Commercial Use BMC: ଆବାସିକ ଘରେ ବ୍ୟବସାୟକୁ ନେଇ କଡ଼ା ଆଭିମୁଖ୍ୟ, ସମାଧାନ ପାଇଁ ନୂଆ ନିୟମ
ଭୁବନେଶ୍ୱରରେ ଆବାସିକ ଘରେ ବ୍ୟବସାୟକୁ ନେଇ କଡ଼ା ପଦକ୍ଷେପ, ପ୍ରାୟ ୭୦୦ ଜଣଙ୍କୁ ନୋଟିସ୍ | ଟ୍ରେଡ୍ ଲାଇସେନ୍ସ ନବୀକରଣ ନେଇ ସମସ୍ୟା ମଧ୍ୟରେ ନୂଆ ନିୟମ ଆଣି ରେଗୁଲାଇରାଇଜ୍ କରିବାକୁ ପ୍ରଶାସନର ପ୍ରସ୍ତୁତି |
ଭୁବନେଶ୍ୱରରେ ଆବାସିକ ଘରକୁ ବ୍ୟବସାୟିକ ପ୍ରତିଷ୍ଠାନ ଭାବେ ବ୍ୟବହାର ନେଇ ତୀବ୍ର ହୋଇଛି ଚର୍ଚ୍ଚା । ନିୟମ ଉଲ୍ଲଂଘନ କରି ଆବାସିକ ଅଞ୍ଚଳରେ ବ୍ୟବସାୟ ଚଳାଉଥିବା ପ୍ରାୟ ୭୦୦ ଜଣଙ୍କୁ ନୋଟିସ୍ ଜାରି ହୋଇଥିବା ସୂଚନା ମିଳିଛି। ରେସିଡେନ୍ସିଆଲ୍ ଅଞ୍ଚଳରେ ବ୍ୟବସାୟିକ ବ୍ୟବହାରକୁ ବାରଣ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ନିୟମ ବାହାରେ ଯାଇ ଆବାସିକ ଅଞ୍ଚଳକୁ କମର୍ସିଆଲ୍ କାର୍ଯ୍ୟରେ ବ୍ୟବହାର କରାଯାଉଥିଲେ ନିୟମ ଅନୁସାରେ ନୋଟିସ୍, ସିଜ୍ କିମ୍ବା ଅନ୍ୟାନ୍ୟ ପଦକ୍ଷେପ ନିଆଯାଇପାରେ। ତେବେ ବର୍ଷ ବର୍ଷ ଧରି ବ୍ୟବସାୟ କରି ଜୀବିକା ନିର୍ବାହ କରୁଥିବା ଲୋକଙ୍କ ସମସ୍ୟାକୁ ମଧ୍ୟ ବିଚାର କରାଯାଉଛି। ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ସମସ୍ୟାର ସମାଧାନ ପାଇଁ ନୂଆ ନିୟମ ଆଣି କେତେକ କ୍ଷେତ୍ରରେ ବ୍ୟବସାୟିକ ବ୍ୟବହାରକୁ ରେଗୁଲାରାଇଜ୍ କରିବାର ସୁଯୋଗ ଦେବା ନେଇ ଆଲୋଚନା ଚାଲିଛି। ଏଥିପାଇଁ ଆବେଦନ କରିବାକୁ ସୁଯୋଗ ପୋର୍ଟାଲରେ ବ୍ୟବସ୍ଥା କରିବା ନେଇ ପ୍ରସ୍ତୁତି ଚାଲିଛି । ଏହାର ଉଦ୍ଦେଶ୍ୟ ହେଉଛି, ନିୟମ ମାନିବା ସହ ଦୀର୍ଘଦିନ ଧରି ବ୍ୟବସାୟ କରୁଥିବା ଲୋକଙ୍କ ସମସ୍ୟାର ଏକ ବ୍ୟବହାରିକ ସମାଧାନ ବାହାର କରିବା । ଆମ ଭୁବନେଶ୍ୱରିଆ ସଂଗଠନ ପ୍ରେସମିଟ କରି ସରକାର ଏ ବାବଦରେ ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି। କିଏ ନିଜ ଘରର ଛୋଟ ଅଂଶରେ କେକ୍ ଦୋକାନ ବା ଔଷଧ ଦୋକାନଟିଏ ଖୋଲିଛି। ପୁଣି କିଏ ଟ୍ୟୁସନ ସେଣ୍ଟର ତ କିଏ ସିଲେଇ ସେଣ୍ଟର ଖୋଲିଛି। ଏମାନେ ରୋଜଗାର ହରାଇବାର ଆଶଙ୍କା ରହିଛି। କାରଣ ଏବେ ବିଏମସି ସେମାନଙ୍କ ଟ୍ରେଡ୍ ଲାଇସେନ୍ସକୁ ନବୀକରଣ କରୁନି।
