Rahul Acquits Defamation Case:ମାନହାନି ମାମଲାରେ ରାହୁଲ ନିର୍ଦ୍ଦୋଷ
ରାହୁଲ ଗାନ୍ଧୀ କହିଥିଲେ, ଯେଉଁ ଦଳ ସ୍ୱଛତାର କଥା କହୁଛି, ସେ ଦଳର ଅଧ୍ୟକ୍ଷ ହତ୍ୟା ଅଭିଯୁକ୍ତ ଅଟନ୍ତି। ଏହି ବିବାଦର ପୃଷ୍ଠଭୂମିରେ ଥିଲା ସୋହରାବୁଦ୍ଦିନ ଶେଖ ଏନକାଉଣ୍ଟର ମାମଲା। ୨୦୧୮ରେ ମାନହାନି ମାମଲାରେ ରାହୁଲଙ୍କୁ ଦୋଷମୁକ୍ତ କଲେ ସୁଲତାନପୁର ଏମପି-ଏମଏଲଏ କୋର୍ଟ।

ରାହୁଲ ନିର୍ଦ୍ଦୋଷ। ୨୦୧୮ରେ ମାନହାନି ମାମଲାରେ ରାହୁଲଙ୍କୁ ଦୋଷମୁକ୍ତ କଲେ ସୁଲତାନପୁର ଏମପି-ଏମଏଲଏ କୋର୍ଟ। ଅମିତ ଶାହଙ୍କ ଉପରେ ଦେଇଥିଲେ ଆପତ୍ତିଜନକ ଟିପ୍ପଣୀ। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ବେଳେ ପ୍ରେସମିଟରେ ତତ୍କାଳୀନ ବିଜେପି ରାଷ୍ଟ୍ରୀୟ ସଭାପତି ତଥା ଏବେକାର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୁଦ୍ଧରେ ବିବାଦୀୟ ବୟାନ ଦେଇଥିଲେ ରାହୁଲ। ଏହାକୁ ନେଇ ତତ୍କାଳୀନ ଜିଲ୍ଲା ବିଜେପି ଉପାଧ୍ୟକ୍ଷ ବିଜୟ ମିଶ୍ରା ଦେଓ୍ୱାନି ଅଦାଲତରେ ମାନହାନି ମକଦ୍ଦମା ରୁଜୁ କରିଥିଲେ। ମେ ୮,୨୦୧୮ର ଘଟଣା। ବେଙ୍ଗାଲୁରୁରେ ପ୍ରେସମିଟରେ ରାହୁଲ ଗାନ୍ଧୀ କହିଥିଲେ, ଯେଉଁ ଦଳ ସ୍ୱଛତାର କଥା କହୁଛି, ସେ ଦଳର ଅଧ୍ୟକ୍ଷ ହତ୍ୟା ଅଭିଯୁକ୍ତ ଅଟନ୍ତି। ଏହି ବିବାଦର ପୃଷ୍ଠଭୂମିରେ ଥିଲା ସୋହରାବୁଦ୍ଦିନ ଶେଖ ଏନକାଉଣ୍ଟର ମାମଲା। ଏହି ମାମଲାରେ ଅମିତ ଶାହଙ୍କ ନାମ ଆସିଥିଲା, କିନ୍ତୁ ୨୦୧୪ରେ ଏକ ସ୍ୱତନ୍ତ୍ର CBI କୋର୍ଟ ତାଙ୍କୁ ମାମଲାରୁ ଦୋଷମୁକ୍ତ କରିଥିଲେ। ରାହୁଲଙ୍କ ମନ୍ତବ୍ୟକୁ ନେଇ ଅଭିଯୋଗକାରୀ କହିଥିଲେ ଯେ ଏପରି ବୟାନ ଅମିତ ଶାହଙ୍କ ସମ୍ମାନ ଓ ଖ୍ୟାତିକୁ କ୍ଷତି ପହଞ୍ଚାଇଥିଲା। ଅନ୍ୟପକ୍ଷରେ, ରାହୁଲ ଗାନ୍ଧୀ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ। ତେବେ ୮ ବର୍ଷ ପରେ ଆଜି ଆସିଲା ରାୟ। ସାକ୍ଷୀର ଅଭାବ ଓ ମାମଲାକୁ ତଥ୍ୟହୀନ ମାନିବା ସହ ରାହୁଲ ଗାନ୍ଧୀଙ୍କୁ ଆଜି ଅଦାଲତ ଦୋଷମୁକ୍ତ କରିଛନ୍ତି। ସେପଟେ କୋର୍ଟ ପହଞ୍ଚିବା ଆଗରୁ ରାହୁଲ ଗାନ୍ଧୀଙ୍କ କନଭୟ ପଛରେ ଚାଲୁଥିବା କିଛି ଗାଡ଼ି ନିଜ ନିଜ ଭିତରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏଥିରେ ୫ଟି କାର୍ ଓ ଗୋଟିଏ ଆମ୍ୱୁଲାନ୍ସ ଅଛି। ତେବେ ରାହୁଲ ସୁରକ୍ଷିତ ଅଛନ୍ତି। ପୂର୍ବାଞ୍ଚଳ ଏକ୍ସପ୍ରେସ ଓ୍ୱେର ହଲିୟାପୁରରେ ଏହି ଦୁର୍ଘଟଣା ଘଟିଛି। ଏଥିରେ କଂଗ୍ରେସର କିଛି କାର୍ଯ୍ୟକର୍ତ୍ତା ଆହତ ହୋଇଛନ୍ତି। ସୁଲତାନପୁର ଏସପିଙ୍କ କହିବା ଅନୁସାରେ, ୪ଟି ପ୍ରାଇଭେଟ ଗାଡ଼ି ଲକ୍ଷ୍ନୌରୁ ସୁଲତାନପୁର କୋର୍ଟରେ ହାଜର ହେବାକୁ ରାହୁଲ ଯିବା ବେଳେ ତାଙ୍କ କନଭୟ ପଛପଟେ ଯାଉଥିଲା। ଏମାନଙ୍କ ଭିତରେ ଗୋଟିଏ ଗାଡ଼ିର ଡ୍ରାଇଭର ଅଚାନକ ବ୍ରେକ୍ ମାରିବାରୁ ପଛକୁ ପଛ ଗାଡ଼ିଗୁଡ଼ିକ ପିଟି ହୋଇଯାଇଥିଲା। ଦୁର୍ଘଟଣାଗ୍ରସ୍ତ ଗାଡ଼ି ଭିତରେ ଗୋଟିଏ ଆମ୍ୱୁଲାନ୍ସ ବି ଅଛି।
