Cyclone Fake News: ବାତ୍ୟା ଗୁଜବ ପ୍ରଚାରକଙ୍କୁ ସାବଧାନ! ଆଇନଗତ କାର୍ଯ୍ୟାନୁଷ୍ଠାନ ଚେତାବନୀ
ବାତ୍ୟାକୁ ନେଇ ଗୁଜବ ପ୍ରଚାର କଲେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ, ଚେତାବନୀ ଦେଲେ ଓଡ଼ିଶା ସରକାର।

ଭୁବନେଶ୍ୱର: ବାତ୍ୟାକୁ ନେଇ ମିଥ୍ୟା ଓ ବିଭ୍ରାନ୍ତିକର ଖବର ପ୍ରଚାର କଲେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ। ଏନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି। ସୋସିଆଲ ମିଡିଆ ଓ ବିଭିନ୍ନ ଡିଜିଟାଲ୍ ପ୍ଲାଟଫର୍ମରେ ଅବୈଜ୍ଞାନିକ ପାଣିପାଗ ପୂର୍ବାନୁମାନ ପ୍ରଚାର କରୁଥିବା ବ୍ୟକ୍ତି ଓ ସଂସ୍ଥାଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଇପାରେ। ବାତ୍ୟା ସମ୍ପର୍କିତ ଗୁଜବ ଲୋକଙ୍କ ମଧ୍ୟରେ ଅଯଥା ଭୟ ସୃଷ୍ଟି କରିବା ସହ ସାଧାରଣ ଜୀବନଯାପନ ଓ ବିପର୍ଯ୍ୟୟ ପରିଚାଳନାକୁ ପ୍ରଭାବିତ କରିପାରେ। ମିଥ୍ୟା ସୂଚନା ଯୋଗୁଁ ଚାଷୀମାନେ ଆଗୁଆ ଫସଲ ଅମଳ କରି କ୍ଷତି ସହିବା ସହ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ଅଧିକ କିଣି ମହଜୁଦ ରଖିପାରନ୍ତି। ଫଳରେ କୃତ୍ରିମ ଅଭାବ ଓ ଦରଦାମ ବୃଦ୍ଧି ଭଳି ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ର ଧାରା ୫୪ ଅନୁଯାୟୀ, ବିପର୍ଯ୍ୟୟ ସମ୍ପର୍କରେ ମିଥ୍ୟା ସତର୍କ ସୂଚନା କିମ୍ବା ଆଲାର୍ମ ପ୍ରଚାର କରି ଆତଙ୍କ ସୃଷ୍ଟି କରିବା ଦଣ୍ଡନୀୟ ଅପରାଧ। ଏଥିପାଇଁ ଏକ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ କିମ୍ବା ଜରିମାନା ହୋଇପାରେ। ଧାରା ୫୧ ଅନୁଯାୟୀ, ଅଧିକୃତ ଅଧିକାରୀଙ୍କ କାର୍ଯ୍ୟରେ ବାଧା ଦେବା କ୍ଷେତ୍ରରେ ମଧ୍ୟ ଆଇନଗତ ପଦକ୍ଷେପ ନିଆଯାଇପାରେ। ପାଣିପାଗ ସମ୍ପର୍କିତ ସଠିକ୍ ପୂର୍ବାନୁମାନ ଓ ବାତ୍ୟା ସତର୍କ ସୂଚନା ପାଇଁ ଭାରତୀୟ ପାଣିପାଗ ବିଭାଗ (IMD)ର ସୂଚନା ଉପରେ ଭରସା କରିବାକୁ ପରାମର୍ଶ ଦିଆଯାଇଛି। ଗଣମାଧ୍ୟମ, ୟୁଟ୍ୟୁବ୍ ଚ୍ୟାନେଲ୍ ଓ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଖବର ପ୍ରସାରଣ ପୂର୍ବରୁ ତଥ୍ୟର ସତ୍ୟତା ଯାଞ୍ଚ କରନ୍ତୁ। ଗୁଜବ ପ୍ରଚାର ନକରି ସଚେତନ ରୁହନ୍ତୁ ଏବଂ ସରକାରୀ ସତର୍କ ସୂଚନାକୁ ଅନୁସରଣ କରନ୍ତୁ।
