Makeup Side Effects: ମେକଅପ୍ ନ ଛଡ଼ାଇ ଶୋଇବା ହୋଇପାରେ ବିପଜ୍ଜନକ
ରାତିରେ ମେକଅପ୍ ନ ଛଡ଼ାଇ ଶୋଉଛନ୍ତି କି? ଜାଣନ୍ତୁ ତ୍ୱଚା ଓ ଆଖି ଉପରେ ପଡ଼ିପାରେ କେଉଁ ପ୍ରଭାବ।
ଭୁବନେଶ୍ୱର: ଆଜିର କର୍ମମୟ ଜୀବନରେ ସମୟର ଅଭାବ ଯୋଗୁଁ ବେଳେବେଳେ ମଣିଷ ନିଜ ପ୍ରତି ମଧ୍ୟ ଅବହେଳା କରିଥାଏ । ତେବେ ଦିନସାରା କାମ କିମ୍ବା ବ୍ୟସ୍ତତା ପରେ ଅନେକ ସମୟରେ ସାଧାରଣତଃ ମହିଳା ମାନେ ମେକଅପ୍ ନ ଛଡ଼ାଇ ସିଧା ଶୋଇ ପଡନ୍ତି । କେବେ କେବେ ଏହା ଅଭ୍ୟାସରେ ପରିଣତ ହୋଇଯାଏ। ହେଲେ ରାତିସାରା ମୁହଁରେ ମେକଅପ୍ ରଖି ଶୋଇବା ତ୍ୱଚା ବା ଫେସ୍ ପାଇଁ କ୍ଷତିକାରକ ହୋଇଥାଏ । ଏହା ତ୍ୱଚାର ସ୍ୱାଭାବିକ ପୁନରୁଦ୍ଧାର ପ୍ରକ୍ରିୟାକୁ ପ୍ରଭାବିତ କରିବା ସହ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ । ରାତିସାରା ମୁହଁରେ ମେକଅପ୍ ରଖି ଶୋଇଲେ କ’ଣ ହୁଏ? ଜାଣନ୍ତୁ ୩ଟି ବଡ଼ କ୍ଷତି ।
ଫାଉଣ୍ଡେସନ୍ ରେ ବଢ଼ିପାରେ ତ୍ୱଚାର ପ୍ରଦାହ
ଅନ୍ୟ ମେକଅପ୍ ତୁଳନାରେ ଫାଉଣ୍ଡେସନ୍ ଅଧିକ ସମୟ ତ୍ୱଚା ଉପରେ ରହିଥାଏ। ଏହାକୁ ଠିକ୍ ଭାବରେ ସଫା ନକରି ଶୋଇଲେ ତ୍ୱଚାର ରନ୍ଧ୍ର ବନ୍ଦ ହୋଇପାରେ। ଫଳରେ ବ୍ରଣ, ବ୍ଲାକହେଡ୍ ଏବଂ ତ୍ୱଚା ନିଷ୍ପ୍ରଭ ବା ଡଲନେସ୍ ହେବା ଭଳି ସମସ୍ୟା ଦେଖାଦେଇପାରେ।

ତ୍ୱଚାର ସ୍ୱାଭାବିକ କାର୍ଯ୍ୟ ବାଧାପ୍ରାପ୍ତ ହୋଇପାରେ
ଦିନସାରା ରେ ମେକଅପ୍ ସହ ଧୂଳି, ମଇଳା ଓ ଅତିରିକ୍ତ ତେଲ ଜମିଥାଏ। ରାତିରେ ଏସବୁ ସଫା ନକରି ଶୋଇଲେ ଫେସ୍ କୁ ନିଜକୁ ପୁନଃ ସୁସ୍ଥ କରିବା ପାଇଁ ଆବଶ୍ୟକ ସୁଯୋଗ ମିଳିନଥାଏ। ଏହା ସହିତ ପରିବେଶରେ ଥିବା ଫ୍ରି ରାଡିକାଲ୍ସ ଯୋଗୁଁ ଅକ୍ସିଡେଟିଭ୍ ଷ୍ଟ୍ରେସ୍ ବଢ଼ିପାରେ। ଏହା ଶରୀରର କୋଷଗୁଡ଼ିକୁ କ୍ଷତି ପହଞ୍ଚାଇ ତ୍ୱଚାରେ ଅକାଳ ବାର୍ଦ୍ଧକ୍ୟର ଲକ୍ଷଣ ବା ରିଙ୍କଲ୍ସ ଆଦି ସୃଷ୍ଟି କରିପାରେ।
ଆଖି ମଧ୍ୟ ଓଠ ରେ ମଧ୍ଯ ପଡେ ପ୍ରଭାବ
ମେକଅପ୍ ନ ଛଡାଇ ଶୋଇବା ଦ୍ୱାରା କେବଳ ତ୍ୱଚା ନୁହେଁ, ଆଖି ଓ ଓଠ ମଧ୍ୟ ପ୍ରଭାବିତ ହୋଇପାରେ। ମସ୍କାରା କିମ୍ବା ଆଇଲାଇନର୍ ରାତିରେ ଆଖି ଭିତରକୁ ଯାଇ ଜ୍ୱଳନ ଓ ଅସୁବିଧା ସୃଷ୍ଟି କରିପାରେ। ସେହିପରି, ଲିପଷ୍ଟିକ୍ରେ ଥିବା କିଛି ଡ୍ରାଇଂ କିମ୍ବା ମ୍ୟାଟ୍ ଫର୍ମୁଲା ଓଠର ପ୍ରାକୃତିକ ଆର୍ଦ୍ରତା କମାଇ ଶୁଷ୍କତା ବଢ଼ାଇପାରେ। ତେଣୁ ଶୋଇବା ପୂର୍ବରୁ ଲିପଷ୍ଟିକ୍ ସଫା କରି ହାଇଡ୍ରେଟିଂ ଲିପ୍ ବାମ୍ ବ୍ୟବହାର କରିବା ଭଲ।
ଶୋଇବା ପୂର୍ବରୁ କଣ କରିବେ?
ତେବେ ଶୋଇବା ପୂର୍ବରୁ ମେକଅପ୍କୁ ଭଲ ଭାବରେ ଛଡାଇ ମୁହଁକୁ ଭଲ କ୍ଲିନଜର୍ରେ ସଫା କରନ୍ତୁ। ଏହାପରେ ନିଜ ତ୍ୱଚା ଅନୁଯାୟୀ ମଏଶ୍ଚରାଇଜର୍ ବ୍ୟବହାର କରିପାରିବେ। ମେକଅପ୍ ଛଡାଇବାକୁ ନିୟମିତ ରାତିର ରୁଟିନ୍ର ଏକ ଅଂଶ କରିବା ଏକ ସୁସ୍ଥ ତ୍ୱଚାର ସ୍ୱାସ୍ଥ୍ୟ ପାଇଁ ଭଲ।
