ଟାଟା ଷ୍ଟିଲ୍ ମେରାମଣ୍ଡଳୀ ସମ୍ପ୍ରସାରଣ ପାଇଁ ଜନ ଶୁଣାଣି ।
ଟାଟା ଷ୍ଟିଲ୍ ବିସ୍ତାର ପ୍ରକଳ୍ପ: ବଅଁରପାଳ ବ୍ଲକରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀର ପ୍ରସ୍ତାବିତ ସମ୍ପ୍ରସାରଣ ପ୍ରକଳ୍ପର ପରିବେଶ ମଞ୍ଜୁରୀ ପାଇଁ ଜନ ଶୁଣାଣି କାର୍ଯ୍ୟକ୍ରମ । ଶିକ୍ଷା, ସ୍ୱାସ୍ଥ୍ୟ ସେବା, ଦକ୍ଷତା ବିକାଶ, ଜୀବିକା ନିର୍ବାହ, ପାନୀୟ ଜଳ, କ୍ରୀଡ଼ା ଏବଂ ଭିତ୍ତିଭୂମି ଉପରେ ଗୁରୁତ୍ୱ ।
ଅନୁଗୋଳ ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଓଏସ୍ପିସିବି)ଙ୍କ ତତ୍ତ୍ୱାବଧାନରେ ଆଜି ଅନୁଗୋଳ ବଅଁରପାଳ ବ୍ଲକ ଅନ୍ତର୍ଗତ ନୁଆହତା ଗ୍ରାମଠାରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀର ପ୍ରସ୍ତାବିତ ସମ୍ପ୍ରସାରଣ ପ୍ରକଳ୍ପର ପରିବେଶ ମଞ୍ଜୁରୀ ପାଇଁ ଜନ ଶୁଣାଣି ସଫଳତାର ସହ ଶେଷ ହୋଇଛି। ଏଥିରେ ଅନୁଗୋଳର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଉଦୟ କୁମାର ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଅନୁଗୋଳର ଆଞ୍ଚଳିକ ଅଧିକାରୀ ଡଃ ରମେଶ କୁମାର ଏକ୍କାଙ୍କ ସମେତ ଜିଲ୍ଲା ପ୍ରଶାସନର ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ। ଏହି ପ୍ରକ୍ରିୟାରେ ସ୍ଥାନୀୟ ବାସିନ୍ଦା, ଜନପ୍ରତିନିଧି ଏବଂ ବିଭିନ୍ନ ବୁଦ୍ଧିଜୀବୀ ଅଂଶଗ୍ରହଣ କରିଥିଲେ। ଜନ ଶୁଣାଣି ଅବସରରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀର ବରିଷ୍ଠ ପ୍ରତିନିଧି ପ୍ରକଳ୍ପ ଓ ନିର୍ମାଣ ବିଭାଗ ମୁଖ୍ୟ ଶ୍ରୀ ବିଭାସ ପଟ୍ଟନାୟକ ପ୍ରସ୍ତାବିତ ସମ୍ପ୍ରସାରଣ ପ୍ରକଳ୍ପର ବିସ୍ତୃତ ବିବରଣୀ ଉପସ୍ଥାପନ କରିବା ସହ କମ୍ପାନୀର ଦୀର୍ଘସ୍ଥାୟୀ କାର୍ଯ୍ୟକ୍ରମ, ପରିବେଶ ପରିଚାଳନା ବ୍ୟବସ୍ଥା ଏବଂ ଗୋଷ୍ଠୀ ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। କମ୍ପାନୀର କର୍ପୋରେଟ ସେବା ବିଭାଗ ମୁଖ୍ୟ ଶ୍ରୀ ଶୁଭ୍ରାଂଶୁ ଶେଖର ପଣ୍ଡା ଉପସ୍ଥିତ ଲୋକମାନଙ୍କ ମତାମତ ଉପରେ କମ୍ପାନୀର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ । ଏହି ସମ୍ପ୍ରସାରଣ ଏକ ପ୍ରମୁଖ ଇସ୍ପାତ ଉତ୍ପାଦନ କେନ୍ଦ୍ର ଭାବରେ ଓଡ଼ିଶାର ସ୍ଥିତିକୁ ଆହୁରି ସୁଦୃଢ଼ କରିବ । ଦୀର୍ଘସ୍ଥାୟୀତ୍ୱ ଏବଂ ଦକ୍ଷ ସମ୍ବଳ ପରିଚାଳନାକୁ ସମ୍ପ୍ରସାରଣର ଡିଜାଇନ୍ରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହି ସମ୍ପ୍ରସାରଣ ପ୍ରକଳ୍ପ ଦ୍ୱାରା ନିର୍ମାଣ ସମୟରେ ଏବଂ ପ୍ରକଳ୍ପ ଶେଷ ହେବା ପରେ ମଧ୍ୟ ଉଲ୍ଲେଖନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି । ଶିକ୍ଷା, ସ୍ୱାସ୍ଥ୍ୟ ସେବା, ଦକ୍ଷତା ବିକାଶ, ଜୀବିକା ନିର୍ବାହ, ପାନୀୟ ଜଳ, କ୍ରୀଡ଼ା ଏବଂ ଭିତ୍ତିଭୂମି ସମ୍ପର୍କିତ ବିଷୟ ଗୁଡ଼ିକ ଉପରେ ଗୁରୁତ୍ୱ ଦେବା ସହ ଗୋଷ୍ଠୀ ବିକାଶ କ୍ଷେତ୍ରରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ବିଭିନ୍ନ କାର୍ଯ୍ୟ ଜାରି ରହିବ ।
ରିପୋର୍ଟ- ସୁମନାଥ ଵେହେରା
