ଗୁରୁଜାଙ୍ଗ ହେବ ‘ଐତିହ୍ୟ ଗ୍ରାମ’, ପଞ୍ଚାୟତ ହେବ ‘ଆଦର୍ଶ ପଞ୍ଚାୟତ’
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହେଉଛନ୍ତି ଆମ ସମାଜର 'ଗୁରୁ, ଗ୍ରନ୍ଥ ଏବଂ ଗରିମା'। ସ୍ୱାମୀଜୀଙ୍କ ରକ୍ତର ପ୍ରତ୍ୟେକ ଟୋପାକୁ ନ୍ୟାୟ ମିଳିବ, ସତ୍ୟର ଉନ୍ମୋଚନ ନିଶ୍ଚିତ ହେବ। ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ‘ସବ୍କା ସାଥ୍, ସବ୍କା ବିକାଶ’ ଭିତରେ ନିହିତ ଅଛି ସ୍ୱାମୀଜୀଙ୍କ ଅନ୍ତ୍ୟୋଦୟ ବିଚାରଧାରା - ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଜୀଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଅନୁଗୋଳ ଜିଲ୍ଲା ତାଳଚେର ନିକଟସ୍ଥ ଗୁରୁଜାଙ୍ଗଠାରେ ଆୟୋଜିତ ମହୋତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ସ୍ୱାମୀଜୀଙ୍କ ଜନ୍ମପୀଠ ଗୁରୁଜାଙ୍ଗ ଗ୍ରାମକୁ ‘ଐତିହ୍ୟ ଗ୍ରାମ’ ଭାବେ ବିକଶିତ କରାଯିବା ସହ ଗୁରୁଜାଙ୍ଗ ପଞ୍ଚାୟତକୁ ‘ଆଦର୍ଶ ପଞ୍ଚାୟତ’ ଭାବେ ଗଢ଼ିତୋଳାଯିବ ବୋଲି ସେ ଘୋଷଣା କରିଛନ୍ତି। ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ କେବଳ ଜଣେ ବ୍ୟକ୍ତି ନୁହେଁ, ବରଂ ଏକ ମହାନ ଆଦର୍ଶ, ଅନୁଷ୍ଠାନ ଓ ସନାତନ ଧର୍ମର ମାର୍ଗଦର୍ଶକ ଥିଲେ। ସୁଖ-ସୁବିଧା ତ୍ୟାଗ କରି କନ୍ଧମାଳର ଦୁର୍ଗମ ଅଞ୍ଚଳରେ ରହି ସେ ବନବାସୀଙ୍କ ସେବାରେ ଜୀବନ ଉତ୍ସର୍ଗ କରିଥିଲେ। ଚକାପାଦ ଓ ଜଲେଶପଟ୍ଟା ଆଶ୍ରମ ଏବଂ କନ୍ୟା ଗୁରୁକୁଳ ପ୍ରତିଷ୍ଠା କରି ବନବାସୀ କନ୍ୟାମାନଙ୍କୁ ଶିକ୍ଷା ଓ ସଂସ୍କାରରେ ସ୍ୱାବଲମ୍ବୀ କରିଥିଲେ ବୋଲି ସେ କହିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ, ସ୍ୱାମୀଜୀଙ୍କ ଦ୍ୱାରା ବୁଣାଯାଇଥିବା ସଂସ୍କୃତିର ମଞ୍ଜି ଆଜି ମହାଦ୍ରୁମରେ ପରିଣତ ହୋଇଛି। ସ୍ୱାମୀଜୀଙ୍କୁ ସମାଜର ‘ଗୁରୁ, ଗ୍ରନ୍ଥ ଏବଂ ଗରିମା’ ଭାବେ ସେ ଅଭିହିତ କରିଥିଲେ। ସ୍ୱାମୀଜୀଙ୍କ ତ୍ୟାଗ ଓ ସେବାକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଏକାଧିକ ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଫୁଲବାଣୀ ସରକାରୀ ମେଡିକାଲ କଲେଜକୁ ‘ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ମେଡିକାଲ କଲେଜ’ ଭାବେ ନାମିତ କରାଯାଇଛି। ସେହିପରି ଜଲେଶପଟ୍ଟା ଆଶ୍ରମ, ଆଶ୍ରମ ସ୍କୁଲ ଓ କନ୍ୟାଶ୍ରମର ବିକାଶ ଏବଂ ଐତିହ୍ୟ ସଂରକ୍ଷଣ ପାଇଁ ‘ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା’ (CMSA) ପାଣ୍ଠିରୁ ୧୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରୁ ୫ କୋଟି ଟଙ୍କା ବ୍ୟୟରେ ଛାତ୍ରୀମାନଙ୍କ ପାଇଁ ୩୦୦ ଆସନ ବିଶିଷ୍ଟ ଛାତ୍ରୀ ନିବାସ ନିର୍ମାଣ କରାଯିବ। ଐତିହ୍ୟ ସ୍ଥଳର ସଂରକ୍ଷଣ ଏବଂ ପାନୀୟ ଜଳ ଯୋଗାଣ ପାଇଁ ମେଗା ରିଭର ଲିଫ୍ଟ ପ୍ରକଳ୍ପ ମଧ୍ୟ କାର୍ଯ୍ୟକାରୀ କରାଯିବ।

