Ravi Tamta Flying Car:ଇଞ୍ଜିନିୟରିଂ ଡିଗ୍ରୀ ନାହିଁ, ତଥାପି ତିଆରି କଲେ ଫ୍ଲାଇଂ କାର୍
ଇଞ୍ଜିନିୟରିଂ ଡିଗ୍ରୀ ନୁହେଁ, ଜିଜ୍ଞାସା ଓ ନିରନ୍ତର ପରୀକ୍ଷାନିରୀକ୍ଷାକୁ କରିଛନ୍ତି ଅସ୍ତ୍ର। ଉତ୍ତରାଖଣ୍ଡର ରବି ଟମ୍ଟାଙ୍କ ଫ୍ଲାଇଂ ଭେହିକିଲ୍ ପ୍ରୋଟୋଟାଇପ୍ ଏବେ ଚର୍ଚ୍ଚାରେ। ଜଣେ ସାଧାରଣ BA ଗ୍ରାଜୁଏଟ୍ଙ୍କ ଏହି ଟେକ୍ନୋଲୋଜି ଯାତ୍ରା ପଛରେ ରହିଛି ଦୀର୍ଘ ବର୍ଷର ପରିଶ୍ରମ।
ଉତ୍ତରାଖଣ୍ଡ:ଉଚ୍ଚ ଡିଗ୍ରୀ ନାହିଁ, ବଡ଼ ଇଞ୍ଜିନିୟରିଂ ପ୍ରତିଷ୍ଠାନରେ ପାଠପଢ଼ା ନାହିଁ। ତଥାପି ନିଜ ଉଦ୍ୟମରେ ଇଲେକ୍ଟ୍ରିକ୍ ଫ୍ଲାଇଂ ଭେହିକିଲ୍ର ପ୍ରୋଟୋଟାଇପ୍ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି ଉତ୍ତରାଖଣ୍ଡର ଅଲମୋଡ଼ା ଜିଲ୍ଲାର ରବି ଟମ୍ଟା। କେବଳ BA ପାଠପଢ଼ା କରିଥିବା ରବିଙ୍କ କାହାଣୀ ଏବେ ନୂଆ କିଛି କରିବାକୁ ଚାହୁଁଥିବା ଯୁବପିଢ଼ିଙ୍କ ପାଇଁ ପ୍ରେରଣା ପାଲଟିଛି। ରବି ଅଲମୋଡ଼ା ଜିଲ୍ଲାର କଫଲିଖାନ ଗାଁର ବାସିନ୍ଦା। ସେ ନୈନିତାଲ କ୍ୟାମ୍ପସରୁ BA ଡିଗ୍ରୀ ହାସଲ କରିଛନ୍ତି। ତାଙ୍କ ବାପା ହରିଶ ରାମ ଜଣେ ମେକାନିକ୍। ପିଲାଦିନରୁ ଟେକ୍ନୋଲୋଜି ପ୍ରତି ଆଗ୍ରହ ରଖିଥିବା ରବି ଇଣ୍ଟରନେଟ୍ରେ ଉପଲବ୍ଧ ତଥ୍ୟକୁ ଆଧାର କରି ବିଭିନ୍ନ ଯନ୍ତ୍ରପାତି ବିଷୟରେ ଶିଖିବା ସହ ନିଜେ ପରୀକ୍ଷାନିରୀକ୍ଷା ଜାରି ରଖିଥିଲେ। ପାହାଡ଼ିଆ ଅଞ୍ଚଳରେ ଦୀର୍ଘ ଓ ଘୂର୍ଣ୍ଣିତ ରାସ୍ତା ଯୋଗୁଁ ଯାତାୟାତରେ ହେଉଥିବା ସମସ୍ୟା ତାଙ୍କୁ ଉଡ଼ନ୍ତା ଯାନ ତିଆରି କରିବା ଦିଗରେ ଚିନ୍ତା କରିବାକୁ ପ୍ରେରିତ କରିଥିଲା। ରିପୋର୍ଟ ଅନୁଯାୟୀ, ୨୦୧୫ରେ ସେ ଏହି ପ୍ରକଳ୍ପ ଉପରେ କାମ ଆରମ୍ଭ କରିଥିଲେ। ତାଙ୍କ ଏହି ପ୍ରକଳ୍ପର ନାମ HAPIDA SKYNeX। ଏହା ଏକ ସିଙ୍ଗଲ୍ ସିଟର୍ ଇଲେକ୍ଟ୍ରିକ୍ ଫ୍ଲାଇଂ ଭେହିକିଲ୍ର ପ୍ରୋଟୋଟାଇପ୍, ଯେଉଁଥିରେ ଡ୍ରୋନ୍ ଭଳି ଏକାଧିକ ମୋଟର ଓ ପ୍ରୋପେଲର୍ ବ୍ୟବହାର କରାଯାଇଛି। ରିପୋର୍ଟ ଅନୁସାରେ, ଅଗଷ୍ଟ ୨୦୨୬ରେ ଏହାର ଟେଷ୍ଟ ଫ୍ଲାଇଟ୍ ମଧ୍ୟ କରାଯାଇଥିଲା। ଏହା ପୂର୍ବରୁ ରବି ମୋବାଇଲ୍ ଚାର୍ଜ କରିପାରୁଥିବା ଜୋତା, ଦୃଷ୍ଟିବାଧିତଙ୍କ ପାଇଁ ସ୍ମାର୍ଟ ଷ୍ଟିକ୍, ବାଉଁଶ କାଟିବା ମେସିନ୍ ଏବଂ ଜଙ୍ଗଲ ନିଆଁ ଲିଭାଇବା ପାଇଁ ଉପକରଣ ଭଳି ବିଭିନ୍ନ ପ୍ରକଳ୍ପରେ କାମ କରିଛନ୍ତି। ତେବେ ଏକ ପ୍ରୋଟୋଟାଇପ୍ ତିଆରି କରିବା ଓ ଏହାକୁ ସାଧାରଣ ଲୋକଙ୍କ ଯାତାୟାତ ପାଇଁ ସୁରକ୍ଷିତ କରିବା ଭିନ୍ନ କଥା। ବ୍ୟବସାୟିକ ବ୍ୟବହାର ପୂର୍ବରୁ ଏହି ଯାନକୁ ଆବଶ୍ୟକ ବୈଷୟିକ ପରୀକ୍ଷା, ସୁରକ୍ଷା ଯାଞ୍ଚ ଓ ନିୟାମକ ଅନୁମତି ହାସଲ କରିବାକୁ ପଡ଼ିବ।
ରବିଙ୍କ ଯାତ୍ରା ଦର୍ଶାଉଛି ଯେ ନୂଆ କିଛି ଶିଖିବା ଓ ଉଦ୍ଭାବନ କରିବା ପାଇଁ ଆଗ୍ରହ, ଅଭ୍ୟାସ ଏବଂ ନିରନ୍ତର ପରିଶ୍ରମ ଗୁରୁତ୍ୱପୂର୍ଣ୍ଣ। ଔପଚାରିକ ଶିକ୍ଷା ଟେକ୍ନୋଲୋଜିର ଏକ ମଜବୁତ ଆଧାର ହୋଇପାରେ, କିନ୍ତୁ ଶିଖିବାର ଇଚ୍ଛା ଓ ବ୍ୟବହାରିକ ଅଭିଜ୍ଞତା ନୂଆ ଚିନ୍ତାଧାରାକୁ ଆଗକୁ ନେବାରେ ସହାୟକ ହୋଇପାରେ।
