Tiger Shroff Case Update : ଟାଇଗର ଶ୍ରଫ୍ ଗୁଳିକାଣ୍ଡ- ୩ ସୁଟର ଗିରଫ
ଟାଇଗର ଶ୍ରଫ୍ଙ୍କ ଗୁଳିକାଣ୍ଡ ମାମଲାରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜସ୍ଥାନର କୋଟାରେ ଟ୍ରେନ୍ରୁ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏସ୍ପି ତେଜସ୍ୱିନୀ ଗୌତମଙ୍କ ସୂଚନା ଅନୁଯାୟୀ, ପୋଲିସ ମାତ୍ର ୧୫ ମିନିଟ୍ ମଧ୍ୟରେ ପୂରା ଟ୍ରେନ୍ରେ ତଲାସୀ ଅଭିଯାନ ଚଳାଇ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଛି।

ତାଜା ରିପୋର୍ଟ ଅନୂଯାୟୀ, ଟାଇଗର ଶ୍ରଫ୍ଙ୍କ ଘରେ ଗୁଳିକାଣ୍ଡ ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି। ମୁମ୍ବାଇରେ ଗୁଳିକାଣ୍ଡ ଘଟାଇବା ପରେ ଟ୍ରେନ୍ରେ ଫେରାର ହେଉଥିବା ତିନି ଜଣ ଅଭିଯୁକ୍ତଙ୍କୁ ରାଜସ୍ଥାନର କୋଟାରେ ଗିରଫ କରାଯାଇଛି।କୋଟାର ଏସ୍ପି ତେଜସ୍ୱିନୀ ଗୌତମଙ୍କ ସୂଚନା ଅନୁଯାୟୀ, ମୁମ୍ବାଇ ପୋଲିସଠାରୁ ସକାଳେ ସୂଚନା ମିଳିବା ମାତ୍ରେ ଡିଏସ୍ପି ଏବଂ ସାଇବର ସେଲ୍ର ଟିମ୍ ସକ୍ରିୟ ହୋଇଯାଇଥିଲେ। ମାତ୍ର ୧୫ ମିନିଟ୍ ମଧ୍ୟରେ ପୋଲିସ ଜାଲ ବିଛାଇ ପୂରା ଟ୍ରେନ୍ରେ ତଲାସୀ ଅଭିଯାନ ଚଳାଇଥିଲା ଏବଂ ତିନି ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା। ପୋଲିସର କହିବା ଅନୁଯାୟୀ, ତିନି ଜଣ ଅଭିଯୁକ୍ତ ନେପାଳକୁ ଫେରାର ହେବାକୁ ଯୋଜନା କରୁଥିଲେ। କିନ୍ତୁ ତା' ପୂର୍ବରୁ କୋଟାରେ ପୋଲିସ ସେମାନଙ୍କୁ କାବୁ କରିନେଇଛି।
ଅଭିଯୁକ୍ତମାନେ ଫେରାର ହେବାକୁ ଯୋଜନା କରିଥିଲେ
ଏସ୍ପି କହିଛନ୍ତି ଯେ ରେହାନ (ସୋନିପତ), ଋତିକ କୁର୍ମୀ ଓରଫ ରୋଶନ (ବିହାର) ଏବଂ ଜଣେ ନାବାଳକ ଏହି ତିନିଜଣଙ୍କୁ ଆମେ ଅଟକ ରଖିଛୁ। ବର୍ତ୍ତମାନ ସୁଦ୍ଧା ସେମାନଙ୍କଠାରୁ କୌଣସି ଅସ୍ତ୍ରଶସ୍ତ୍ର ଜବତ ହୋଇନାହିଁ। ପଚରାଉଚରା ସମୟରେ ଅସ୍ତ୍ରଶସ୍ତ୍ରଗୁଡ଼ିକୁ ସେମାନେ କେଉଁଠାରେ ରଖିଛନ୍ତି କିମ୍ବା କ’ଣ କରିଛନ୍ତି, ସେ ବିଷୟରେ ଜଣାପଡ଼ିବ। ଘଟଣା ଘଟାଇବା ପରେ ସେମାନେ ତୁରନ୍ତ ସେଠାରୁ ଚାଲିଯାଇଥିଲେ। ଦିଲ୍ଲୀ ଦେଇ ନେପାଳକୁ ଫେରାର ହେବା ପାଇଁ ସେମାନେ ଯୋଜନା କରୁଥିଲେ। କୋଟା ଏସ୍ପି ଆହୁରି କହିଛନ୍ତି ଯେ, ରେହାନଙ୍କୁ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି। ଅନିଲ ପଣ୍ଡିତ ତାଙ୍କ ସହ ଯୋଗାଯୋଗ କରିଥିଲେ। ରେହାନ ହିଁ ପୂରା ଘଟଣାର ଯୋଜନାକୁ କାର୍ଯ୍ୟକାରୀ କରିଥିଲେ। ଏ ସମ୍ପର୍କରେ ସମସ୍ତ ସୂଚନା ଆମକୁ ମୁମ୍ବାଇ ପୋଲିସ ପକ୍ଷରୁ ମିଳିଥିଲା। ଏବେ ଆମେ ତାଙ୍କୁ ମୁମ୍ବାଇ ପୋଲିସକୁ ହସ୍ତାନ୍ତର କରିବୁ।
