Jensen Huang Resign:ଜେନସନ୍ ହୁଆଙ୍ଗଙ୍କ ଇସ୍ତଫା: AI ଦୁନିଆରେ ହଇଚଇ
୩୩ ବର୍ଷ ଧରି CEO ଦାୟିତ୍ୱରେ ଥିବା ଜେନସନ୍ ହୁଆଙ୍ଗ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ପଛରେ ବିବାହ ବାହାରେ ସମ୍ପର୍କ, ଚୀନ୍ ସହ ଗୁପ୍ତଚର କାରବାର ସନ୍ଦେହ ଏବଂ ଆମେରିକାର ଜାତୀୟ ସୁରକ୍ଷାକୁ ନେଇ ଉଠିଥିବା ପ୍ରଶ୍ନ ରହିଛି। ଏହି ଘଟଣା ପରେ Nvidiaର ଶେୟାର ବଜାରରେ ମଧ୍ୟ ବଡ଼ ପ୍ରଭାବ ପଡ଼ିଛି।

ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ଟେକ୍ନୋଲୋଜି କମ୍ପାନୀ ମଧ୍ୟରୁ ଅନ୍ୟତମ Nvidiaରେ ବଡ଼ ଧରଣର ନେତୃତ୍ୱ ପରିବର୍ତ୍ତନ ହୋଇଛି। କମ୍ପାନୀର ସହ-ପ୍ରତିଷ୍ଠାତା ତଥା ଦୀର୍ଘ ୩୩ ବର୍ଷ ଧରି CEO ଦାୟିତ୍ୱରେ ଥିବା ଜେନସନ୍ ହୁଆଙ୍ଗ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ପଛରେ ବିବାହ ବାହାରେ ସମ୍ପର୍କ, ଚୀନ୍ ସହ ଗୁପ୍ତଚର କାରବାର ସନ୍ଦେହ ଏବଂ ଆମେରିକାର ଜାତୀୟ ସୁରକ୍ଷାକୁ ନେଇ ଉଠିଥିବା ପ୍ରଶ୍ନ ରହିଛି। ଏହି ଘଟଣା ପରେ Nvidiaର ଶେୟାର ବଜାରରେ ମଧ୍ୟ ବଡ଼ ପ୍ରଭାବ ପଡ଼ିଛି। ଜେନସନ୍ ହୁଆଙ୍ଗଙ୍କ ଇସ୍ତଫା ପରେ କମ୍ପାନୀର ବର୍ତ୍ତମାନର Chief Financial Officer (CFO) କୋଲେଟ୍ କ୍ରେସ୍ (Colette Kress)ଙ୍କୁ ଅନ୍ତରୀଣ CEO ଭାବେ ନିଯୁକ୍ତ କରାଯାଇଛି। ସେ ୨୦୧୩ ସେପ୍ଟେ ମ୍ୱରରୁ NVIDIAରେ କାର୍ଯ୍ୟ କରୁଛନ୍ତି। କମ୍ପାନୀର ଆର୍ଥିକ କାରବାର ଓ ବ୍ୟବସାୟିକ ରଣନୀତିରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେ ଅନ୍ତରୀଣ CEO ସହ CFO ଦାୟିତ୍ୱ ମଧ୍ୟ ତୁଲାଇବେ। ଏହା ସହିତ ହାର୍ଭେ ସି. ଜୋନ୍ସ (Harvey C. Jones) ଙ୍କୁ କମ୍ପାନୀର ପ୍ରଥମ ଚେୟାରମ୍ୟାନ୍ ଅଫ୍ ଦି ବୋର୍ଡ ଭାବେ ନିଯୁକ୍ତ କରାଯାଇଛି।
ଇସ୍ତଫା ପଛରେ କ'ଣ ରହିଛି ବିବାଦ?
