ସମ୍ପତ୍ତି ବିବାଦରୁ ବୃଦ୍ଧ ବାପା-ମାଆଙ୍କ ଉପରେ ଆକ୍ରମଣ, ୮୮ ବର୍ଷୀୟ ବୃଦ୍ଧଙ୍କୁ ରାତିରେ ଉଠାଇ ନେଲା ପୋଲିସ
ଯାଜପୁର ଜିଲ୍ଲାର ବୈରୀ ଥାନା ଅଧୀନ ପ୍ରାଣନାଥପୁର ଗ୍ରାମରେ ସମ୍ପତ୍ତି ପାଇଁ ଜଣେ ୮୮ ବର୍ଷୀୟ ବୃଦ୍ଧ ବାପାମାଙ୍କୁ ନିଜ ପୁଅମାନେ ମରଣାନ୍ତକ ଆକ୍ରମଣ କରିଥିବା ନେଇ ବୈରୀ ଥାନାରେ ଲିଖିତ ଅଭିଯୋଗ ।
ଚଣ୍ଡିଖୋଲ: ପାରିବାରିକ କଳହ ଓ ସମ୍ପତ୍ତି ବିବାଦର କରୁଣ ପରିଣତି ଦେଖିବାକୁ ମିଳିଛି । ଯାଜପୁର ଜିଲ୍ଲାର ବୈରୀ ଥାନା ଅଧୀନ ପ୍ରାଣନାଥପୁର ଗ୍ରାମରେ ସମ୍ପତ୍ତି ପାଇଁ ଜଣେ ୮୮ ବର୍ଷୀୟ ବୃଦ୍ଧ ବାପାମାଙ୍କୁ ନିଜ ପୁଅମାନେ ମରଣାନ୍ତକ ଆକ୍ରମଣ କରିଥିବା ନେଇ ବୈରୀ ଥାନାରେ ଲିଖିତ ଅଭିଯୋଗ । ସୂଚନା ଅନୁଯାୟୀ, ପ୍ରାଣନାଥପୁର ଗ୍ରାମର ବାବାଜି ସାହୁଙ୍କର ଚାରି ପୁଅ । ଅଭିଯୋଗ ଅନୁସାରେ, ବୃଦ୍ଧ ଦମ୍ପତିଙ୍କ ଭରଣପୋଷଣ ଦାୟିତ୍ୱ ଅନ୍ୟ ପୁଅମାନେ ନେଉନଥିବା ବେଳେ ବଡ଼ପୁଅ ଓ ସାନପୁଅ ଦୀର୍ଘଦିନ ଧରି ସେମାନଙ୍କ ଦେଖାଶୁଣା କରିଆସୁଥିଲେ। ତେବେ ଗତକାଲି ରାତିରେ ମଝିଆ ଦୁଇ ପୁଅ ସୁରେଶ ସାହୁ ଓ ସୁଶାନ୍ତ ସାହୁ ମିଶି ବୃଦ୍ଧ ବାପା-ମାଆଙ୍କ ସମେତ ଅନ୍ୟ ଦୁଇ ଭାଇଙ୍କ ପରିବାର ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ କିଛି ଲୋକ ଆହତ ହୋଇଥିବା ମଧ୍ୟ ଜଣାପଡ଼ିଛି। ଅନ୍ୟପଟେ, ଯେଉଁ ପୁଅମାନେ ବୃଦ୍ଧ ବାପା-ମାଆଙ୍କ ଭରଣପୋଷଣ କରୁନଥିଲେ, ସେମାନେ ବୃଦ୍ଧ ବାପାଙ୍କ ନାମରେ ଥାନାରେ କରିଛନ୍ତି ଅଭିଯୋଗ । ଏହାପରେ ବୈରୀ ପୋଲିସ ରାତି ଅଧିଆରେ ବାପା ବାବାଜି ସାହୁଙ୍କୁ ଥାନାକୁ ନେଇଯାଇଥିବା ନେଇ ତାଙ୍କ ପତ୍ନୀ ଗୁରି ସାହୁ ଅଭିଯୋଗ କରିଛନ୍ତି। ବୃଦ୍ଧା ମାଆଙ୍କ କହିବା ଅନୁସାରେ, ପରିଣତ ବୟସରେ ସେମାନଙ୍କୁ ଆକ୍ରମଣ କରାଯିବା ଅତ୍ୟନ୍ତ ଦୁଃଖଦ ଘଟଣା। ୮୮ ବର୍ଷ ବୟସରେ ବୃଦ୍ଧ ଦମ୍ପତି କେଉଁଠି ଯିବେ ଏବଂ ସେମାନଙ୍କୁ ସାହାରା କିଏ ଦେବ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ, ବରିଷ୍ଠ ନାଗରିକ ଜଣଙ୍କୁ ରାତିରେ ଥାନାକୁ ଉଠାଇ ନେବା ପୋଲିସର ପଦକ୍ଷେପ କେତେଦୂର ଯୁକ୍ତିସଙ୍ଗତ, ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ପୋଲିସ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିନଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି।

