୋତ୍ସାହନ ମିଳିଲେ ଏହି ୮ କିଲୋମିଟର କଇଁଛ କରିଡର ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ଏକ ନୂଆ ପରିଚୟ ସୃଷ୍ଟି କରିପାରିବ।