ଜେନସନ୍ ହୁଆଙ୍ଗଙ୍କୁ ନେଇ ଚଳିତ ମାସରେ ଏକ ବଡ଼ ବିବାଦ ଆରମ୍ଭ ହୋଇଥିଲା। ଆଲିସ୍ ହୁଆଙ୍ଗ ନାମକ ଜଣେ ଚୀନ୍ ବ୍ୟବସାୟୀ ମହିଳାଙ୍କ ସହ ଜେନସନଙ୍କ ବିବାହ ବାହାରେ ସମ୍ପର୍କ ଥିବା ଅଭିଯୋଗ ଆସିଥିଲା। ଆମେରିକାର ଗୁଇନ୍ଦା ସଂସ୍ଥା ଆଲିସ୍ ହୁଆଙ୍ଗଙ୍କୁ ଚୀନ୍ ପାଇଁ ଗୁପ୍ତଚର କାର୍ଯ୍ୟ କରୁଥିବା ସନ୍ଦେହ କରିଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଏହା ପରେ ଆମେରିକାରେ ଜାତୀୟ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା। ଏହି ବିବାଦ ଆହୁରି ବଢ଼ିଥିଲା ଯେତେବେଳେ Nvidiaର ଆଉ ଜଣେ ମହିଳା ଅଧିକାରୀଙ୍କ ସହ ଜେନସନଙ୍କ ସମ୍ପର୍କ ଥିବା ଖବର ସାମ୍ନାକୁ ଆସିଥିଲା। ଏହି ମାମଲାରେ Nvidiaର Health Care ବିଭାଗର ଉପାଧ୍ୟକ୍ଷ କିମ୍ୱର୍ଲି ପାୱେଲଙ୍କ ନାମ ଚର୍ଚ୍ଚାକୁ ଆସିଥିଲା। ଏଭଳି ଚର୍ଚ୍ଚା ପରେ କମ୍ପାନୀର ନେତୃତ୍ୱ ଓ କର୍ପୋରେଟ୍ ଶାସନକୁ ନେଇ ପ୍ରଶ୍ନ ଉଠିଥିଲା।
ନିଜ ଭୁଲ୍ ସ୍ୱୀକାର କରିଥିଲେ ଜେନସନ୍
ନଭେମ୍ୱର ୮ ତାରିଖରେ Nvidia କର୍ମଚାରୀଙ୍କୁ ଲେଖିଥିବା ଏକ ଚିଠିରେ ଜେନସନ୍ ନିଜ ପତ୍ନୀଙ୍କ ପ୍ରତି ଅବିଶ୍ୱସ୍ତ ରହିଥିବା କଥା ସ୍ୱୀକାର କରିଥିଲେ। ସେ କହିଥିଲେ ଯେ ତାଙ୍କ କାର୍ଯ୍ୟ ତାଙ୍କ ପତ୍ନୀ ଓ ପିଲାମାନଙ୍କୁ ଆଘାତ ଦେଇଛି। ଏଥିପାଇଁ ସେ କ୍ଷମା ମାଗିଥିଲେ। ସେ ଆହୁରି କହିଥିଲେ ଯେ Nvidia ବୋର୍ଡ ପକ୍ଷରୁ ଜାତୀୟ ସୁରକ୍ଷା ସମ୍ପର୍କିତ ଅଭିଯୋଗ ଉପରେ ସ୍ୱାଧୀନ ତଦନ୍ତ ଆରମ୍ଭ ହୋଇଛି ଏବଂ ସେ ଏଥିରେ ସହଯୋଗ କରିବେ। ତାଙ୍କର ଏହି ଚିଠି Nvidiaର ଅଫିସିଆଲ୍ ୱେବସାଇଟରେ ପ୍ରକାଶ ପାଇଥିଲା।
ତେବେ ଏହି ଘଟଣା କେବଳ ବ୍ୟକ୍ତିଗତ ସମ୍ପର୍କରେ ସୀମିତ ରହିନାହିଁ। ଏହା ଆମେରିକା ଓ ଚୀନ୍ ମଧ୍ୟରେ ଟେକ୍ନୋଲୋଜି ଯୁଦ୍ଧକୁ ମଧ୍ୟ ପ୍ରଭାବିତ କରିପାରେ। କାରଣ Nvidia ହେଉଛି ବିଶ୍ୱର ଏକ ପ୍ରମୁଖ AI ଚିପ୍ ନିର୍ମାତା। ଆମେରିକାର ଆଶଙ୍କା ଥିଲା ଯେ Nvidiaର ଗୁରୁତ୍ୱପୂର୍ଣ୍ଣ ଟେକ୍ନୋଲୋଜି, ତଥ୍ୟ କିମ୍ୱା ଚିପ୍ ରପ୍ତାନି ସମ୍ପର୍କିତ ସୂଚନା ଚୀନ୍ ପାଖରେ ପହଞ୍ଚିଥାଇପାରେ। ଏହି ମାମଲାରେ ଆଉ ଏକ କମ୍ପାନୀ Megaspeed Internationalର ନାମ ଆସିଛି। ଏହାର ପୂର୍ବତନ ମ୍ୟାନେଜିଂ ଡାଇରେକ୍ଟର ଥିଲେ ଆଲିସ୍ ହୁଆଙ୍ଗ। ସିଙ୍ଗାପୁରରେ ତାଙ୍କୁ ସର୍ଭର କିଣା ଓ ରପ୍ତାନି ସମ୍ପର୍କିତ ସମ୍ଭାବ୍ୟ ଅନିୟମିତତା ନେଇ ତଦନ୍ତ କରାଯାଇଥିଲା। ସିଙ୍ଗାପୁର ସରକାରଙ୍କ କହିବା ଅନୁସାରେ, ତାଙ୍କ ବିରୋଧରେ ଅପରାଧ ପ୍ରମାଣ କରିବା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ମିଳିନଥିଲା। Nvidia ବୋର୍ଡ ଏହି ଘଟଣାରେ ସ୍ୱାଧୀନ ତଦନ୍ତ ଆରମ୍ଭ କରିଥିଲା। କମ୍ପାନୀ କହିଥିଲା ଯେ ଜାତୀୟ ସୁରକ୍ଷା କିମ୍ୱା କମ୍ପାନୀର ଗୋପନୀୟ ତଥ୍ୟ କ୍ଷତିଗ୍ରସ୍ତ ହୋଇଥିବାର କୌଣସି କାରଣ ସେମାନଙ୍କ ପାଖରେ ନାହିଁ।
