ରାତି ଅଧରେ ସଶସ୍ତ୍ର ଡକାୟତି: ଦମ୍ପତିଙ୍କୁ ମାଡ଼ ମାରି ଲକ୍ଷାଧିକ ଟଙ୍କା ଓ ସୁନା ଲୁଟ
ତେନ୍ତୁଳିଖୁଣ୍ଟି ଦହଣା ଗାଁରେ ସଶସ୍ତ୍ର ଡକାୟତି, ଭୁଜାଲି ଦେଖାଇ ଦମ୍ପତିଙ୍କୁ ଧମକ, ୮ ମୁଖାପିନ୍ଧା ଦୁର୍ବୃତ୍ତ ଲୁଟିନେଲେ ସୁନାଗହଣା, ଘଟଣାସ୍ଥଳରେ ପୋଲିସର ତଦନ୍ତ ଆରମ୍ଭ।
ନବରଙ୍ଗପୁର: ରାତି ଅଧରେ ଘରେ ପଶି ସଶସ୍ତ୍ର ଡକାୟତି। ଲକ୍ଷାଧିକ ଟଙ୍କା ସହ ସୁନା ଗହଣା ଲୁଟ ଅଭିଯୋଗ। ଅସ୍ତ୍ରଧାରୀ ଦୁର୍ବୃତ୍ତଙ୍କ ଆକ୍ରମଣରେ ଦମ୍ପତି ଆହତ ହୋଇଛନ୍ତି। ଘଟଣାଟି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଦହଣା ଗାଁରେ ଘଟିଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୮ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଉମେଶ ଚନ୍ଦ୍ର ରଥଙ୍କ ଘରେ ପଶିଥିଲେ। ଠାକୁର ଘରର ଝରକା ଭାଙ୍ଗି ଘର ଭିତରକୁ ପ୍ରବେଶ କରିବା ପରେ ଉମେଶଙ୍କୁ ଆକ୍ରମଣ କରିବା ସହ ତାଙ୍କ ହାତ ବାନ୍ଧି ଦେଇଥିଲେ। ଏପରିକି ତାଙ୍କ ବେକରେ ଭୁଜାଲି ରଖି ଧମକ ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ପରେ ଅନ୍ୟ ଏକ ବଖରାରେ ଶୋଇଥିବା ଉମେଶଙ୍କ ସ୍ତ୍ରୀ ପୁଷ୍ପଲତା ଦାଶଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। ତାଙ୍କ ହାତ ବାନ୍ଧି ବେକରେ ଭୁଜାଲି ରଖି ଧମକ ଦେବା ସହ ମାଡ଼ ମାରିଥିଲେ। ଏହି ସମୟରେ ପୁଷ୍ପଲତାଙ୍କ କାନରୁ ସୁନା କାନଫୁଲ ଟାଣି ନେବାରୁ କାନ ଛିଡ଼ିଯାଇଥିବା ଅଭିଯୋଗ ହୋଇଛି।
ଦୁର୍ବୃତ୍ତମାନେ ଘରେ ଥିବା ଆଲମିରା ଓ ବାକ୍ସ ଭାଙ୍ଗି ପ୍ରାୟ ୨ ଲକ୍ଷ ୧୦ ହଜାର ଟଙ୍କା ନଗଦ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏଥିସହ ପ୍ରାୟ ୫ ତୋଳା ଓଜନର ସୁନା ହାର, ୨ଟି ସୁନା ମୁଦି, ସୁନା କାନଫୁଲ, ୨ଟି ସୁନା ଲକେଟ ଓ ସୁନା ମଙ୍ଗଳସୂତ୍ର ଲୁଟ ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି। ଘଟଣା ସମ୍ପର୍କରେ ରାତିରେ ପୋଲିସକୁ ସୂଚନା ଦିଆଯିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ନିକଟସ୍ଥ ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଥିବା ବେଳେ ଘଟଣାର ତଦନ୍ତ ପାଇଁ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁରର ସହାୟତା ନିଆଯିବ ବୋଲି ନବରଙ୍ଗପୁର ଏସ୍ଡିପିଓ କୃଷ୍ଣ ଚନ୍ଦ୍ର ଭତ୍ରା ସୂଚନା ଦେଇଛନ୍ତି। ଡକାୟତିରେ ସମ୍ପୃକ୍ତ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜୋରଦାର କରିଛି।
