Workers Protest: ପାରାଦୀପ ତୈଳ ବିଶୋଧନାଗାର ଆଗରେ ଶ୍ରମିକ ଅଶାନ୍ତି, ୮୦ ଶ୍ରମିକଙ୍କୁ ଉଠାଇ ନେଲା ପୋଲିସ
ବାତ୍ୟା ଆଶଙ୍କା ମଧ୍ୟରେ ପାରାଦୀପ ତୈଳ ବିଶୋଧନାଗାର ଆଗରେ ଶ୍ରମିକ ଆନ୍ଦୋଳନ। ସେଟଲମେଣ୍ଟ ଓ ଦରମା ବୃଦ୍ଧି ଦାବିରେ ଧାରଣା, ପ୍ରାୟ ୮୦ ଶ୍ରମିକଙ୍କୁ ଉଠାଇ ନେଲା ପୋଲିସ।
ପାରାଦୀପ: ଉପକୂଳରେ ବର୍ଷା ଆରମ୍ଭ ହୋଇଥିବା ବେଳେ ପାରାଦୀପ ତୈଳ ବିଶୋଧନାଗାର ସମ୍ମୁଖରେ ଦେଖିବାକୁ ମିଳିଛି ଶ୍ରମିକ ଅଶାନ୍ତି। ନିଜ ହକ୍ ଓ ଦାବି ପୂରଣ ନିମନ୍ତେ ବର୍ଷାରେ ଭିଜି ଶ୍ରମିକମାନେ ଧାରଣାରେ ବସିଥିବା ବେଳେ ପ୍ରାୟ ୮୦ ଜଣ ଶ୍ରମିକଙ୍କୁ ପୋଲିସ ଉଠାଇ ନେଇଥିବା ଜଣାପଡ଼ିଛି। ଏହାକୁ ବିରୋଧ କରି ଶ୍ରମିକମାନେ କାର୍ଯ୍ୟରେ ଯୋଗ ନଦେଇ ଆନ୍ଦୋଳନ ଜାରି ରଖିଛନ୍ତି। ଏଫ୍ସିଆଇ ଶ୍ରମିକ ସଂଘ ବ୍ୟାନରରେ ଶ୍ରମିକମାନେ ସେଟଲମେଣ୍ଟ ଦାବିରେ ଅଡ଼ି ବସିଛନ୍ତି। ଗତକାଲି ଭୁବନେଶ୍ୱରରେ ଶ୍ରମ ଅଧିକାରୀଙ୍କ ଉପସ୍ଥିତିରେ କମ୍ପାନୀ କର୍ତ୍ତୃପକ୍ଷ ଓ ଶ୍ରମିକ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ ତାହା ବିଫଳ ହୋଇଥିଲା। ଶ୍ରମିକଙ୍କ ଦାବିକୁ କମ୍ପାନୀ କର୍ତ୍ତୃପକ୍ଷ ଉଚିତ ଭାବେ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଜମି ହରାଇ କମ୍ପାନୀରେ ନିଯୁକ୍ତି ପାଇଥିବା ଶ୍ରମିକମାନେ ଦୀର୍ଘ ବର୍ଷ ଧରି ଦରମା ବୃଦ୍ଧି ସହ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଓ ଅନୁଦାନ ବୃଦ୍ଧି ପାଇଁ ଦାବି କରିଆସୁଛନ୍ତି। କିନ୍ତୁ ସେଟଲମେଣ୍ଟ ନେଇ କମ୍ପାନୀ କର୍ତ୍ତୃପକ୍ଷ ବାରମ୍ବାର ତାରିଖ ଗଡ଼ାଇ ଚାଲିଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ଗତ ପାଞ୍ଚ ଦିନ ଧରି ଶ୍ରମିକମାନେ ତୈଳ ବିଶୋଧନାଗାର ମୁଖ୍ୟ ଫାଟକ ସମ୍ମୁଖରେ ସ୍ଲୋଗାନ ଦେଇ ଆନ୍ଦୋଳନ ଚଳାଇଥିଲେ। ଗତକାଲି ଆଲୋଚନା ବିଫଳ ହେବା ପରେ ଶ୍ରମିକମାନେ ରାତିରୁ ଆସି ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ। ଆଜି ସକାଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କିଛି ଶ୍ରମିକ ଓ ଶ୍ରମିକ ନେତାଙ୍କୁ ଉଠାଇ ନେଇଥିବା ବେଳେ, ଏହାର ପ୍ରତିବାଦରେ ଶ୍ରମିକମାନେ କାମ ବନ୍ଦ କରି ଆନ୍ଦୋଳନ ଜାରି ରଖିଛନ୍ତି। ଅନ୍ୟପଟେ, ଲକ୍ ଥାନାରେ ଅଟକ ଥିବା ଶ୍ରମିକମାନେ ଅନଶନ ଆରମ୍ଭ କରିଥିବା ସୂଚନା ମିଳିଛି।