Nvidiaର ଶେୟାର ବଜାରରେ ବଡ଼ ପ୍ରଭାବ
ଜେନସନ୍ ହୁଆଙ୍ଗଙ୍କ ଇସ୍ତଫା ପରେ Nvidiaର ଶେୟାର ମୂଲ୍ୟରେ ତୀବ୍ର ହ୍ରାସ ଦେଖାଦେଇଥିଲା। ୧୨ ତାରିଖରେ ଇସ୍ତଫା ଦିନ ବନ୍ଦ ବେଳକୁ ସେୟାରର ମୂଲ୍ୟ ପ୍ରାୟ ୪.୩ ପ୍ରତିଶତକୁ ଖସିଥିଲା। ଏଥିରେ ବଜାର ପୁଞ୍ଜିର କ୍ଷତି ପ୍ରାୟ ୧୮୨ ବିଲିୟନ ଡଲାର ହୋଇଥିଲା। ଏହି ହ୍ରାସ କମ୍ପାନୀର ବଜାର ମୂଲ୍ୟ ଉପରେ ଚାପ ସୃଷ୍ଟି କରିଥିଲା। ତେବେ ଏହି ହ୍ରାସର ସମ୍ପୂର୍ଣ୍ଣ କାରଣ କେବଳ ଇସ୍ତଫା ନୁହେଁ; AI ଶିଳ୍ପର ଅନ୍ୟାନ୍ୟ ଅନିଶ୍ଚିତତା ମଧ୍ୟ ଏଥିରେ ପ୍ରଭାବ ପକାଇଥିଲା। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେନସନଙ୍କୁ ଜଣେ ଦକ୍ଷ ବ୍ୟକ୍ତି ବୋଲି କହିଥିଲେ। ଏପରିକି Nvidiaର ପରବର୍ତ୍ତୀ CEO ଭାବେ Appleର ପୂର୍ବତନ CEO ଟିମ୍ କୁକ୍ଙ୍କ ନାମ ମଧ୍ୟ ଉଲ୍ଲେଖ କରିଥିଲେ। ଅନ୍ୟପଟେ ଆମେରିକାର ସିନେଟ୍ ବ୍ୟାଙ୍କିଂ କମିଟିର ଅଧ୍ୟକ୍ଷ ଟିମ୍ ସ୍କଟ୍ ଜେନସନ୍ ହୁଆଙ୍ଗ ଓ ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକ୍ଙ୍କୁ ସିନେଟ୍ରେ ହାଜର ହୋଇ ଜାତୀୟ ସୁରକ୍ଷା ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେବାକୁ ଅନୁରୋଧ କରିଛନ୍ତି। ଜେନସନଙ୍କ ନେତୃତ୍ୱରେ Nvidia ଏକ ଗ୍ରାଫିକ୍ସ କାର୍ଡ ନିର୍ମାତା କମ୍ପାନୀରୁ ବିଶ୍ୱର AI ଚିପ୍ ଶିଳ୍ପର ଅନ୍ୟତମ ପ୍ରମୁଖ କମ୍ପାନୀରେ ପରିଣତ ହୋଇଥିଲା। ଆଜି ChatGPT, ଡାଟା ସେଣ୍ଟର, ରୋବୋଟିକ୍ସ, ସ୍ୱୟଂଚାଳିତ ଯାନ ଓ ଅନେକ AI ପ୍ରଯୁକ୍ତିର ବିକାଶରେ Nvidiaର ଚିପ୍ ବ୍ୟବହାର ହେଉଛି।
ଏହି ଇସ୍ତଫାର AI ଦୁନିଆ ଉପରେ ପ୍ରଭାବ କ'ଣ ପଡ଼ିବ?
Nvidiaର ଭବିଷ୍ୟତ AI ଚିପ୍ ଉତ୍ପାଦନ ଓ ବ୍ୟବସାୟିକ ରଣନୀତି ଉପରେ ପ୍ରଶ୍ନ ଉଠିପାରେ। Microsoft, Google, Amazon ଓ ଅନ୍ୟ AI କମ୍ପାନୀଗୁଡ଼ିକ Nvidia ଚିପ୍ ଉପରେ ନିର୍ଭର କରୁଥିବାରୁ ଏହାର ନେତୃତ୍ୱ ପରିବର୍ତ୍ତନ ଶିଳ୍ପ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆମେରିକା-ଚୀନ୍ ମଧ୍ୟରେ AI ଚିପ୍ ରପ୍ତାନି ନିୟନ୍ତ୍ରଣ ଆହୁରି ଚର୍ଚ୍ଚାକୁ ଆସିପାରେ। ନୂଆ CEOଙ୍କ ପାଇଁ କମ୍ପାନୀର ବିଶ୍ୱସ୍ତରୀୟ ବ୍ୟବସାୟ ଓ ନିବେଶକଙ୍କ ଭରସା ବଜାୟ ରଖିବା ଏକ ବଡ଼ ଚ୍ୟାଲେଞ୍ଜ ହେବ।
