Thalapathy Vijay Fan: ଏକା ଜିଦ ବିଜୟ ଥାଲାପଥିଙ୍କୁ ଆଲିଙ୍ଗନ କରିବି: ରାସ୍ତାରେ ଶୋଇଲେ ମହିଳା
ଦିଲ୍ଲୀ ଯନ୍ତର ମନ୍ତରଠାରେ ନେତା ଓ ସଂଗଠନମାନେ ଏକ ବଡ଼ ଧରଣର ବିକ୍ଷୋଭ କରୁଥିବା ବେଳେ ସେଠାରେ ଏକ ମଜାଦାର ଘଟଣା ଘଟିଛି। ହେଲେ ଚିନ୍ତା ବଢିଛି ପୋଲିସର | ତେବେ,ବିକ୍ଷୋଭକାରୀଙ୍କ ପାଇଁ ନୁହେଁ , ଅଭିନେତା ବିଜୟ ଥାଲାପଥିଙ୍କୁ ଆଲିଙ୍ଗନ କରିବା ଦାବିରେ ରାସ୍ତା ଉପରେ ଶୋଇ ରହିଥିବା ଜଣେ ମହିଳା ପୋଲିସକୁ ନାକେଦମ୍ କରିଛନ୍ତି |

ନୂଆଦିଲ୍ଲୀ:ନୂଆଦିଲ୍ଲୀର ଯନ୍ତର ମନ୍ତରଠାରେ ଏକ ବଡ଼ ଧରଣର ରାଜନୈତିକ ବିକ୍ଷୋଭ ଚାଲିଥିଲା। କିଛି ବଡ ବଡ ନେତା ସମେତ ଅନେକ ଛାତ୍ର ସଂଗଠନର କର୍ମୀମାନେ ସେଠାରେ ପାଟିତୁଣ୍ଡ କରୁଥିଲେ। ଚାରିଆଡ଼େ ପୋଲିସ ବାରିକେଡ୍ ଏବଂ ବେଶ୍ ଗମ୍ଭୀର ମାହୋଲ ମଝିରେ ଜଣେ ମହିଳା ସେଠାରେ ପହଞ୍ଚି ଏମିତି କିଛି କଲେ ଯେ ଯାହାକୁ ଦେଖି ଲୋକେ ହସିବାକୁ ଲାଗିଲେ। ସେହି ମହିଳାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି। ଘଟଣାଟି ଏମିତି ଯେ,ସମ୍ପୃକ୍ତ ମହିଳା ଜଣକ ବିକ୍ଷୋଭ ଚାଲିଥିବା ସ୍ଥାନରୁ ଯିବାକୁ ସଫା ସଫା ମନା କରିଦେଇଥିଲେ ଏବଂ ସିଧା ରାସ୍ତା ଉପରେ ଶୋଇ ପଡ଼ିଥିଲେ। ସେଠାରେ ଥିବା ମହିଳା ପୋଲିସ ଅଧିକାରୀ ଯେତେବେଳେ ତାଙ୍କ ପାଖକୁ ଯାଇ କାରଣ ପଚାରିଲେ, ମହିଳା ଜଣକ ଉତ୍ତର ଦେଲେ ଯେ ସେ ତାମିଲ ସୁପରଷ୍ଟାର୍ “ବିଜୟ ଥାଲାପଥି”ଙ୍କୁ ଆଲିଙ୍ଗନ କରିବାକୁ ଚାହାଁନ୍ତି। ସେ ଜିଦ ଧରିଛନ୍ତି ଯେ, ତାଙ୍କୁ ବିଜୟଙ୍କ ସହ ଦେଖା ନକରାଗଲେ, ସେ ସେଠାରୁ ଉଠିବେ ନାହିଁ। ଭିଡିଓରେ ଦେଖିବାକୁ ମିଳୁଛି ଯେ ଦୁଇଜଣ ମହିଳା ପୋଲିସ କର୍ମଚାରୀ ତାଙ୍କୁ ଜବରଦସ୍ତି ଉଠାଇବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ମହିଳା ଜଣକ “ମୋତେ ଛୁଅଁ ନାହିଁ” ବୋଲି କହି ପାଟି କରୁଛନ୍ତି। ଶେଷରେ ପୋଲିସବାଲା ତାଙ୍କୁ ସେଠାରୁ ଟେକି କରି ନେବାପାଇଁ ବାଧ୍ୟ ହେଇଥିଲେ |
ଏହି ସମୟରେ ଯନ୍ତର ମନ୍ତରରେ ସୁରକ୍ଷା ବହୁତ କଡ଼ାକଡ଼ି ଥିଲା ଏବଂ ପୋଲିସ ବିକ୍ଷୋଭ କରୁଥିବା ପ୍ରାୟ ୭୦୦ରୁ ଅଧିକ ଲୋକଙ୍କୁ ଅଟକ ରଖିଥିଲା, ଯେଉଁଥିରେ ଦିଲ୍ଲୀର କିଛି ବଡ଼ ବଡ଼ ନେତା ମଧ୍ୟ ସାମିଲ ଥିଲେ। ନେତା ଓ ପୋଲିସଙ୍କ ମଧ୍ୟରେ ଟଣାଓଟରା ଚାଲିଥିବା ବେଳେ ମହିଳାଙ୍କର ଏହି ଅଜବ ଜିଦ୍ ଓ ପିଲାଳିଆମୀ ଦେଖି ସେଠାର ଗମ୍ଭୀର ପରିବେଶ ଟିକେ ହାଲୁକା ହୋଇଯାଇଥିଲା। ଅଭିନେତା ବିଜୟଙ୍କ ପ୍ରତି ମହିଳାଙ୍କର ଏଭଳି ପାଗଳାମୀ ଏବେ ଇଣ୍ଟରନେଟରେ ଚର୍ଚ୍ଚାର ବିଷୟ ପାଲଟିଛି।।