୨୦୦୮ ମସିହା ଜନ୍ମାଷ୍ଟମୀ ରାତିରେ ସ୍ୱାମୀଜୀଙ୍କ ହତ୍ୟାକାଣ୍ଡକୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ ତତ୍କାଳୀନ ସରକାରଙ୍କ ବିଫଳତା, ଅବହେଳା ଓ ତୁଷ୍ଟୀକରଣ ରାଜନୀତିକୁ ସମାଲୋଚନା କରିଥିଲେ। ତଦନ୍ତ ପାଇଁ ଗଠିତ ଜଷ୍ଟିସ୍ ମହାପାତ୍ର କମିଶନ ଓ ଜଷ୍ଟିସ୍ ନାଇଡୁ କମିଶନଙ୍କ ରିପୋର୍ଟ ଏବଂ ଫାଇଲ ଲୋକସେବା ଭବନରୁ ଗାଏବ ହେବା ନେଇ ସେ ଗୁରୁତର ଅଭିଯୋଗ ଆଣିଥିଲେ। ଏହି ମଞ୍ଚରୁ ଓଡ଼ିଶାବାସୀଙ୍କୁ ଆଶ୍ୱାସନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍ୱାମୀଜୀଙ୍କ ହତ୍ୟାକାଣ୍ଡରେ ନ୍ୟାୟ ନିଶ୍ଚିତ ମିଳିବ ଏବଂ ସତ୍ୟର ଉନ୍ମୋଚନ କରାଯିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାମୀଜୀଙ୍କ ସେବା ଓ ସନାତନୀ ନିଷ୍ଠାକୁ ସମ୍ମାନ ଜଣାଇ ଆସିଥିବା ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ‘ସବ୍କା ସାଥ୍, ସବ୍କା ବିକାଶ’ ଆଦର୍ଶରେ ସ୍ୱାମୀଜୀଙ୍କ ଅନ୍ତ୍ୟୋଦୟ ବିଚାରଧାରା ନିହିତ ରହିଛି। Gen Z ସମେତ ଯୁବପିଢ଼ି ନିଜର ମୂଳ ଶିକ୍ଷା, ସଂସ୍କୃତି, ବେଦ, ସଂସ୍କୃତ, ଗୋ-ସଂରକ୍ଷଣ ଓ ପରମ୍ପରା ସହ ଯୋଡ଼ିହୋଇ ଦେଶଭକ୍ତି ଓ ସାହସର ସହ ସମାଜ ଗଠନରେ ଅଂଶଗ୍ରହଣ କରିବାକୁ ସେ ଆହ୍ୱାନ ଦେଇଥିଲେ। ବାଚସ୍ପତି ସୁରମା ପାଢ଼ୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଆଧ୍ୟାତ୍ମିକ ଓ ସାମାଜିକ ଅବଦାନକୁ ସ୍ମରଣ କରି ତାଙ୍କ ଆଦର୍ଶରେ ଚାଲିବାକୁ ଆହ୍ୱାନ ଦେଇଥିଲେ। ଯୁବ ସମାଜ ନିଜର ମୂଳ ଶିକ୍ଷା, ନୈତିକତା ଓ ସଂସ୍କୃତିକୁ ସୁରକ୍ଷିତ ରଖିବା ପାଇଁ ସ୍ୱାମୀଜୀଙ୍କ ତ୍ୟାଗରୁ ପ୍ରେରଣା ନେବା ଆବଶ୍ୟକ ବୋଲି ସେ କହିଥିଲେ।
ସମାରୋହରେ ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଗୁରୁଜାଙ୍ଗକୁ ‘ଐତିହ୍ୟ ଗ୍ରାମ’ ଓ ଗୁରୁଜାଙ୍ଗ ପଞ୍ଚାୟତକୁ ‘ଆଦର୍ଶ ପଞ୍ଚାୟତ’ ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ପଦକ୍ଷେପ ସ୍ୱାମୀଜୀଙ୍କ ଅମର ସ୍ମୃତି ପ୍ରତି ଯଥାର୍ଥ ସମ୍ମାନ ଏବଂ ଏହା ଅଞ୍ଚଳର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଗୌରବକୁ ଆହୁରି ବଢ଼ାଇବ ବୋଲି ସେ କହିଥିଲେ। ଶ୍ରୀ ପ୍ରଧାନ କହିଥିଲେ ଯେ, ସ୍ୱାମୀଜୀ କେବଳ ଜଣେ ସନ୍ନ୍ୟାସୀ ନୁହେଁ, ବନବାସୀ ଅଞ୍ଚଳରେ ଶିକ୍ଷା, ସଂସ୍କାର ଓ ସାମାଜିକ ଜାଗରଣର ପୁରୋଧା ଥିଲେ। ଜଲେଶପଟ୍ଟା ଓ ଚକାପାଦ ଆଶ୍ରମ ମାଧ୍ୟମରେ ବନବାସୀ କନ୍ୟାମାନଙ୍କୁ ଶିକ୍ଷା ଓ ନୈତିକ ମୂଲ୍ୟବୋଧରେ ଦୀକ୍ଷିତ କରି ସେ ଏକ ସାମାଜିକ ପରିବର୍ତ୍ତନର ଆରମ୍ଭ କରିଥିଲେ ବୋଲି ସେ ମତ ଦେଇଥିଲେ।
ମହୋତ୍ସବରେ ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ, ସାଂସଦ ରୁଦ୍ର ନାରାୟଣ ପାଣି, କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ, ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକଙ୍କ ସମେତ ବହୁ ସାଧୁସନ୍ଥ, ମାନ୍ୟଗଣ୍ୟ ଅତିଥି ଓ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।
