ଜନ୍ମଦିନ ପାର୍ଟିରୁ ଫେରୁଥିବା ବେଳେ ଦୁର୍ଘଟଣା: ପରିବାରର ୬ ଜଣ ମୃତ
ମଧ୍ୟପ୍ରଦେଶର ମୈହାର ଜିଲ୍ଲାରେ ସୋମବାର ବିଳମ୍ବିତ ରାତିରେ ଜନ୍ମଦିନ ପାର୍ଟିରୁ ଫେରୁଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା: ପରିବାରର ୬ ଜଣଙ୍କ ମୃତ୍ୟୁ ।

ମଧ୍ୟପ୍ରଦେଶ: ଜନ୍ମଦିନ ପାର୍ଟିରୁ ଫେରୁଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା । ମଧ୍ୟପ୍ରଦେଶର ମୈହାର ଜିଲ୍ଲାରେ ସୋମବାର ବିଳମ୍ବିତ ରାତିରେ ରିୱା ରୋଡ ସ୍ଥିତ ଜାତୀୟ ରାଜପଥ-୩୦ରେ ଦୁର୍ଘଟଣା ଘଟିଥିଲା। ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ପୋଲିସ ସୂଚନା ଅନୁଯାୟୀ, ମୃତକମାନେ ଅମରପାଟନରେ ଜଣେ ସମ୍ପର୍କୀୟଙ୍କ ଜନ୍ମଦିନ ଉତ୍ସବରେ ଯୋଗ ଦେଇ ଘରକୁ ଫେରୁଥିଲେ। ସେହି ସମୟରେ ନାଦାନ ଥାନା ଅଞ୍ଚଳର ରିଘ୍ରା ଗାଁ ନିକଟରେ ଦ୍ରୁତଗତିରେ ଯାଉଥିବା ଏସୟୁଭି ଗାଡ଼ିଟି ସାମ୍ନାରେ ଚାଲୁଥିବା ଟ୍ରକ୍ର ପଛପଟେ ଧକ୍କା ଦେଇଥିଲା। ଫଳରେ ଧକ୍କା ଏତେ ଜୋରରେ ଥିଲା ଯେ କାରରେ ଥିବା ଯାତ୍ରୀ ଚିତ୍କାର କରିଥିଲେ । ଖବର ପାଇ ପୋଲିସ, ହାଇୱେ ପାଟ୍ରୋଲ, ଡାଏଲ-୧୧୨ ଓ ଆମ୍ବୁଲାନ୍ସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଦ୍ଧାର କାର୍ଯ୍ୟ ଚଳାଇଥିଲେ। ଦୀର୍ଘ ସମୟର ପ୍ରୟାସ ପରେ ଗାଡ଼ି ଭିତରୁ ଯାତ୍ରୀମାନଙ୍କୁ ବାହାର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଥିଲେ। ପ୍ରଥମେ ତାଙ୍କୁ ଅମରପାଟନ ସିଭିଲ ହସ୍ପିଟାଲ, ପରେ ସତନା ଜିଲ୍ଲା ହସ୍ପିଟାଲ ଏବଂ ଅବସ୍ଥା ଗୁରୁତର ହେବାରୁ ଜବଲପୁରକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଏହା ସହିତ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ମୃତକମାନଙ୍କୁ ଅଙ୍କୁର ପଟେଲ (୪୦), ମୃଦୁଲ ପଟେଲ (୩୨), ବିଜୟ ପଟେଲ (୩୦), ହରିଶଙ୍କର ପଟେଲ (୨୫) ଓ ଶିବା ପଟେଲ (୨୩) ଭାବେ ଚିହ୍ନଟ କରାଯାଇଛି। ଆହତ ବ୍ୟକ୍ତିଙ୍କ ନାମ ଓମ୍ ପଟେଲ ବୋଲି ଜଣାପଡ଼ିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଡ୍ରାଇଭରଙ୍କ ଅସାବଧାନତା ନଚେତ୍ ଦ୍ରୁତଗତି ଏବଂ ଚାଳକଙ୍କ ନିୟନ୍ତ୍ରଣ ହରାଇବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି। କିନ୍ତୁ ଏପର୍ଯ୍ୟନ୍ତ ସୁଦ୍ଧା ଦୁର୍ଘଟଣାର ସଠିକ୍ କାରଣ ଜଣାପଡିନାହିଁ । ଘଟଣା ଏବେ ତଦନ୍ତାଧୀନ ରହିଛି । ମୃତକମାନେ ସ୍ଥାନୀୟ କଂଗ୍ରେସ ନେତା ମନୀଷ ପଟେଲ ଏବଂ ପୂର୍ବତନ ବିଧାୟକ ସ୍ୱର୍ଗତ ଲାଲଜୀ ପଟେଲଙ୍କ ପରିବାରର ସଦସ୍ୟ ଓ ସମ୍ପର୍କୀୟ ବୋଲି ସ୍ଥାନୀୟ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପଟେ ଏହି ଦୁର୍ଘଟଣାରେ ମୃତକଙ୍କ ପରିବାର ଲୋକ ଶୋକ ପ୍ରକାଶ କରିଛନ୍ତି । ପୋଲିସ ସମସ୍ତ ମୃତଦେହକୁ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ମୈହାର ସିଭିଲ ହସ୍ପିଟାଲକୁ ପଠାଇବା ସହ ଟ୍ରକ୍ ଡ୍ରାଇଭରଙ୍କୁ ଖୋଜାଖୋଜି ଆରମ୍ଭ କରିଛି । ତଦନ୍ତ ଶେଷ ହେବା ପରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିବ ବୋଲି ଅଧିକାରୀ କହିଛନ୍ତି
