Teacher's transfer:ଶିକ୍ଷକ ବଦଳି ବିରୋଧରେ ସ୍କୁଲ ଫାଟକରେ ତାଲା
ନିଜର ଦୁଇ ଜଣ ପ୍ରିୟ ଶିକ୍ଷକଙ୍କ ଅନ୍ୟତ୍ର ବଦଳି ଆଦେଶକୁ ବିରୋଧ କରି ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବିଦ୍ୟାଳୟ ଗେଟ୍ରେ ତାଲା ପକାଇ ଧାରଣାରେ ବସିଲେ | ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମକୁଆକାଟେଣୀ ପଞ୍ଚାୟତ ଖଜୁରିଆ ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ସାମ୍ନାକୁ ଆସିଛି ଏହି ମାମଲା |

ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମକୁଆକାଟେଣୀ ପଞ୍ଚାୟତ ଖଜୁରିଆ ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ବଦଳିକୁ ନେଇ ଅସନ୍ତୋଷ। ଦୁଇଜଣ ଶିକ୍ଷକଙ୍କ ଅନ୍ୟତ୍ର ବଦଳିକୁ ବିରୋଧ କରି ବିଦ୍ୟାଳୟ ଫାଟକରେ ତାଲା ପକାଇ ଆନ୍ଦୋଳନରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ। ଓଡ଼ିଶାର ଗ୍ରାମାଞ୍ଚଳ ଶିକ୍ଷା ବ୍ୟବସ୍ଥାରେ ଥିବା ଶିକ୍ଷକ ସଙ୍କଟର ବାସ୍ତବ ଚିତ୍ର ପୁଣି ଥରେ ପଦାରେ ପଡିଛି। ଶିଶୁ ବାଟିକାଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଏହି ବିଦ୍ୟାଳୟରେ ମୋଟ ୧୪୮ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ରହିଛନ୍ତି ମାତ୍ର ୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀ। ଏଭଳି ସ୍ଥିତିରେ ଦୁଇଜଣଙ୍କ ବଦଳି ହେଲେ ପାଠପଢ଼ା ପ୍ରଭାବିତ ହେବା ଆଶଙ୍କା କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ। ଖବର ପାଇ ଘଟଣାସ୍ଥଳରେ ବ୍ଲକ ଶିକ୍ଷାଧିକାରୀ ସାଗର ଟୁଡୁ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ପରେ ଆନ୍ଦୋଳନରୁ ଉଠିଥିଲେ ଛାତ୍ରଛାତ୍ରୀ ଓ ଅଭିଭାବକ l ବ୍ଲକ ଶିକ୍ଷାଧିକାରୀଙ୍କ ହସ୍ତକ୍ଷେପ ପରେ ସାମୟିକ ଭାବେ ଆନ୍ଦୋଳନ ଥମିଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇନାହିଁ। ଯଦି ସରକାରୀ ନିୟମ ଅନୁସାରେ ଏହି ଦୁଇ ଶିକ୍ଷକ ଅନ୍ୟତ୍ର ଚାଲିଯାଆନ୍ତି, ତେବେ ଖଜୁରିଆ ସ୍କୁଲରେ ତୁରନ୍ତ ବିକଳ୍ପ ଶିକ୍ଷକ ନିଯୁକ୍ତ ହେବେ କି ନାହିଁ, ତାହା ଉପରେ ଏବେ ସମଗ୍ର ଜିଲ୍ଲା ଶିକ୍ଷା ବିଭାଗର ଦୃଷ୍ଟି ରହିଛି। ସେପଟେ ଶିକ୍ଷକ ବଦଳି ହେଉଛି ଏକ ପ୍ରକ୍ରିୟା ତେଣୁ ସରକାରଙ୍କ ନୀତି ନିୟମ ଅନୁଯାୟୀ କରାଯାଉଛି ବୋଲି କହିଛନ୍ତି ସ୍ଥାନୀୟ ସମାଜସେବୀ l ତେବେ ଶିକ୍ଷକ ବଦଳିକୁ ନେଇ ଦେଖାଦେଇଥିବା ଏହି ଅସନ୍ତୋଷର ସମାଧାନ କିପରି ହେଉଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର।

