Puri Srimandir: ନୂଆ ସୁନାବେଶ ସେଟ୍କୁ ମଞ୍ଜୁରୀ, ୩୦ରୁ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର
ଶ୍ରୀମନ୍ଦିର ପରିଚାଳନା କମିଟିର ବଡ଼ ନିଷ୍ପତ୍ତି। ସୁନାବେଶ ପାଇଁ ହେବ ନୂଆ ସୁବର୍ଣ୍ଣ ଅଳଙ୍କାର ସେଟ୍। ୩୦ରୁ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର। ଦିବ୍ୟାଙ୍ଗଙ୍କ ପାଇଁ ଉତ୍ତରଦ୍ୱାର ଦେଇ ସ୍ୱତନ୍ତ୍ର ଦର୍ଶନ ନେଇ ଆଲୋଚନା।
ପୁରୀ: ଶେଷ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ନୀତି ନିର୍ଦ୍ଧାରଣ ସହ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ଓ ନିଷ୍ପତ୍ତି ହୋଇଛି। ମହାପ୍ରଭୁଙ୍କ ପାଇଁ ନୂଆ ସୁନାବେଶ ସେଟ୍ ନିର୍ମାଣ ନିଷ୍ପତ୍ତିକୁ ଅନୁମୋଦନ ମିଳିଛି। ସୁନାବେଶ ପାଇଁ ଆଉ ଏକ ସୁବର୍ଣ୍ଣ ଅଳଙ୍କାର ସେଟ୍ ପ୍ରସ୍ତୁତ କରିବ ଶ୍ରୀମନ୍ଦିର ପ୍ରଶାସନ। ଏଥିପାଇଁ ପ୍ରଶାସନ ନିଜସ୍ୱ ଅର୍ଥ ବ୍ୟବହାର କରିବ। ତେବେ ଇଚ୍ଛୁକ ଭକ୍ତ ଓ ଶ୍ରଦ୍ଧାଳୁ ସ୍ୱଇଚ୍ଛାରେ ଦାନ କରିପାରିବେ। ପ୍ରସ୍ତୁତ ହେବା ପରେ ନୂଆ ଅଳଙ୍କାର ରତ୍ନଭଣ୍ଡାରର ବାହାର ଭଣ୍ଡାରରେ ସୁରକ୍ଷିତ ରଖାଯିବ। ରତ୍ନଭଣ୍ଡାର ଗଣତି ସମୟରେ କରାଯାଇଥିବା ଭିଡିଓ, ଫଟୋ ଓ ଡିଜିଟାଲ ଡକ୍ୟୁମେଣ୍ଟେସନ୍କୁ ଆଧାର କରି ନୂଆ ଅଳଙ୍କାରର ଆକୃତି ଓ ଅନ୍ୟାନ୍ୟ ମାପଦଣ୍ଡ ନିର୍ଦ୍ଧାରଣ କରାଯିବ। ସୁରକ୍ଷା ପ୍ରୋଟୋକଲ ସହ ବୈଷୟିକ ଆକଳନ, ପାରମ୍ପରିକ ଆକୃତି, ଓଜନ ଓ ଧାର୍ମିକ ପ୍ରାମାଣିକତାକୁ ଗୁରୁତ୍ୱ ଦିଆଯିବ। ଭଣ୍ଡାର ମେକାପ, ତଢ଼ାଉ କରଣ ଓ ଦେଉଳ କରଣଙ୍କ ଅନୁଧ୍ୟାନ ସହ ଏଥିପାଇଁ ଏକ ଟେକ୍ନିକାଲ କମିଟି ଗଠନ ହେବ। ଅନୁଭବୀ ସଂସ୍ଥାକୁ ଅଳଙ୍କାର ନିର୍ମାଣ ଦାୟିତ୍ୱ ଦିଆଯିବ।
ସେପ୍ଟେମ୍ବର ୩୦ରୁ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର
