Asian Games 2026: MMA ରେ ଭାରତର ପ୍ରଥମ ପଦକ ଜିତିଲେ ସୁଚିକା
ରିଙ୍ଗରେ ରେ ବରାବର ମୁକାବିଲା କଲାପରେ ମଧ୍ୟ ମାତ୍ର ୭୦୦ ଗ୍ରାମ୍ର କମ ଓଜନ କାରଣରୁ ଗୋଲ୍ଡ ମ୍ୟାଚ୍ରୁ ବଞ୍ଚିତ ସୁଚିକା ତାରିୟାଲ୍,କିନ୍ତୁ ଭାରତ ପାଇଁ ପ୍ରଥମ MMA ବ୍ରୋଞ୍ଜ ପଦକ ଜିତି ମଧ୍ୟ କାନ୍ଦି ପକାଇଲେ ସୁଚିକା।ଏହା ଭାରତୀୟଙ୍କ ଆତ୍ମବିଶ୍ୱାସକୁ ବଢାଇଛି।
ଜାପାନ ର ଆଇଚି-ନାଗୋୟା ଠାରେ ଆୟୋଜିତ ୨୦୨୬ ଏସିଆନ୍ ଗେମ୍ସରେ ଭାରତର ଝିଅ ସୁଚିକା ତାରିୟାଲ୍ ମିକ୍ସଡ୍ ମାର୍ଶାଲ୍ ଆର୍ଟସ୍ (MMA) ର ମହିଳା ୬୦ କିଲୋଗ୍ରାମ୍ ବର୍ଗରେ ବ୍ରୋଞ୍ଜ ପଦକ ଜିତି ଦେଶ ପାଇଁ ଏକ ଐତିହାସିକ ସଫଳତା ଆଣିଦେଇଛନ୍ତି। ଏସିଆନ୍ ଗେମ୍ସ ଇତିହାସରେ MMA ଖେଳରେ ଏହା ଭାରତର ସର୍ବପ୍ରଥମ ପଦକ। ତେବେ ସୋମବାର ଦିନ ଖେଳାଯାଇଥିବା ଏହି ସେମିଫାଇନାଲ୍ ମୁକାବିଲା ଅତ୍ୟନ୍ତ ନାଟକୀୟ ଏବଂ ଭାବପୂର୍ଣ୍ଣ ଥିଲା। ମ୍ୟାଚ୍ରେ ସିଙ୍ଗାପୁରର ହୁଇ ହୁନ୍ ଟେଓଙ୍କ ସହ ସୁଚିକାଙ୍କର କଡ଼ା ମୁକାବିଲା ହୋଇଥିଲା। ତିନି ରାଉଣ୍ଡ ଏବଂ ଏକ ମିନିଟ ଅତିରିକ୍ତ ରାଉଣ୍ଡର ଜୋରଦାର ଫାଇଟ ପରେ ମ୍ୟାଚ୍ଟି ଡ୍ର' (Draw) ରହିଥିଲା। କିନ୍ତୁ ଫାଇନାଲ ରେ କିଏ ଜିତିବ ରିଙ୍ଗ୍ର ଲଢ଼େଇ ଉପରେ ନୁହେଁ, ବରଂ ସକାଳର ଓଜନ (Weigh-in) ଉପରେ ନିର୍ଣ୍ଣୟ କରାଯାଇଥିଲା। ସିଙ୍ଗାପୁରର ପ୍ରତିଯୋଗୀ ସୁଚିକାଙ୍କ ଅପେକ୍ଷା ମାତ୍ର ୭୦୦ ଗ୍ରାମ୍ ହାଲୁକା ଥିବାରୁ ତାଙ୍କୁ ବିଜେତା ଘୋଷଣା କରାଯାଇଥିଲା, ଫଳରେ ସୁଚିକାଙ୍କୁ ଫାଇନାଲରେ ପ୍ରବେଶ ଓ ବ୍ରୋଞ୍ଜ ପଦକ ରେ ସନ୍ତୁଷ୍ଟ ହେବାକୁ ପଡିଥିଲା, ଯାହା ସୁଚିକାଙ୍କ ଆଖିରୁ ଲୁହ ଝରାଇଦେଇଥିଲା। ତେବେ ତାଙ୍କର ଏହି ଉପଲବ୍ଧି କୌଣସି ସାଧାରଣ ପ୍ରତିଯୋଗିତା ପାଇଁ ନୁହଁ ବରଂ ୧୨ ବର୍ଷ ବୟସରେ ନିଜ ଆତ୍ମରକ୍ଷା ପାଇଁ ଜୁଡୋରୁ ଖେଳ ଜୀବନ ଆରମ୍ଭ କରିଥିବା ହରିୟାଣାର ଏହି ୩୬ ବର୍ଷୀୟା ଆଥଲେଟ୍ ଆଜି ନିଜର ଦୃଢ଼ ଇଚ୍ଛାଶକ୍ତି ବଳରେ ଏସିଆନ୍ ଗେମ୍ସ ପୋଡିୟମ୍ରେ ପହଞ୍ଚିଛନ୍ତି। ମାତ୍ର ୭୦୦ ଗ୍ରାମର ମାମୁଲି ଅନ୍ତର ସୁଚିକାଙ୍କୁ ସ୍ୱର୍ଣ୍ଣ ପଦକରୁ ଦୂରେଇ ଦେଇଥାଇପାରେ, କିନ୍ତୁ MMA ର ପ୍ରଥମ ପଦକ ଜିତି ବିଶ୍ୱ ଦରବାରରେ ସେ ସମଗ୍ର ଭାରତକୁ ଗର୍ବିତ କରିଛନ୍ତି।
