ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି, ୧୦୮ କଳସୀ ଜଳ ହେବ ଲାଗି।
ରତ୍ନ ବେଦୀ ଛାଡି ସ୍ନାନବେଦୀରେ ଚତୁର୍ଦ୍ଧା ମୂର୍ତ୍ତି। ୧୦୮ କଳସୀ ଜଳରେ କରିବେ ସ୍ନାନ । ପରେ ଦୁଲର୍ଭ ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ତିନି ଠାକୁର।

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା। ଏନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ। ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ ସ୍ନାନଯାତ୍ରା । ରତ୍ନ ବେଦୀ ଛାଡି ସ୍ନାନବେଦୀରେ ବିରାଜିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ପାରମ୍ପରିକ ରୀତିନୀତିରେ ବେଦଧ୍ୱନିରେ ୧୦୮ କଳସୀ ଜଳରେ ସ୍ନାନ କରିବେ । ଏହା ପରେ ଭକ୍ତଙ୍କୁ ଗଜାନନ ବେଶରେ ଦର୍ଶନ ଦେବେ ତିନି ଠାକୁର। ଆଜି ଭୋର୍ ୫ରୁ ପହଣ୍ଡି ହୋଇ ସ୍ନାନବେଦିରେ ଚତୁର୍ଦ୍ଧାମୂର୍ତ୍ତି ବିଜେ କରିଛନ୍ତି । ଆଜି ସକାଳୁ ମଙ୍ଗଳାର୍ପଣ, ପୁଷ୍ପାଞ୍ଜଳି, ଡୋର ଲାଗି ନୀତି ଶେଷ କରାଯାଇ ଧାଡ଼ି ପହଣ୍ଡି ଆରମ୍ଭ ହୋଇଥିଲା । ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଡଠାକୁର ବଳଭଦ୍ର, ପରେ ମା ସୁଭଦ୍ରା ଏବଂ ଶେଷରେ କୋଟି ବ୍ରହ୍ମାଣ୍ଡର ଠାକୁର ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଧାଡ଼ି ପହଣ୍ଡିରେ ଆସି ସ୍ନାନବେଦୀରେ ବିରାଜି ଥିଲେ। ଦିନ ୧୨ଟା ୨୦ରୁ ୨ଟା ମଧ୍ୟରେ ଜଳ ବିଜେ, ପୂଜା ଓ ସ୍ନାନବିଧି ଅନୁଷ୍ଠିତ ହେବ। ସ୍ନାନ ମଣ୍ଡପରେ ଜଳ ବିଜେ ପୂର୍ବରୁ ପ୍ରତିହାରୀ ସେବକମାନେ ଟେରା ବାନ୍ଧି ଶୋଧ କରିବେ। ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଦର୍ଶନ ସାରି ଶ୍ରୀମନ୍ଦିରରୁ ପ୍ରତ୍ୟାବର୍ତ୍ତନ ପରେ ଗଜପତି ମହାରାଜ ପାରମ୍ପରିକ ରୀତିରେ ଶ୍ରୀନଅରରୁ ଛେରା ପହଁରା ପାଇଁ ବିଜେ କରିବେ। ପରେ ସାଢ଼େ ୩ଟାରେ ଗଜପତି ମହାରାଜ ରାଜନୀତି ଓ ସ୍ନାନମଣ୍ଡପ ଛେରା ପହଁରା କରିବେ। ଅପରାହ୍ଣ ୪ଟାରୁ ୫ଟା ମଧ୍ୟରେ ତିନିଠାକୁରଙ୍କ ଗଜାନନ ବେଶ ଅନୁଷ୍ଠିତ ହେବା ପରେ, ସନ୍ଧ୍ୟା ସାଢ଼େ ୭ରୁ ସାହାଣମେଲା ଦର୍ଶନ କରିବେ ଭକ୍ତ । ଅନ୍ୟପଟେ ମହାପ୍ରଭୁଙ୍କର ଏହି ଦିବ୍ୟ ଲୀଳାକୁ ଦର୍ଶନ ନେଇ ଶ୍ରୀକ୍ଷେତ୍ର ପାଲଟିଛି ଜନସମୁଦ୍ର। ଅଗଣିତ ଭକ୍ତ ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳହୁଳି ଶବ୍ଦରେ କମ୍ପୁଛି ବଡଦାଣ୍ଡ । ପ୍ରାୟ ୬ରୁ ୭ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିବା ବେଳେ, ଭିଡ଼ ନିୟନ୍ତ୍ରଣ, ଶୃଙ୍ଖଳିତ ଦର୍ଶନ ପାଇଁ ସବୁ ପ୍ରକାର ବ୍ୟବସ୍ଥା ପରଶଷାସନ ପକ୍ଷରୁ ଗ୍ରହଣ କରାଯାଇଛି। ବର୍ଷକୁ ଥରୁଟିଏ ମହାପ୍ରଭୁ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି, ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଏ । ଅନ୍ୟପଟେ ଆଜିର ଦିନକୁ ମହାପ୍ରଭୁଙ୍କ ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଇଥାଏ । ଏହା ରଥଯାତ୍ରା ଆଗରୁ ପାଳିତ ହେଉଥିବା ଏକ ପୂଜା ବିଧି ।
