ଜାତୀୟ ରେକର୍ଡ ଭାଙ୍ଗିଲେ ତେଜସ
ଚଳିତ ବର୍ଷ ଜାତୀୟ ଫେଡେରେସନ କପ୍ରେ ତେଜସ ୧୩.୫୦ ସେକେଣ୍ଡ ସମୟ ସହ ସ୍ୱର୍ଣ୍ଣ ପଦକ ଜିତିଥିଲେ ଏବଂ ମିଟ୍ ରେକର୍ଡ ମଧ୍ୟ ସୃଷ୍ଟି କରିଥିଲେ

ନାସନାଲ ରେକର୍ଡ ଭାଙ୍ଗିଲେ ଭାରତର ଷ୍ଟାର ହର୍ଡଲର ତେଜସ ସିରସେ। ୧୩.୨୭ ସେକେଣ୍ଡରେ ୧୧୦ମିଟର ହର୍ଡଲସ ଅତିକ୍ରମ କଲେ। ଭାରତୀୟ ଆଥଲେଟିକ୍ସରେ ନୂଆ ଇତିହାସ ରଚିଲେ। ପଞ୍ଜାବ ଲୁଧିଆନାରେ ଇଣ୍ଡିଆନ ଆଥଲେଟିକ ସିରିଜ-୯ରେ ଏହି ରେକର୍ଡ ରଚିଲେ ୨୪ ବର୍ଷୀୟ ତେଜସ। ୨୪ ବର୍ଷୀୟ ତେଜସ ଶିର୍ସେ ପୂର୍ବରୁ ମଧ୍ୟ ଭାରତର ସବୁଠାରୁ ଦ୍ରୁତ ହର୍ଡଲର୍ ଭାବେ ପରିଚିତ ଥିଲେ। ସେ ୨୦୨୪ ମସିହାରେ ଫିନଲ୍ୟାଣ୍ଡରେ ୧୩.୪୧ ସେକେଣ୍ଡରେ ୧୧୦ ମିଟର ହର୍ଡଲ୍ସର ଜାତୀୟ ରେକର୍ଡ ସ୍ଥାପନ କରିଥିଲେ। ଏହି ପ୍ରଦର୍ଶନ ତାଙ୍କୁ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଚର୍ଚ୍ଚାରେ ଆଣିଥିଲା। ଚଳିତ ବର୍ଷ ଜାତୀୟ ଫେଡେରେସନ କପ୍ରେ ତେଜସ ୧୩.୫୦ ସେକେଣ୍ଡ ସମୟ ସହ ସ୍ୱର୍ଣ୍ଣ ପଦକ ଜିତିଥିଲେ ଏବଂ ମିଟ୍ ରେକର୍ଡ ମଧ୍ୟ ସୃଷ୍ଟି କରିଥିଲେ। ଏହାଛଡ଼ା ଚେନ୍ନାଇରେ ଆୟୋଜିତ ଇଣ୍ଡିଆନ ଆଥଲେଟିକ୍ସ ସିରିଜ୍-୬ରେ ୧୩.୪୩ ସେକେଣ୍ଡ ସମୟ ସହ ବିଜୟୀ ହୋଇ ନିଜର ଶ୍ରେଷ୍ଠ ଫର୍ମକୁ ପ୍ରମାଣ କରିଥିଲେ। ଆଘାତ ସମସ୍ୟାରୁ ଫେରିବା ପରେ ତେଜସଙ୍କ ଏହି ସଫଳତା ଅଧିକ ଗୁରୁତ୍ୱ ବହନ କରୁଛି। ବିଶ୍ୱ ମଞ୍ଚରେ ଭାରତର ପଦକ ଆଶାକୁ ସେ ଆହୁରି ମଜବୁତ କରିଛନ୍ତି। ତାଙ୍କର ଲକ୍ଷ୍ୟ ବର୍ତ୍ତମାନ ଏସିଆନ୍ ଓ ବିଶ୍ୱ ଚାମ୍ପିୟନସିପ୍ରେ ଭାରତ ପାଇଁ ବଡ଼ ସଫଳତା ଆଣିବା। ତେଜସ ଶିର୍ସେଙ୍କ ଏହି କୃତିତ୍ୱ ଭାରତୀୟ ଆଥଲେଟିକ୍ସ ପାଇଁ ଏକ ବଡ଼ ପ୍ରେରଣା ସାଜିଛି।
