Rohit Returns As MI Captain:ପୁଣି ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେଲେ ରୋହିତ ଶର୍ମା
ଆଇପିଏଲ୍ ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ବଡ଼ ଘୋଷଣା। ପୁଣି ଥରେ ଦଳର ଅଧିନାୟକ ଦାୟିତ୍ୱ ସମ୍ଭାଳିବେ ରୋହିତ ଶର୍ମା। ଶୁକ୍ରବାର ଫ୍ରାଞ୍ଚାଇଜ୍ ପକ୍ଷରୁ ଏହି ଘୋଷଣା କରାଯାଇଛି। ୨୦୨୪ରୁ ଅଧିନାୟକ ପଦରୁ ହଟିଥିବା ରୋହିତ ଏବେ ପୁଣି ନେତୃତ୍ୱ ନେବେ।

ପୁଣି ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେବେ ହିଟ୍ମ୍ୟାନ୍ ରୋହିତ ଶର୍ମା। ଆଇପିଏଲ୍ ୨୦୨୭ରେ ରୋହିତଙ୍କୁ ଦଳର ଅଧିନାୟକ ଦାୟିତ୍ୱ ମିଳିଛି। ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏନେଇ ଆଧିକାରିକ ଘୋଷଣା କରାଯାଇଛି। ଆସନ୍ତା ସିଜିନ୍ରେ ମୁମ୍ବାଇ ଇଣ୍ଡିଆନ୍ସ ନିଜର ୨୦ତମ ସିଜିନ୍ ଖେଳିବାକୁ ଯାଉଥିବା ବେଳେ ଦଳର ସବୁଠାରୁ ସଫଳ ଅଧିନାୟକଙ୍କୁ ପୁଣି ଥରେ ନେତୃତ୍ୱ ଭାର ଦିଆଯାଇଛି।୨୦୧୧ରେ ମୁମ୍ବାଇ ଇଣ୍ଡିଆନ୍ସ ସହ ଯୋଡ଼ି ହୋଇଥିଲେ ରୋହିତ। ୨୦୧୩ରୁ ୨୦୨୩ ଯାଏଁ ସେ ଦଳର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ନେତୃତ୍ୱରେ ୨୦୧୩, ୨୦୧୫, ୨୦୧୭, ୨୦୧୯ ଏବଂ ୨୦୨୦ରେ ମୁମ୍ବାଇ ପାଞ୍ଚ ଥର ଆଇପିଏଲ୍ ଚାମ୍ପିଅନ୍ ହୋଇଥିଲା। ନେତୃତ୍ୱ ଦକ୍ଷତା ସହ ଯୁବ ଖେଳାଳିଙ୍କ ଉପରେ ଭରସା ରଖିବା ରୋହିତଙ୍କ ଅଧିନାୟକତ୍ୱର ବିଶେଷତ୍ୱ ରହିଆସିଛି।ଏନେଇ ନୀତା ଅମ୍ବାନୀ କହିଛନ୍ତି, ଦଳର ୨୦ତମ ସିଜିନ୍ରେ ରୋହିତଙ୍କୁ ପୁଣି ଅଧିନାୟକ ଭାବେ ଦେଖିବା ଅତ୍ୟନ୍ତ ସ୍ୱତନ୍ତ୍ର। ତାଙ୍କ ସହ ମୁମ୍ବାଇର ଯାତ୍ରା ଅନେକ ସ୍ମରଣୀୟ ମୁହୂର୍ତ୍ତରେ ଭରି ରହିଛି। ଆକାଶ ଅମ୍ବାନୀ ମଧ୍ୟ ରୋହିତଙ୍କ ଅଭିଜ୍ଞତା ଓ ନେତୃତ୍ୱ ଉପରେ ଭରସା ପ୍ରକାଶ କରିଛନ୍ତି।ସେପଟେ ରୋହିତ କହିଛନ୍ତି, ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଦଳର ଅଧିନାୟକ ହେବା ତାଙ୍କ ପାଇଁ ସବୁବେଳେ ଗର୍ବର ବିଷୟ। ଆଗାମୀ ସିଜିନ୍ରେ ଏକଜୁଟ ହୋଇ ନିଜ ଶୈଳୀରେ କ୍ରିକେଟ୍ ଖେଳିବା ଓ ନୂଆ ସଫଳତା ହାସଲ କରିବା ଉପରେ ଦଳର ଫୋକସ୍ ରହିବ ବୋଲି ସେ କହିଛନ୍ତି।
