ତାମିଲନାଡୁ ଗ୍ୟାସ୍ ଲିକ୍: ମୃତ ଓଡ଼ିଆ ଶ୍ରମିକଙ୍କୁ ୧୦ ଲକ୍ଷ ସହାୟତା।
ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣା। ମୃତ ଓଡ଼ିଆ ଶ୍ରମିକଙ୍କ ପାଇଁ ସହାୟତା ରାଶିକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ ମୃତ ଓଡ଼ିଆ ଶ୍ରମିକଙ୍କ ପାଇଁ ସହାୟତା ରାଶିକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ପୂର୍ବରୁ ପ୍ରତି ମୃତ ଶ୍ରମିକଙ୍କ ପରିବାରକୁ CMRF ରୁ ୪ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ପରେ ଆଜି ଏହାକୁ ବୃଦ୍ଧି କରି ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ସୂଚନା ଅନୁସାରେ, ଗତ ରବିବାରରେ ତାମିଲନାଡୁର ତିରୁଭାଲୁର ଜିଲ୍ଲାର ପେରିୟାପାଲାୟମ୍ ନିକଟସ୍ଥ କନ୍ନିଗାଇପେୟାରଠାରେ ଥିବା ଏକ ସି ଫୁଡ୍ ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ୍ ହୋଇଥିଲା। ତେବେ ଭୟଙ୍କର ଆମୋନିଆ ଗ୍ୟାସ୍ ଲିକ୍ ହୋଇ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ଓଡ଼ିଶାର ୭ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଏବେବି ୪ଜଣ ଓଡ଼ିଆ ଶ୍ରମିକ ଗୁରୁତର ଅବସ୍ଥାରେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ଦୁର୍ଘଟଣା ଦିନ ଘଟଣାସ୍ଥଳରେ ଏନଡିଆରଏଫ୍ ବାହିନୀ ସ୍ବତନ୍ତ୍ର ସୁରକ୍ଷା ପୋଷାକ ସହିତ କମ୍ପାନୀ ପରିସରରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଉକ୍ତ କମ୍ପାନୀରେ ଓଡ଼ିଶା, ଆସାମ ଓ ଝାଡଖଣ୍ଡର ପ୍ରାୟ ୧୨୦ଜଣ ଶ୍ରମିକ ରହି କାମ କରୁଥିଲେ। ରବିବାର ଛୁଟି ଦିନ ସତ୍ତ୍ବେ କର୍ମଚାରୀମାନେ କମ୍ପାନୀ ପରିସରରେ ରହିଥିଲେ। ତେଣୁ ଗ୍ୟାସ୍ ଲିକ୍ ପ୍ରଭାବରେ କର୍ମଚାରୀମାନେ ପ୍ରାଣ ହରାଇଛନ୍ତି। ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ରୁ ଆମୋନିଆ ଗ୍ରାସ୍ ଲିକ୍ ହୋଇ ଚାରିଆଡକୁ ବ୍ୟାପୀ ଯାଇଥିଲା।
