Malkangiri Cyclone:ବାତ୍ୟା ମୁକାବିଲାକୁ ନେଇ ମାଲକାନଗିରି ଜିଲ୍ଲାପାଳଙ୍କ ବଡ଼ ସୂଚନା
ସମ୍ଭାବ୍ୟ ବାତ୍ୟାକୁ ନେଇ ମାଲକାନଗିରିରେ ପ୍ରଶାସନିକ ପ୍ରସ୍ତୁତି ଜୋରଦାର। ମୋଟୁ, କାଲିମେଳା ଓ ପଡ଼ିଆ ଅଞ୍ଚଳ ଉପରେ ସ୍ୱତନ୍ତ୍ର ନଜର ରହିଥିବା ବେଳେ ଉଦ୍ଧାରକାରୀ ଦଳ ମୁତୟନଠାରୁ ଗର୍ଭବତୀଙ୍କ ସ୍ଥାନାନ୍ତର ଯାଏଁ ବିଭିନ୍ନ ପଦକ୍ଷେପ ନିଆଯାଇଛି।
ମାଲକାନଗିରି: ସମ୍ଭାବ୍ୟ ବାତ୍ୟାକୁ ନେଇ ମାଲକାନଗିରି ଜିଲ୍ଲାରେ ସତର୍କତା ବଢ଼ାଇଛି ପ୍ରଶାସନ। ମୋଟୁ ଅଞ୍ଚଳ ଦେଇ ବାତ୍ୟା ଛତିଶଗଡ଼ ମୁହାଁ ହେବାର ଆକଳନ କରାଯାଉଥିବା ବେଳେ କାଲିମେଳା ଓ ପଡ଼ିଆ ବ୍ଲକ୍ରେ ଅଧିକ କ୍ଷୟକ୍ଷତି ହେବାର ଆଶଙ୍କା ରହିଥିବା ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ। ବାତ୍ୟାର ମୁକାବିଲା ଏବଂ ଜନଜୀବନର ସୁରକ୍ଷା ପାଇଁ ଉଦ୍ଧାରକାରୀ ଦଳଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା ପର୍ଯ୍ୟନ୍ତ ବିଭିନ୍ନ ବ୍ୟବସ୍ଥା କରାଯାଇଛି। କାଲିମେଳାରେ ଗୋଟିଏ ଏନ୍ଡିଆରଏଫ୍ (NDRF) ଟିମ୍ ମୁତୟନ କରାଯାଇଛି। ସେହିପରି ମାଥିଲି ଓ ଚିତ୍ରକୋଣ୍ଡାରେ ଦୁଇଟି ଓଡ୍ରାଫ୍ (ODRAF) ଟିମ୍ ନିୟୋଜିତ ହୋଇଛନ୍ତି। ଜରୁରୀ ପରିସ୍ଥିତିରେ ତୁରନ୍ତ ଉଦ୍ଧାର କାର୍ଯ୍ୟ କରିବା ପାଇଁ ସମଗ୍ର ଜିଲ୍ଲାରେ ୧୧ଟି ଅଗ୍ନିଶମ ବାହିନୀ ଦଳକୁ ପ୍ରସ୍ତୁତ ରଖାଯାଇଛି। ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଇ ଜିଲ୍ଲାରେ ୫୯୯ ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଛି। ବାତ୍ୟା ପୂର୍ବରୁ ସେମାନଙ୍କୁ ମା’ ଗୃହ କିମ୍ବା ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସମ୍ଭାବ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ୧୮୨୫ଟି ପଲିଥିନ୍ ପ୍ୟାକେଟ୍ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ଅନ୍ୟପଟେ, ଆସନ୍ତାକାଲିଠାରୁ ଅକ୍ଟୋବର ୨୯ ତାରିଖ ଯାଏଁ ଜିଲ୍ଲାର ସମସ୍ତ ସ୍କୁଲ୍, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ଏହାସହ ଆସନ୍ତା ଚାରିଦିନ ପାଇଁ ଜିଲ୍ଲାର ସମସ୍ତ ମଦ ଦୋକାନ ବନ୍ଦ ରଖିବାକୁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ ରହିବା ସହ ଜରୁରୀ ନିର୍ଦ୍ଦେଶାବଳୀ ପାଳନ କରିବାକୁ ଆହ୍ୱାନ ଦିଆଯାଇଛି।
