Rayagada-Maternal-Tragedy:ଗାଁକୁ ନାହିଁ ପକ୍କା ରାସ୍ତା,୫ କିମି ଭାରରେ ବୁହାହେଲେ ଗର୍ଭବତୀ
ଗର୍ଭଯନ୍ତ୍ରଣାରେ ଛଟପଟ ମହିଳାଙ୍କ ପାଇଁ ଡକାଗଲା ଆମ୍ବୁଲାନ୍ସ, କିନ୍ତୁ ଗାଁକୁ ରାସ୍ତା ନଥିବାରୁ ମିଳିଲାନି ସିଧାସଳଖ ସେବା। ଚାଦରରେ ଭାର ବାନ୍ଧି ପାହାଡ଼ିଆ ରାସ୍ତାରେ ୫ କିଲୋମିଟର ବୁହାହେଲେ ଗର୍ଭବତୀ। ଶେଷରେ ଡାକ୍ତରଖାନାରେ ଜନ୍ମ ନେଲା ମୃତ ସନ୍ତାନ।
ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ପୁଣି ସାମ୍ନାକୁ ଆସିଛି ଜନନୀ ଯନ୍ତ୍ରଣାର ଏକ ହୃଦୟବିଦାରକ ଚିତ୍ର। ଗାଁକୁ ପକ୍କା ରାସ୍ତା ନଥିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ପ୍ରାୟ ୫ କିଲୋମିଟର ଭାରରେ ବୋହି ଆମ୍ବୁଲାନ୍ସ ନିକଟକୁ ନିଆଯାଇଥିଲା। ଏହାପରେ ତାଙ୍କୁ ବିଭିନ୍ନ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ଶେଷରେ ସେ ଏକ ମୃତ ସନ୍ତାନ ପ୍ରସବ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, କାଶୀପୁର ବ୍ଲକ ସୁଙ୍ଗେର ପଞ୍ଚାୟତ ଅନ୍ତର୍ଗତ ମାଲିପଦର ଗ୍ରାମର ଅର୍ଜୁନ ମାଝୀଙ୍କ ପତ୍ନୀ ସୁକୁମାଝୀଙ୍କର ଗର୍ଭଯନ୍ତ୍ରଣା ହେବାରୁ ଆଶାକର୍ମୀ ଆମ୍ବୁଲାନ୍ସ ଡକାଇଥିଲେ। କିନ୍ତୁ ଗାଁକୁ ପକ୍କା ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆଲିଗୁନା ଗ୍ରାମ ନିକଟରେ ଅଟକି ରହିଥିଲା। ଫଳରେ ପରିବାର ଲୋକେ ବାଧ୍ୟ ହୋଇ ଚାଦରରେ ଭାର ବାନ୍ଧି ଗର୍ଭବତୀଙ୍କୁ ପାହାଡ଼ିଆ ରାସ୍ତା ଦେଇ ପ୍ରାୟ ୫ କିଲୋମିଟର ବୋହି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ। ପରେ ତାଙ୍କୁ ପ୍ରଥମେ ସୁଙ୍ଗେର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ପିଏଚ୍ସି)କୁ ନିଆଯାଇଥିଲା। ସେଠାରେ ଡାକ୍ତର ନଥିବାରୁ ତାଙ୍କୁ କାଶୀପୁର ସାମୁଦାୟିକ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚ୍ସି)କୁ ପଠାଯାଇଥିଲା। ସେଠାରେ ମଧ୍ୟ ସ୍ଥିତି ଗୁରୁତର ହେବାରୁ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେ ମୃତ ସନ୍ତାନ ପ୍ରସବ କରିଥିବା ଜଣାପଡ଼ିଛି। ଏହି ଘଟଣା ପୁଣିଥରେ ଉପାନ୍ତ ଅଞ୍ଚଳରେ ରାସ୍ତାଘାଟ ଓ ସ୍ୱାସ୍ଥ୍ୟସେବାର ଉପଲବ୍ଧତାକୁ ନେଇ ପ୍ରଶ୍ନ ଉଠାଇଛି। ତେବେ ଶିଶୁର ମୃତ୍ୟୁର ପ୍ରକୃତ କାରଣ ସମ୍ପର୍କରେ ତଥ୍ୟ ମିଳିନାହିଁ। ଦୁର୍ଗମ ଅଞ୍ଚଳରେ ଗର୍ଭବତୀଙ୍କୁ ସମୟୋଚିତ ଚିକିତ୍ସା ଓ ନିରାପଦ ପ୍ରସବ ସୁବିଧା ଯୋଗାଇବା ଏବେ ବଡ଼ ଆହ୍ୱାନ ପାଲଟିଛି।
