Printed fake notes watching Insta reels .ଇନଷ୍ଟାଗ୍ରାମ ରିଲ୍ ଦେଖି ନକଲି ନୋଟ୍ ଛାପୁଥିଲେ ପରିବା ବ୍ୟବସାୟୀ
ଚର୍ଚ୍ଚାରେ ରାଜକୋଟର ପରିବା ବ୍ୟବସାୟୀ | ଘର ନୁହେଁତ ମିନି ଟଙ୍କା ଛାପା କାରଖାନା ଆଉ ସୋସିଆଲ ମିଡିଆ ହେଲା ଅପରାଧର ପାଠଶାଳା! ଇନଷ୍ଟାଗ୍ରାମ ରିଲ୍ ଦେଖି ଶିଖିଲେ ଓ ପରେ ଟେଲିଗ୍ରାମରୁ ଟ୍ରେନିଂ ନେଇ ବଜାରରେ ଚଳାଉଥିଲେ ନକଲି ନୋଟ୍ | ଟେଲିଗ୍ରାମ ମାଷ୍ଟରମାଇଣ୍ଡକୁ ଖୋଜୁଛି ପୋଲିସ |
ଗୁଜରାଟ:ଗୁଜରାଟର ରାଜକୋଟ କ୍ରାଇମ୍ ବ୍ରାଞ୍ଚ ଏବଂ ସ୍ପେଶାଲ ଅପରେସନ୍ସ ଗ୍ରୁପ୍ (SOG) ଏକ ମିଳିତ ଅପରେସନ କରି ନକଲି ନୋଟ୍ ଛାପୁଥିବା ରାକେଟ୍ର ପର୍ଦ୍ଦାଫାଶ କରିଛନ୍ତି।ଇନଷ୍ଟାଗ୍ରାମ ରିଲ୍ ଏବଂ ଟେଲିଗ୍ରାମ ଚ୍ୟାନେଲକୁ ମାଧ୍ୟମ କରି ଘରେ ନକଲି ନୋଟ୍ ଛାପୁଥିବା ଅଭିଯୋଗରେ ଜଣେ ପରିବା ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ସହରର ମାଣ୍ଡାଡୁଙ୍ଗର ଅଞ୍ଚଳରେ ରହୁଥିବା କିଶନ ସୋଲାଙ୍କି ନାମକ ଜଣେ ପରିବା ବ୍ୟବସାୟୀଙ୍କ ଘରେ ପୋଲିସ ଚଢ଼ାଉ କରି ଅଭିଯୁକ୍ତଙ୍କ ଘରୁ ବିପୁଳ ପରିମାଣର ନକଲି ନୋଟ୍ ସହ ଆଧୁନିକ ପ୍ରିଣ୍ଟିଂ ସାମଗ୍ରୀ ଜବତ କରିବା ସହ ମୋଟ ୨୧୬ଟି ୧୦୦ ଟଙ୍କିଆ ନକଲି ନୋଟ୍ ଏବଂ ୩ଟି ୫୦୦ ଟଙ୍କିଆ ନକଲି ନୋଟ୍ ଜବତ କରିଛି, ଯାହାର ମୋଟ ମୂଲ୍ୟ ୨୩,୧୦୦ ଟଙ୍କା।
ଗିରଫ କିଶନ ସୋଲାଙ୍କି ଜଣେ ସାଧାରଣ ପରିବା ବେପାରୀ | ପରିବା ବ୍ୟବସାୟରୁ ଭଲ ରୋଜଗାର ହେଉନଥିବା ବେଳେ ସେ ବଜାରରୁ ପ୍ରଚୁର ଋଣ କରି ସମ୍ପୂର୍ଣ୍ଣ ଋଣଗ୍ରସ୍ତ ହୋଇପଡ଼ିଥିଲେ। ଏହି ଆର୍ଥିକ ସଂକଟରୁ ମୁକ୍ତି ପାଇବା ପାଇଁ ଉପାୟ ଖୋଜୁଥିବା ବେଳେ ଦିନେ ଇନଷ୍ଟାଗ୍ରାମରେ ନକଲି ନୋଟ୍ ତିଆରି ସମ୍ପର୍କିତ 'ରିଲ୍' ଦେଖିଥିଲେ | ରିଲ୍ ପୋଷ୍ଟ କରିଥିବା ବ୍ୟକ୍ତିଙ୍କୁ ସେ ମେସେଜ କରିବାପରେ , ସେମାନେ କିଶନଙ୍କୁ ସୁରକ୍ଷିତ ଯୋଗାଯୋଗ ପାଇଁ 'ଟେଲିଗ୍ରାମ' ରେ କଥା ହେବାପାଇଁ କହିଥିଲେ । ସେଠାରେ ଏକ ଗୁପ୍ତ ଚ୍ୟାନେଲ ମାଧ୍ୟମରେ କିଶନଙ୍କୁ କେଉଁ କାଗଜ ବ୍ୟବହାର କରାଯିବ, କିଭଳି କଲର ପ୍ରିଣ୍ଟିଂ କରାଯିବ ଏବଂ ଓ୍ୱାଟରମାର୍କ ଲାମିନେସନ୍ କିଭଳି ହେବ, ତାର ସମ୍ପୂର୍ଣ୍ଣ ପ୍ରଶିକ୍ଷଣ ଦିଆଯାଇଥିଲା। ଗତ ୪ ରୁ ୫ ମାସ ମଧ୍ୟରେ କିଶନ ନିଜେ ଛାପିଥିବା ପ୍ରାୟ ୪୦ଟି ୧୦୦ ଟଙ୍କିଆ ଜାଲ୍ ନୋଟ୍ ସ୍ଥାନୀୟ ବଜାରରେ ସଫଳତାର ସହ ଚଳାଇ ସାରିଛନ୍ତି। ସେ ସାଧାରଣତଃ ଭିଡ଼ ଥିବା ଦୋକାନରୁ ଛୋଟ ଛୋଟ ସାମଗ୍ରୀ କିଣି ବାକି ଟଙ୍କା ଅସଲି ଆକାରରେ ଫେରସ୍ତ ନେଉଥିଲେ। ଏହା ଛଡ଼ା ଜନ୍ମାଷ୍ଟମୀ ମେଳାର ପ୍ରବଳ ଭିଡ଼ର ସୁଯୋଗ ନେଇ ମଧ୍ୟ ଅଭିଯୁକ୍ତ ଜଣକ ବିପୁଳ ପରିମାଣର ଜାଲ୍ ନୋଟ୍ ବଜାରକୁ ଛାଡ଼ିବା ସନ୍ଦେହ କରୁଛି ପୋଲିସ | ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS) ର ଜାଲ୍ ମୁଦ୍ରା ପ୍ରସ୍ତୁତି ଓ ପ୍ରଚଳନ ଧାରା ଅଧୀନରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ଏବଂ କ୍ରାଇମ୍ ବ୍ରାଞ୍ଚର ସାଇବର ଟିମ୍ ଟେଲିଗ୍ରାମରେ ଟ୍ରେନିଂ ଦେଇଥିବା ସେହି ମାଷ୍ଟରମାଇଣ୍ଡର ଆଇପି (IP) ଆଡ୍ରେସ ଚିହ୍ନଟ କରିବାକୁ ଚେଷ୍ଟା କରୁଛି।
