Train Cancellations:ବାତ୍ୟା ପାଇଁ ରେଳ ଚଳାଚଳରେ ବଡ଼ ପରିବର୍ତ୍ତନ
ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲାରେ ସତର୍କତାମୂଳକ ପଦକ୍ଷେପ। ଅନେକ ଟ୍ରେନ୍ ବାତିଲ୍ ସହ ହୀରାଖଣ୍ଡ ଏକ୍ସପ୍ରେସ୍ର ଗନ୍ତବ୍ୟ ବଦଳିଛି। ଅନ୍ୟପଟେ, ଅକ୍ଟୋବର ୨୭ରୁ ୨୯ ଯାଏଁ ସ୍କୁଲ୍ ଓ ଅଙ୍ଗନବାଡ଼ି ବନ୍ଦ ଘୋଷଣା କରିଛନ୍ତି ଜିଲ୍ଲାପାଳ।

କୋରାପୁଟ: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ଚିନ୍ତା ବଢ଼ିବା ସହ ଯାତ୍ରୀଙ୍କ ସୁରକ୍ଷା ଏବଂ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ବାତ୍ୟା ଆଶଙ୍କାରେ ଭାରତୀୟ ରେଳବାଇ ପକ୍ଷରୁ ଅନେକ ଯାତ୍ରୀବାହୀ ଟ୍ରେନ୍ ବାତିଲ୍ କରାଯାଇଥିବା ବେଳେ ହୀରାଖଣ୍ଡ ଏକ୍ସପ୍ରେସ୍ର ଚଳାଚଳରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଅନ୍ୟପଟେ, କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଅକ୍ଟୋବର ୨୭ରୁ ୨୯ ତାରିଖ ଯାଏଁ ଜିଲ୍ଲାର ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ଘୋଷଣା କରିଛନ୍ତି।
ବାତିଲ୍ ହୋଇଥିବା ଟ୍ରେନ୍ଗୁଡ଼ିକ:
ବିଶାଖାପାଟଣା–କିରଣ୍ଡୁଲ୍ ରାତ୍ରିକାଳୀନ ଏକ୍ସପ୍ରେସ୍ (୧୮୫୧୫): ଅକ୍ଟୋବର ୨୯ରୁ ନଭେମ୍ବର ୪ ଯାଏଁ।
କିରଣ୍ଡୁଲ୍–ବିଶାଖାପାଟଣା ରାତ୍ରିକାଳୀନ ଏକ୍ସପ୍ରେସ୍ (୧୮୫୧୬): ଅକ୍ଟୋବର ୨୯ରୁ ନଭେମ୍ବର ୪ ଯାଏଁ।
ବିଶାଖାପାଟଣା–କୋରାପୁଟ ପାସେଞ୍ଜର୍ (୫୮୫୩୮): ଅକ୍ଟୋବର ୨୭ରୁ ୩୦ ଯାଏଁ।
କୋରାପୁଟ–ବିଶାଖାପାଟଣା ପାସେଞ୍ଜର୍ (୫୮୫୩୭): ଅକ୍ଟୋବର ୨୮ରୁ ୩୧ ଯାଏଁ।
ବିଶାଖାପାଟଣା–କୋରାପୁଟ ଇଣ୍ଟରସିଟି ଏକ୍ସପ୍ରେସ୍ (୧୮୫୧୨): ଅକ୍ଟୋବର ୩୦ରେ।
କୋରାପୁଟ–ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ୍ (୧୮୫୧୧): ଅକ୍ଟୋବର ୩୧ରେ।
ବିଶାଖାପାଟଣା–କିରଣ୍ଡୁଲ୍ ପାସେଞ୍ଜର୍ (୫୮୫୦୧): ଅକ୍ଟୋବର ୨୭ରୁ ୩୦ ଯାଏଁ।
କିରଣ୍ଡୁଲ୍–ବିଶାଖାପାଟଣା ପାସେଞ୍ଜର୍ (୫୮୫୦୨): ଅକ୍ଟୋବର ୨୭ରୁ ୩୦ ଯାଏଁ।
ରାୟଗଡ଼ାରେ ଯାତ୍ରା ଶେଷ କରିବ ହୀରାଖଣ୍ଡ ଏକ୍ସପ୍ରେସ୍
ଭୁବନେଶ୍ୱର–ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍ (୧୮୪୪୭) ଅକ୍ଟୋବର ୨୭ରୁ ୩୦ ଯାଏଁ ଜଗଦଲପୁର ପରିବର୍ତ୍ତେ ରାୟଗଡ଼ାରେ ଯାତ୍ରା ଶେଷ କରିବ। ସେହିପରି, ଜଗଦଲପୁର–ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ୍ (୧୮୪୪୮) ଅକ୍ଟୋବର ୨୮ରୁ ୩୧ ଯାଏଁ କୋରାପୁଟ ପରିବର୍ତ୍ତେ ରାୟଗଡ଼ାରୁ ଯାତ୍ରା ଆରମ୍ଭ କରିବ।
ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କୁ ଯାତ୍ରା ପୂର୍ବରୁ ଟ୍ରେନ୍ର ସ୍ଥିତି ଯାଞ୍ଚ କରିବା ସହ ପରିବର୍ତ୍ତିତ ସମୟସୂଚୀ ଅନୁସାରେ ଯୋଜନା କରିବାକୁ କୁହାଯାଇଛି। ଟ୍ରେନ୍ ବାତିଲ୍ ଓ ଚଳାଚଳରେ ପରିବର୍ତ୍ତନ ଯୋଗୁଁ ଯାତ୍ରୀଙ୍କୁ ହେବାକୁ ଥିବା ଅସୁବିଧା ପାଇଁ ରେଳବାଇ କର୍ତ୍ତୃପକ୍ଷ ଦୁଃଖ ପ୍ରକାଶ କରିଛନ୍ତି।
