Student Attack: ଛାତ୍ରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ବସ୍ତା ଘୋଡ଼ା ହୋଇ ନର୍ଦ୍ଦମାରୁ ଉଦ୍ଧାର, ୨ଟି ମାମଲା ରୁଜୁ
ଭୋଗରାଇ ତାଳସାରି ସାମୁଦ୍ରିକ ଥାନା ଅଞ୍ଚଳରେ +୨ ଛାତ୍ର ପ୍ରତାପ ପଟ୍ଟାୟତଙ୍କୁ ମାଡ଼ ମାରି ବସ୍ତା ଘୋଡ଼ାଇ ନର୍ଦ୍ଦମା ପାଣିରେ ଫିଙ୍ଗି ଦିଆଯାଇଥିବା ପରିବାର ପକ୍ଷରୁ ଅଭିଯୋଗ। ପ୍ରତାପଙ୍କ ମାଆଙ୍କ ଅଭିଯୋଗରେ ୨୩୫/୨୬ ମାମଲା ରୁଜୁ ହୋଇଥିବା ବେଳେ, ଅନ୍ୟପକ୍ଷର ଅଭିଯୋଗରେ ୨୩୬/୨୬ ମାମଲା ରୁଜୁ ହୋଇଛି। ପୋଲିସ ଉଭୟ ଘଟଣାର ତଦନ୍ତ କରୁଛି।
ଭୋଗରାଇ: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ତାଳସାରି ସାମୁଦ୍ରିକ ଥାନା ଅଞ୍ଚଳରେ ଜଣେ +୨ ପ୍ରଥମ ବର୍ଷ ଛାତ୍ରଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗର ଶିକାର ଛାତ୍ର ହେଲେ ସୀମାନ୍ତ ସାହାବାଜିପୁର ଗ୍ରାମର ଅନୀଲ ପଟ୍ଟାୟତଙ୍କ ଏକମାତ୍ର ପୁଅ ପ୍ରତାପ ପଟ୍ଟାୟତ। ଘଟଣାକୁ ନେଇ ପୋଲିସ ଦୁଇଟି ପୃଥକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପ୍ରତାପ ସାହାବାଜିପୁରସ୍ଥିତ ଚନ୍ଦନେଶ୍ୱର ମହାବିଦ୍ୟାଳୟରେ +୨ ପ୍ରଥମ ବର୍ଷରେ ପଢ଼ୁଛନ୍ତି। ଅଭିଯୋଗ ଅନୁସାରେ, ଗଣେଶ ପୂଜା ଦେଖିବା ପାଇଁ ସେ ନିଜ ମାମୁଁ ବଳରାମ ପଟ୍ଟାୟତ ଓ ସହପାଠୀ ଶୁଭ ପଟ୍ଟାୟତ ଏବଂ ମୁନ୍ନା ବେହେରାଙ୍କ ସହ ଚନ୍ଦନେଶ୍ୱର ଆରକେ କୋଚିଂ ସେଣ୍ଟର ନିକଟକୁ ଯାଇଥିଲେ। ସନ୍ଧ୍ୟା ପ୍ରାୟ ୭ଟା ପର୍ଯ୍ୟନ୍ତ ସେ ଘରକୁ ଫେରିନଥିଲେ। ପରେ ପ୍ରତାପ ନିଜ ଘରକୁ ଫୋନ କରି ଉଦୟପୁର ସ୍କୁଲ ନିକଟରେ କେତେକ ଲୋକ ତାଙ୍କୁ ମାଡ଼ ମାରୁଥିବା କହିଥିଲେ। ତୁରନ୍ତ ଘଟଣାସ୍ଥଳକୁ ଆସିବା ପାଇଁ ମଧ୍ୟ ସେ ବାପା-ମାଆଙ୍କୁ କହିଥିବା ଅଭିଯୋଗ ହୋଇଛି। ପରିବାର ଲୋକେ ସେଠାରେ ପହଞ୍ଚି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ତାଙ୍କ ମୋବାଇଲ୍ ରିଂ ହେଉଥିଲେ ମଧ୍ୟ କେହି ଫୋନ୍ ରିସିଭ କରିନଥିଲେ। ଏହାପରେ ପରିବାର ଲୋକେ ଘଟଣାସ୍ଥଳ ନିକଟରେ ପ୍ରତାପଙ୍କ ସହପାଠୀ ଶୁଭଙ୍କୁ ପୋଖରୀ ପାଣିରେ ଦେଖିଥିବା ଦାବି କରିଛନ୍ତି। ଶୁଭ ଓ ମୁନ୍ନାଙ୍କ କହିବା ଅନୁସାରେ, ଦକ୍ଷିଣ ସରିଷା ଗାଁର ପାଞ୍ଚୁ ଗୋପାଳ ଦେ, ତାଙ୍କ ଭାଇ ସମ୍ଭୁନାଥ ଦେ ଓ ରାଜୁ ନାମକ ଜଣେ ଯୁବକ ସେମାନଙ୍କୁ ମାଡ଼ ମାରିବା ସହ ପ୍ରତାପଙ୍କୁ ଉଠାଇ ନେଇଯାଇଥିବା ସେମାନେ ପରିବାରକୁ ଜଣାଇଥିଲେ। ପରିବାର ଲୋକେ ଗ୍ରାମବାସୀଙ୍କ ସହ ପାଞ୍ଚୁ ଗୋପାଳ ଦେଙ୍କ ଘରକୁ ଯାଇ ପ୍ରତାପଙ୍କ ବିଷୟରେ ପଚାରିଥିଲେ। ସେଠାରେ ପ୍ରତାପ ଦୌଡ଼ି ପଳାଇଯାଇଥିବା କୁହାଯାଇଥିବା ଅଭିଯୋଗ ରହିଛି। ଏହାପରେ ପ୍ରତାପ ନିଖୋଜ ଥିବା ନେଇ ତାଙ୍କ ବାପା ସୋମବାର ରାତିରେ ତାଳସାରି ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାତିସାରା ଖୋଜାଖୋଜି କରିଥିଲେ ମଧ୍ୟ ପ୍ରତାପଙ୍କ ସନ୍ଧାନ ମିଳିନଥିଲା। ଶତାଧିକ ଗ୍ରାମବାସୀଙ୍କ ସହ ପୋଲିସ ଫୋର୍ସ ମଧ୍ୟ ସାରା ରାତି ଗାଁରେ ଜଗି ରହିଥିଲେ। ତେବେ ସକାଳେ ଦକ୍ଷିଣ ସରିଷା ଗାଁରେ ପାଞ୍ଚୁ ଗୋପାଳ ଦେଙ୍କ ଘର ପଛପଟ ଓ ବେନୁ ଦେଙ୍କ ବାସଭବନ ନିକଟରେ ଥିବା ଏକ ନର୍ଦ୍ଦମା ପାଣିରେ ବସ୍ତା ଘୋଡ଼ା ହୋଇ ପ୍ରତାପ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବା ପରିବାର ଓ ଗ୍ରାମବାସୀ ଦେଖିଥିବା କୁହାଯାଇଛି। ତାଙ୍କୁ ଉଦ୍ଧାର କରି ପାଣି ଢାଳି ଚେତା ଫେରାଇବା ପରେ ପୋଲିସ ତାଙ୍କୁ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପ୍ରତାପଙ୍କ ମାଆ ମମତା ପଟ୍ଟାୟତଙ୍କ ଲିଖିତ ଅଭିଯୋଗ ଆଧାରରେ ତାଳସାରି ସାମୁଦ୍ରିକ ଥାନା କେସ୍ ନମ୍ବର ୨୩୫/୨୬ରେ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷରେ, ସମ୍ଭୁନାଥ ଦେ ପାଲଟା ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ୪ ଜଣ ଛାତ୍ର ତାଙ୍କ କୁକୁଡ଼ା ଫାର୍ମ ନିକଟରେ ମଦ୍ୟପାନ କରୁଥିଲେ। ସେ ଓ ତାଙ୍କ ଭାଇ ପାଞ୍ଚୁ ଏହାକୁ ପ୍ରତିବାଦ କରିବାରୁ ଛାତ୍ରମାନେ ଗାଳିଗୁଲଜ ଓ ମାରପିଟ କରିଥିବା ସେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଆଧାରରେ ପୋଲିସ କେସ୍ ନମ୍ବର ୨୩୬/୨୬ରେ ଆଉ ଏକ ମାମଲା ରୁଜୁ କରିଛି। ଉଭୟ ପକ୍ଷର ଅଭିଯୋଗକୁ ନେଇ ତାଳସାରି ସାମୁଦ୍ରିକ ଥାନା ପୋଲିସ ତଦନ୍ତ ଜାରି ରଖିଛି। ଘଟଣାର ପ୍ରକୃତ କାରଣ ଏବଂ କିଏ କିପରି ଭାବେ ଘଟଣାରେ ସମ୍ପୃକ୍ତ, ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