ସେପଟେ ସେପ୍ଟେମ୍ବର ୩୦ରୁ ଭକ୍ତଙ୍କ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଗ୍ରୀନ୍ ସିଗନାଲ୍ ଦେଇଛି। ସୁରକ୍ଷା ବ୍ୟବସ୍ଥା, ଟିକେଟ୍ କାଉଣ୍ଟର ଓ ପାନୀୟ ଜଳ ଯୋଗାଣ ଭଳି ବ୍ୟବସ୍ଥା ସରିଥିବା ସୂଚନା ମିଳିଛି। ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ପାଇଁ ମନ୍ଦିର ଖୋଲା ରହିବ। ପ୍ରଥମ ୩ ଦିନ ମାଗଣା ପ୍ରବେଶ ରହିବାକୁ ଥିବା ବେଳେ ପରବର୍ତ୍ତୀ ଦିନଗୁଡ଼ିକରେ ୧୦ ଟଙ୍କା ପ୍ରବେଶ ଶୁଳ୍କ ରହିବ। ବୟସ୍କ, ଶିଶୁ ଓ ଦିବ୍ୟାଙ୍ଗଙ୍କ ପାଇଁ ମାଗଣା ପ୍ରବେଶ ବ୍ୟବସ୍ଥା ରହିବ।
ଶ୍ରୀମନ୍ଦିର ଉତ୍ତରଦ୍ୱାର ଦେଇ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରିବା ନେଇ ଆଲୋଚନା ହୋଇଛି। ଏଥିପାଇଁ ସ୍ୱତନ୍ତ୍ର ସ୍ଲଟ୍ ନିର୍ଦ୍ଧାରଣ ସହ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଭଲ୍ୟୁଣ୍ଟିୟର ନିୟୋଜନ କରାଯିବା ନେଇ ପ୍ରସ୍ତାବ ରହିଛି। ପୁରୀବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ଆଧାର କାର୍ଡ ଯାଞ୍ଚ, ସ୍ଲଟ୍ ବୁକିଂ ଓ ଚିଟ୍ ମାଧ୍ୟମରେ ଦର୍ଶନ ବ୍ୟବସ୍ଥା କରିବା ନେଇ ପ୍ରସ୍ତାବ ରହିଛି। ଦିନକୁ କେତେ ସଂଖ୍ୟକ ପୁରୀବାସୀ ଦର୍ଶନ କରିପାରିବେ ଏବଂ ସମୟ କିପରି ନିର୍ଦ୍ଧାରଣ ହେବ, ସେନେଇ ପରବର୍ତ୍ତୀ ଆଲୋଚନା ପରେ ନିଷ୍ପତ୍ତି ହେବ।
ଆଦର୍ଶ ଗୁରୁକୂଳ ନିର୍ମାଣ ଆରମ୍ଭ
ସେବାୟତ କଲ୍ୟାଣ ଯୋଜନା ଓ ଆଦର୍ଶ ଗୁରୁକୂଳ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ଆଦର୍ଶ ଗୁରୁକୂଳର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ୧୩୫୦ ମିଟର ପ୍ରାଚୀର ମଧ୍ୟରେ ଗୁରୁକୂଳ ନିର୍ମାଣ ହେବାକୁ ଥିବା ବେଳେ ଏପର୍ଯ୍ୟନ୍ତ ୮୦୦ ମିଟର ପ୍ରାଚୀର ନିର୍ମାଣ ସରିଥିବା ସୂଚନା ମିଳିଛି।
ଏହି ପ୍ରକଳ୍ପ ମଧ୍ୟରେ ସ୍କୁଲ, ମନ୍ଦିର, ଖେଳ ପଡ଼ିଆ, ଅତ୍ୟାଧୁନିକ ଅଡିଟୋରିୟମ୍ ଓ ହଷ୍ଟେଲ୍ ଭଳି ବିଭିନ୍ନ ବ୍ୟବସ୍ଥା ରହିବ।
