Satellite captures of India:ସାଟେଲାଇଟ୍ରେ କଏଦ୍ ଭାରତର ଦୁଇରୂପ: ଅଧା ବର୍ଷା,ଅଧା ଖରା
ମହାକାଶରୁ ଭାରତର ଏକ ନାଟକୀୟ ଓ ରୋମାଞ୍ଚକର ପାଣିପାଗ ଚିତ୍ର ! ଗୋଟିଏ ପଟେ ଖରା, ଅନ୍ୟପଟେ କଳାହାଣ୍ଡିଆ ମେଘର ରାଜୁତି! ଭାରତୀୟ ସାଟେଲାଇଟ୍ INSAT-3DS କ୍ୟାମେରାରେ କଏଦ୍ ଭାରତର ନିଆରା ଫଟୋ | ସ୍ପଷ୍ଟ ଜଣାପଡ଼ୁଛି ଉତ୍ତର-ପଶ୍ଚିମ ଭାରତ ଶୁଖିଲା ରହିଥିବା ବେଳେ ଅନ୍ୟପଟେ ଓଡ଼ିଶା ସମେତ ମଧ୍ୟ ଓ ଦକ୍ଷିଣ ଭାରତରେ ଘନ ମେଘମାଳା !
ନୂଆଦିଲ୍ଲୀ:ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ISRO)ର ପାଣିପାଗ ସାଟେଲାଇଟ୍ INSAT-3DS ମହାକାଶରୁ ଭାରତର ପାଣିପାଗର ଏକ ନାଟକୀୟ ଚିତ୍ର କଏଦ୍ କରିଛି। ସେପ୍ଟେମ୍ବର ୨୪ରେ ନିଆଯାଇଥିବା ଫୋଟୋଟି ପୁରା ଦେଶର ଧ୍ୟାନ ନିଜ ଆଡକୁ ଆକର୍ଷିତ କରିଛି | ଏହି ଇନ୍ଫ୍ରାରେଡ୍ ଫଟୋରେ ଦେଶର ଦୁଇ ଭିନ୍ନ ପାଣିପାଗ ଦୃଶ୍ୟ ସ୍ପଷ୍ଟ ବାରି ହୋଇପଡ଼ୁଛି ଯେମିତି କିଏ ଏଡିଟ୍ କରିଛି । ଫଟୋରେ ସ୍ପଷ୍ଟ ଦେଖାଯାଉଛି ଯେ, ରାଜସ୍ଥାନ, ଗୁଜରାଟ ଓ ଉତ୍ତର-ପଶ୍ଚିମ ଭାରତର ଆକାଶ ସମ୍ପୂର୍ଣ୍ଣ ପରିଷ୍କାର ଓ ଶୁଖିଲା ରହିଛି ଏବଂ ଅନ୍ୟପଟେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଏବଂ ମଧ୍ୟ ଭାରତରେ ଘନ ଓ ଗଭୀର ମେଘମାଳା ଛାଇ ରହିଛି |
ପାଣିପାଗ ବିଜ୍ଞାନୀଙ୍କ ଅନୁଯାୟୀ,ଏହି ନାଟକୀୟ ବିଭାଜନ କୌଣସି ଭୌଗୋଳିକ ସୀମାରେଖା ନୁହେଁ, ବରଂ ପାଣିପାଗର ଏକ ସ୍ୱାଭାବିକ ପ୍ରକ୍ରିୟା। ମୌସୁମୀ ବିଦାୟ ନେଉଥିବା ବେଳେ ବଙ୍ଗୋପସାଗରରେ ସୃଷ୍ଟ ଏହି ଲଘୁଚାପ ମଧ୍ୟ ଓ ପୂର୍ବ ଭାରତରେ ବର୍ଷା କରାଉଛି। ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଗଭୀର ଅବପାତ (Deep Depression) ଯୋଗୁଁ ଏହି ଅଞ୍ଚଳଗୁଡ଼ିକରେ ପ୍ରବଳ ବର୍ଷା ଜାରି ରହିଥିବାରୁ, ଖରା-ଛାଇର ଏହି କାଳ୍ପନିକ ରେଖା ସୃଷ୍ଟି ହେଇଛି | ତେବେ, ଆଗାମୀ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଏହି ଅବପାତ ଦୁର୍ବଳ ହେବା ସହ ଆକାଶର ଚିତ୍ର ବଦଳିବା ଆଶଙ୍କା ରହିଛି।
