ଭକ୍ତି ଓ ଉତ୍ସାହରେ କଟକରେ ପାଳିତ ହେଲା ମହାପ୍ରଭୁଙ୍କ ରଥଯାତ୍ରା
କଟକରେ ମହାଆଡମ୍ବରରେ ପାଳିତ ହେଲା ରଥଯାତ୍ରା। ଦୋଳମୁଣ୍ଡାଇରୁ ଚାନ୍ଦିନୀଚୌକ ଧୁମଧାମରେ ଗଡ଼ିଲା ତିନିରଥ। ସୁଭଦ୍ରାଙ୍କ ଦର୍ପଦଳନ ରଥ ଟାଣିଲେ ମହିଳା । କଡ଼ା ସୁରକ୍ଷା ମଧ୍ୟରେ ସମ୍ପନ୍ନ ହେଲା ଘୋଷଯାତ୍ରା।
କଟକ: ଜଗତର ନାଥ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଭକ୍ତି ଓ ଉତ୍ସାହର ସହ ଘୋଷଯାତ୍ରା ପାଳିତ ହୋଇଛି। ଭାଇଚାରାର ସହର କଟକରେ ମଧ୍ୟ ପାଳିତ ହୋଇଛି ରଥଯାତ୍ରା। ସହର ଦୋଳମୁଣ୍ଡାଇ, ଚାନ୍ଦିନୀଚୌକ ଓ ମହାନଦୀ ବିହାର ଅଞ୍ଚଳରେ ରଥଯାତ୍ରା ଧୁମଧାମରେ ଆୟୋଜିତ ହୋଇଥିଲା। ସକାଳୁ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବା ପରେ ମଧ୍ୟାହ୍ନ ପ୍ରାୟ ୧ଟାରେ ଚତୁର୍ଥାବିଗ୍ରହଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର, ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ସମ୍ପନ୍ନ ହୋଇଥିଲା। ଏହାପରେ ତିନି ରଥରେ ଛେରା ପହଁରା ନୀତି ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ପ୍ରାୟ ୪ଟାରେ ରଥଟଣା ଆରମ୍ଭ ହୋଇଥିଲା। ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥ, ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯାଇଥିଲା।
ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ମହିଳାମାନେ ଟାଣିବା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା।
ଲଘୁଚାପଜନିତ ବର୍ଷା ସତ୍ତ୍ୱେ ହଜାର ହଜାର ଶ୍ରଦ୍ଧାଳୁ ମହାନଦୀ ବିହାର, ଦୋଳମୁଣ୍ଡାଇ ଓ ଚାନ୍ଦିନୀଚୌକରେ ସମବେତ ହୋଇ ମହାପ୍ରଭୁଙ୍କ ଦର୍ଶନ ସହ ରଥଟଣାରେ ସାମିଲ ହୋଇଥିଲେ। ରଥଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ସହରରେ ବ୍ୟାପକ ପୋଲିସ ମୁତୟନ ସହ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଥିଲା। କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଧେ, ବିଧାୟକ, ମେୟର ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ସହରର ବିଭିନ୍ନ ସ୍ଥାନରେ ଆୟୋଜିତ ରଥଯାତ୍ରାରେ ଯୋଗଦେଇ ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କରିଥିଲେ।
