AI map to identify unsafe places:ମହିଳା ଅସୁରକ୍ଷିତ ସ୍ଥାନ ନିରୂପଣ କରିବ AI ମ୍ୟାପ୍
ଗତ କିଛିଦିନ ହେବ ଦେଶର ରାଜଧାନୀ ଦିଲ୍ଲୀରେ ବଢୁଥିବା ଅପରାଧ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଦିଲ୍ଲୀର ଜଣେ ଯୁବକ ରାଜ୍ ଗୋମାନୀ ଏକ ସ୍ପେଶାଲ୍ ‘AI ସୁରକ୍ଷା ମ୍ୟାପ୍’ ପ୍ରସ୍ତୁତ କରିଛନ୍ତି। ଏହି ନକ୍ସା ସାହାଯ୍ୟରେ ମହିଳାମାନେ ରାତିରେ ଦିଲ୍ଲୀର ବିପଜ୍ଜନକ ଅଞ୍ଚଳ ଗୁଡିକ ସହଜରେ ଜାଣିପାରିବେ।
ନୂଆଦିଲ୍ଲୀ:ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ମହିଳାମାନଙ୍କ ବିରୋଧରେ ବଢ଼ୁଥିବା ଅପରାଧ ସବୁବେଳେ ଚିନ୍ତାର ବିଷୟ ପାଲଟିଛି। ଏହି ସମୟରେ ଦିଲ୍ଲୀର ଜଣେ ବାସିନ୍ଦା ରାଜ୍ ଗୋମାନୀ ଏକ ଅଭିନବ ଏବଂ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି। ସେ ସାଧାରଣ ଲୋକଙ୍କ ବିଶେଷକରି ମହିଳା ମାନଙ୍କର ସୁରକ୍ଷା ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଏବଂ ସରକାରୀ କ୍ରାଇମ୍ ଡାଟାକୁ ବ୍ୟବହାର କରି ଏକ ଡିଜିଟାଲ୍ ସୁରକ୍ଷା ମ୍ୟାପ୍ ତିଆରି କରିଛନ୍ତି। ଏହି ମ୍ୟାପ୍ ଦିଲ୍ଲୀର ଅସୁରକ୍ଷିତ ଅଞ୍ଚଳକୁ ଚିହ୍ନଟ କରେ, ଯେଉଁଠାରେ ରାତି ସମୟରେ ମହିଳାମାନଙ୍କ ପାଇଁ ଯିବାଆସିବା କରିବା ରେ ରିସ୍କ ରହୁଛି |
ରାଜ୍ ନିଜର ଏହି ପ୍ରୋଜେକ୍ଟରେ ସରକାରୀ ରିପୋର୍ଟରେ ଥିବା ହଜାର ହଜାର ଜଟିଳ ତଥ୍ୟକୁ ସେ ଏକ ସହଜ ଭିଜୁଆଲ୍ ମ୍ୟାପ୍ରେ ପରିଣତ କରିଛନ୍ତି। ସେଥିପାଇଁ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (NCRB) ର ପବ୍ଲିକ୍ ଡାଟା ଏବଂ AI ଆସିଷ୍ଟାଣ୍ଟ ‘କ୍ଲଡ୍’ (Claude) ର ସାହାଯ୍ୟ ନେଇଛନ୍ତି ରାଜ୍ । ଏହି ସୁରକ୍ଷା ନକ୍ସାଟି ମୁଖ୍ୟତଃ ରାସ୍ତାରେ ଲାଇଟ୍ର ଅଭାବ, ଜନଶୂନ୍ୟ କିମ୍ବା ନିଛାଟିଆ ସ୍ଥାନ ଏବଂ ପୂର୍ବରୁ ଘଟିଥିବା ଅପରାଧର ରେକର୍ଡକୁ ଆଧାର କରି ବିପଦପୂର୍ଣ୍ଣ ସ୍ଥାନଗୁଡ଼ିକୁ ଦର୍ଶାଉଛି। ଏହି ନକ୍ସାରେ କେବଳ ଅସୁରକ୍ଷିତ ସ୍ଥାନ ଗୁଡ଼ିକୁ ଦେଖାଯାଇ ନାହିଁ, ବରଂ ସେହି ସବୁ ଅଞ୍ଚଳରେ ସକ୍ରିୟ ଥିବା ଅପରାଧୀଙ୍କର ପ୍ରୋଫାଇଲ୍ ମଧ୍ୟ ସାମିଲ କରାଯାଇଛି। ରାଜ୍ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ମ୍ୟାପ୍ର ଏକ ଭିଡିଓ ସେୟାର କରି ଏହାର ଉଦ୍ଦେଶ୍ୟ ବିଷୟରେ ବୁଝାଇଛନ୍ତି। ସେ କହିଛନ୍ତି ଯେ ଦେଶର ରାଜଧାନୀରେ ଏଭଳି ଏକ ଅସୁରକ୍ଷିତ ମ୍ୟାପ୍ ତିଆରି କରିବାକୁ ପଡ଼ୁଥିବାରୁ ସେ ନିଜେ ଲଜ୍ଜିତ, କିନ୍ତୁ ସାଧାରଣ ନାଗରିକଙ୍କ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନେବା ଆବଶ୍ୟକ।
ଇଣ୍ଟରନେଟରେ ଏହି ଭିଡିଓ ଭାଇରାଲ୍ ହେବା ପରେ ଲୋକେ ଏହାକୁ ଖୁବ୍ ପ୍ରଶଂସା କରୁଛନ୍ତି। ଅନେକ ୟୁଜର୍ସ ରାଜ୍ଙ୍କୁ ଏହି ପ୍ରୋଜେକ୍ଟକୁ ସର୍ବସାଧାରଣଙ୍କ ପାଇଁ ମାଗଣାରେ ଉପଲବ୍ଧ କରାଇବାକୁ କିମ୍ବା ଏକ ଆପ୍ଲିକେସନ ପ୍ରସ୍ତୁତ କରିବାକୁ ଅନୁରୋଧ କରିଛନ୍ତି। ରାଜ୍ଙ୍କ କହିବା ଅନୁସାରେ, କେବଳ ସରକାର କିମ୍ବା ପୁରୁଷମାନଙ୍କୁ ଦୋଷ ନଦେଇ ଟେକ୍ନୋଲୋଜି ବ୍ୟବହାର କରି କେଉଁ ସ୍ଥାନରେ ଅଧିକ ସୁରକ୍ଷା ଦରକାର, ତାହା ଚିହ୍ନଟ କରିବା ଏବଂ ପୋଲିସ ପାଟ୍ରୋଲିଂ ବଢ଼ାଇବା ଦ୍ୱାରା ସମସ୍ୟାର ସମାଧାନ ହେବାସହ ମହିଳା ମାନଙ୍କ ସୁରକ୍ଷା ମଧ୍ୟ ହେଇପାରିବ | AI ଅନେକ ଦୁରୁପଯୋଗ ସାମ୍ନାକୁ ଆସୁଥିବାବେଳେ,ଏହି ପ୍ରୋଜେକ୍ଟ ଦର୍ଶାଉଛି ଯେ ସାମାଜିକ ସମସ୍ୟାର ସମାଧାନ ପାଇଁ ମଧ୍ୟ AI କେତେ ଲାଭଦାୟକ ହୋଇପାରିବ।
