Supply Department Delay:ଯୋଗାଣ ବିଭାଗରେ ଅବ୍ୟବସ୍ଥା ଅଭିଯୋଗ,ରେସନ କାର୍ଡ ପାଇଁ ହିତାଧିକାରୀ ହନ୍ତସନ୍ତ
ସରକାରୀ ସୁବିଧା ପାଇବାରୁ ଏବେମଧ୍ୟ ବାଦ୍ ପଡୁଛନ୍ତି କିଛି ଗ୍ରାମାଞ୍ଚଳର ହିତାଧିକାରୀମାନେ | ରାସନ୍ କାର୍ଡ ଭଳି ଜରୁରୀ ସୁବିଧା ପାଇଁ ମଧ୍ୟ ବାରମ୍ବାର ସରକାରୀ କାର୍ଯ୍ୟାଳୟର ଚକ୍କର ଲଗାଇବାକୁ ପଡୁଛି | ବାସୁଦେବପୁର ବ୍ଲକ ର ବିଭିନ୍ନ ପଞ୍ଚାୟତର ର ହିତାଧିକାରୀମାନଙ୍କର ମଧ୍ୟ ସମାନ ସ୍ଥିତି | ରାସନ୍ କାର୍ଡ ତ ମିଳୁନି ବରଂ “ଆଜି ଆସନ୍ତୁ”, “କାଲି ଆସନ୍ତୁ” ଶୁଣିବାକୁ ପଡୁଛି |

ଭଦ୍ରକ/ବାସୁଦେବପୁର:ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅଞ୍ଚଳରେ ଖାଦ୍ୟ ସୁରକ୍ଷା ଯୋଜନାରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ପ୍ରଶାସନିକ ବିଳମ୍ବ ଏବଂ ପଦ୍ଧତିଗତ ଅପଡେଟ୍ ଯୋଗୁଁ ହଇରାଣ ହେଉଛନ୍ତି ବାସୁଦେବପୁର ବ୍ଲକର ଅନେକ ଯୋଗ୍ୟ ହିତାଧିକାରୀ। ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତର ଶତାଧିକ ଗରିବ ହିତାଧିକାରୀ ନୂଆ ରେସନ କାର୍ଡ ଖଣ୍ଡିଏ ପାଇଁ ବାରମ୍ବାର ସ୍ଥାନୀୟ ଯୋଗାଣ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଅନେକ ଯୋଗ୍ୟ ଗରିବ ପରିବାର ଚାଉଳ ମୁଠିଏ ନପାଇ ଅତି କଷ୍ଟରେ ଦିନ କାଟୁଛନ୍ତି। ହିତାଧିକାରୀଙ୍କ ଅଭିଯୋଗ ଅନୁସାରେ,ସେମାନେ ଦୀର୍ଘ ଦିନ ହେବ କାର୍ଡ ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ସରକାରୀ ବାବୁମାନଙ୍କ ପାଖକୁ ଯାଉଛନ୍ତି। କିନ୍ତୁ ସେମାନଙ୍କର ଅଭିଯୋଗ ଶୁଣିବା ବଦଳରେ କାର୍ଯ୍ୟାଳୟର କର୍ମଚାରୀମାନେ କେତେବେଳେ “ଆଜି ଆସନ୍ତୁ” ତ ଆଉ କେତେବେଳେ “କାଲି ଆସନ୍ତୁ” କହି ଦିନ ଗଡ଼ାଇ ଚାଲିଛନ୍ତି। ବାସୁଦେବପୁର ଯୋଗାଣ ବିଭାଗର ଏଭଳି ଉଦାସୀନ ମନୋଭାବ ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଏହି ସମସ୍ୟା ମୁଖ୍ୟତଃ ରାଜ୍ୟବ୍ୟାପୀ ଏକ ବାଧ୍ୟତାମୂଳକ ଆଧାର ଇ-କେୱାଇସି ବୈଧତା ପ୍ରକ୍ରିୟା ସହିତ ଅଯୋଗ୍ୟ କାର୍ଡଧାରୀଙ୍କୁ ଫିଲ୍ଟର କରିବା ପାଇଁ ଓଡ଼ିଶା ଖାଦ୍ୟ ଯୋଗାଣ ଏବଂ ଗ୍ରାହକ କଲ୍ୟାଣ ବିଭାଗ ଦ୍ୱାରା କଠୋର, ଚାଲୁଥିବା ଯାଞ୍ଚ ଅଭିଯାନରୁ ସୃଷ୍ଟି ହୋଇଛି। ଫଳସ୍ୱରୂପ, ଅନେକ ନୂତନ କିମ୍ବା ବିଚାରାଧୀନ ଆବେଦନ ବ୍ଲକ ସ୍ତରରେ ପ୍ରଶାସନିକ ବାଧା ସୃଷ୍ଟି କରିଛି। ତେବେ,ତୁରନ୍ତ ଉପରିସ୍ଥ ପ୍ରଶାସନିକ ଅଧିକାରୀ ଏହି ମାମଲାରେ ହସ୍ତକ୍ଷେପ କରି ଯୋଗ୍ୟ ହିତାଧିକାରୀଙ୍କୁ ରେସନ କାର୍ଡ ପ୍ରଦାନ ନକଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
