ମଞ୍ଜି ବିକ୍ରିକୁ ନେଇ ହରଡ଼ଘଣାରେ ସୂର୍ଯ୍ୟମୁଖୀ ଚାଷୀ
ଅମଳ ପରେ ମଞ୍ଜି ଵିକ୍ରୀ ନେଇ ଚିନ୍ତାରେ ଵାସୁଦେଵପୁରର ସୂର୍ଯ୍ୟମୁଖୀ ଚାଷୀ । ୫୦ କେଜି ବସ୍ତାରେ ଅମଳ ମଞ୍ଜି ଧରୁ ନଥିବାରୁ ନେଵାକୁ ମନା କରୁଛି କ୍ରୟକାରୀ ସଂସ୍ଥା । ଋଣ ପରିଶୋଧକୁ ନେଇ ଚିନ୍ତାରେ ଚାଷୀ। ଵିଧାୟକ କହିଲେ ଶୀଘ୍ର ହେଵ ସମସ୍ଯାର ସମାଧାନ ।

ବାସୁଦେବପୁର: ସୂର୍ଯ୍ୟମୁଖୀ ଏକ ଲାଭଜନକ ତୈଳବିଜ ଫସଲ। ଓଡ଼ିଶାରେ ଏହା ମୁଖ୍ୟତଃ ରବି ଋତୁରେ ଚାଷ କରାଯାଏ। କିନ୍ତୁ ଭଦ୍ରକ ଜିଲ୍ଲାରେ ସରକାରୀ ବିହନ ନେଇ ହରଡ଼ଘଣାରେ ପଡ଼ିଛନ୍ତି ସୂର୍ଯ୍ୟମୁଖୀ ଚାଷୀ। ସରକାର ପକ୍ଷରୁ ବିହନ ଯୋଗାଇ ଦିଆଯାଇଥିଲେ ମଧ୍ୟ ଅମଳ ପରେ ସେହି ମଞ୍ଜି କିଣିବାକୁ ଅମଙ୍ଗ ହେଉଛି କ୍ରୟକାରୀ ସଂସ୍ଥା। ଫଳରେ ମାସ ମାସ ଧରି ମଞ୍ଜି ଅମଳ କରି ମଧ୍ୟ ବିକ୍ରି କରିପାରୁ ନଥିବାରୁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ସୂଚନା ଅନୁଯାୟୀ, ବାସୁଦେବପୁର ବ୍ଲକର ନୂଆଗାଁ, ଇରମ, ଉହାଡ଼, କୁମାରପୁର ଓ ଚୂଡ଼ାମଣୀ ସମେତ ବିଭିନ୍ନ ଅଞ୍ଚଳରେ ସୂର୍ଯ୍ୟମୁଖୀ ଚାଷ କରାଯାଏ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସରକାରଙ୍କ ପକ୍ଷରୁ ବିହନ ଯୋଗାଇ ଦିଆଯାଇଥିଲା। ହେଲେ ଏହି ବିହନରୁ ଉତ୍ପାଦିତ ମଞ୍ଜି ୫୦ କେଜି ବସ୍ତାରେ ଧରୁ ନଥିବାରୁ କ୍ରୟକାରୀ ସଂସ୍ଥା ତାହା ନେବାକୁ ମନା କରୁଛି।
ଚାଷୀଙ୍କ ଅଭିଯୋଗ ଅନୁସାରେ, ବଜାରରୁ କିଣାଯାଇଥିବା ବିହନର ମଞ୍ଜି ୫୦ କେଜି ବସ୍ତାରେ ସଠିକ୍ ଭାବେ ଧରୁଛି, କିନ୍ତୁ ସରକାରୀ ବିହନରେ ଏହି ସମସ୍ୟା ଦେଖାଦେଇଛି। ୨୪ ଜଣ ଚାଷୀଙ୍କଠାରୁ ୧୪୭ କ୍ୱିଣ୍ଟାଲ ମଞ୍ଜି କ୍ରୟ କରାଯାଇଥିଲେ ମଧ୍ୟ ତାହା ସରକାରୀ ଗୋଦାମକୁ ପଠାଯାଇପାରୁ ନାହିଁ। ଚଳିତ ବର୍ଷ ୨୦୦ ଏକରରୁ ଅଧିକ ଜମିରେ ସୂର୍ଯ୍ୟମୁଖୀ ଚାଷ ହୋଇଥିବା ବେଳେ ୬୮ ଜଣ ଚାଷୀଙ୍କ ଅନଲାଇନ ପଞ୍ଜୀକରଣ ସରିଛି, ଆଉ ଅନେକଙ୍କ ପଞ୍ଜୀକରଣ ବାକି ରହିଛି। ମଞ୍ଜି ବିକ୍ରି ହୋଇପାରୁ ନଥିବାରୁ ଋଣ ପରିଶୋଧକୁ ନେଇ ଚିନ୍ତାରେ ଚାଷୀ।
ଅନ୍ୟପଟେ, ଚାଷୀଙ୍କ ସମସ୍ୟା ସମ୍ପର୍କରେ ଖବର ପାଇ ବିଧାୟକ ଅଶୋକ ଦାସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଚାଷୀମାନେ ତାଙ୍କୁ ଏକ ଲିଖିତ ଦରଖାସ୍ତ ପ୍ରଦାନ କରିଥିଲେ। ଚାଷୀଙ୍କ ସମସ୍ୟାର ଶୀଘ୍ର ସମାଧାନ ପାଇଁ ବିଧାୟକ କୃଷି ବିଭାଗକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ କରିଛନ୍ତି। ସେପଟେ ଘଟଣା ସମ୍ପର୍କରେ କୃଷି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି । ତେବେ ଦେଖିବାକୁ ବାକି ରହିଲା ସରକାର କେବେ ଚାଷୀଙ୍କ ଏହି ସମସ୍ୟାର ସମାଧାନ କରୁଛନ୍ତି।
