Tourist's budget gone viral : ଗୋଆ ଭଡ଼ାରେ ବିଦେଶ ଟ୍ରିପ୍:ପର୍ଯ୍ୟଟକଙ୍କ ବଜେଟ୍ ଡାଟା ଭାଇରାଲ୍
ପାର୍ବଣ ଋତୁ ଆସିଲେ ହିଁ ଭାରତୀୟମାନେ ଛୁଟି କାଟିବା ପାଇଁ ପ୍ଲାନ୍ କରନ୍ତି | କିନ୍ତୁ ବର୍ତ୍ତମାନ ଦେଶ ମଧ୍ୟରେ ହିଁ ଯାତ୍ରା କରିବା ସାଧାରଣ ଲୋକଙ୍କ ପକେଟ୍ ଉପରେ ଭାରି ପଡ଼ୁଛି ବରଂ ଲୋକେ ସମାନ ବଜେଟ୍ ରେ ବିଦେଶ ଯାତ୍ରାକରିବାକୁ ପସନ୍ଦ କରୁଛନ୍ତି | ଭାରତରେ ବିମାନ ଭଡ଼ା ଆକାଶଛୁଆଁ ହେବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଥଣ୍ଡା ନହେଉଣୁ ପର୍ଯ୍ୟଟନ ସ୍ଥଳୀ ବଜେଟ କୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହେଇଯାଇଛି | ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଜଣେ ଭାରତୀୟ ପର୍ଯ୍ୟଟକ ଗୋଆ ଏବଂ ବାଲିର ଖର୍ଚ୍ଚକୁ ନେଇ କରିଥିବା ତୁଳନାତ୍ମକ ପୋଷ୍ଟ ଏବେ ଦେଶବ୍ୟାପୀ ଏକ ବଡ଼ ବିତର୍କ ସୃଷ୍ଟି କରିଛି |
ଦେଶରେ ପାର୍ବଣ ଋତୁ ଆରମ୍ଭ ହେବା ମାତ୍ରେ ହିଁ ଲୋକେ ଛୁଟି କାଟିବା ପାଇଁ ଯୋଜନା ପ୍ରସ୍ତୁତ କରନ୍ତି | କିନ୍ତୁ ଯଦି ଭାରତ ମଧ୍ୟରେ ହିଁ ଯାତ୍ରା କରିବା ସାଧାରଣ ଲୋକଙ୍କୁ ଅଧିକ ଖର୍ଚ୍ଚାନ୍ତ କରୁଛି ତାହାଲେ ସେଇ ବଜେଟ ରେ ଲୋକେ ବିଦେଶ କାହିଁକି ନଯିବେ ? ସୋସିଆଲ ମିଡିଆରେ ଜଣେ ସ୍ମାର୍ଟ ଟ୍ରାଭେଲର କରିଥିବା ପୋଷ୍ଟ ଅନୁଯାୟୀ, ଛୁଟିଦିନରେ ଗୋଆ, ଉତ୍ତର-ପୂର୍ବ ଭାରତ କିମ୍ବା ଅନ୍ୟାନ୍ୟ ଲୋକପ୍ରିୟ ଦେଶୀ ସ୍ଥାନରେ ଏକ ୫-ଷ୍ଟାର୍ ହୋଟେଲରେ ୫ ରାତି ରହିବା ପାଇଁ ରୁମ୍ ଭଡ଼ା ପ୍ରାୟ ୧.୫ ଲକ୍ଷରୁ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଯାଉଛି | ଏହା ସହିତ ପିକ୍ ସିଜିନ୍ ଯୋଗୁଁ ଘରୋଇ ବିମାନ ଟିକେଟ୍ ମଧ୍ୟ ସାଧାରଣ ଦିନ ଅପେକ୍ଷା ପ୍ରାୟ ୨ ରୁ ୩ ଗୁଣ ବୃଦ୍ଧି ପାଉଛି, ଯାହା ମଧ୍ୟବିତ୍ତ ପର୍ଯ୍ୟଟକଙ୍କ ବଜେଟ୍ ବିଗାଡ଼ି ଦେଉଛି |
ଅନ୍ୟପଟେ, ଯଦି ଜଣେ ପର୍ଯ୍ୟଟକ ଏହି ସମୟରେ ବାଲି, ଭିଏତନାମ କିମ୍ବା ଥାଇଲ୍ୟାଣ୍ଡର କ୍ରାବି ଭଳି ଆନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀକୁ ଯାଉଛନ୍ତି, ତେବେ ସେଠାରେ ୫ ରାତି ପାଇଁ ବିଳାସପୂର୍ଣ୍ଣ ରିସର୍ଟ ରହଣି ମାତ୍ର ୪୦,୦୦୦ ରୁ ୬୦,୦୦୦ ଟଙ୍କା ମଧ୍ୟରେ ସହଜରେ ଉପଲବ୍ଧ ହେଇଯାଉଛି | ଯଦିଓ ଆନ୍ତର୍ଜାତୀୟ ବିମାନ ଟିକେଟ୍ ସାମାନ୍ୟ ମହଙ୍ଗା, ତଥାପି ସଠିକ୍ ପ୍ଲାନିଂ କଲେ ଏକ ସମ୍ପୂର୍ଣ୍ଣ ବିଦେଶ ଯାତ୍ରାର ମୋଟ ଖର୍ଚ୍ଚ ଭାରତର ଏକ ବିଳାସପୂର୍ଣ୍ଣ ଯାତ୍ରା ସହ ସମାନ କିମ୍ବା ତା’ଠାରୁ କମ୍ରେ ଶେଷ ହେଉଛି |
ଏହି ପୋଷ୍ଟ ଭାଇରାଲ୍ ହେବା ପରେ ନେଟିଜେନ୍ସଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି | କିଛି ଲୋକ ଏହାକୁ ନେଇ ତର୍କ କରୁଥିବାବେଳେ କିଛି ଲୋକ ପରାମର୍ଶ ଦେଇଛନ୍ତି ଯେ କେବଳ ଗୋଆ ଉପରେ ନିର୍ଭର ନକରି ଭାରତର ଅନ୍ୟାନ୍ୟ କମ୍ ପ୍ରସିଦ୍ଧ ସ୍ଥାନ ଯେପରିକି ବିଶାଖାପାଟଣା କିମ୍ବା ଓଡ଼ିଶାର ବେଳାଭୂମିକୁ ଯିବା ଉଚିତ୍ | ଭାରତରେ ଅନେକ ସ୍ଥାନ ଲୋକନଜରକୁ ଆସିବାକୁ ବାକିଥିବାବେଳେ କିଛି ଲୋକପ୍ରିୟ ସ୍ଥାନକୁ ଅଧିକ ବଜେଟରେ ଯିବା କୁ ନେଇ ବିତର୍କ ଚାଲିଥିବା ବେଳେ ଘରୋଇ ଟୁରିଜିମ୍କୁ ବଞ୍ଚାଇବାକୁ ହେଲେ ହୋଟେଲ ଓ ବିମାନ ବୁକିଂର ଅନିୟନ୍ତ୍ରିତ ଦର ଉପରେ ଲଗାମ୍ ଲଗାଇବା ମଧ୍ୟ ଜରୁରୀ ହେଇପଡିଛି |
