Samata Express : ଟ୍ରେନ୍ରେ ଯାଞ୍ଚ ବେଳେ ଧରାପଡ଼ିଲା ୩୧ କେଜି ୫୦୦ ଗ୍ରାମ ଗଞ୍ଜେଇ
ଟିଟିଲାଗଡ଼ ରେଳ ଷ୍ଟେସନରେ ସମତା ଏକ୍ସପ୍ରେସ୍ ଟ୍ରେନରୁ ୩୧ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୬ ଜଣ ମହିଳାଙ୍କୁ ଜିଆର୍ପି ପୁଲିସ ଗିରଫ କରିଛି। ଏହି ଘଟଣାକୁ ନେଇ ଟିଟିଲାଗଡ଼ ରେଳ ଷ୍ଟେସନରେ ଚର୍ଚ୍ଚା ଜୋର ଧରିଛି।
ସମତା ଏକ୍ସପ୍ରେସ୍ରେ ଗଞ୍ଜେଇର ଚାଲଣା | ଟିଟିଲାଗଡ଼ ଜିଆର୍ପି ପୁଲିସ କୌଣସି ସୂତ୍ରରୁ ସୂଚନା ପାଇ ସମତା ଏକ୍ସପ୍ରେସ୍ର ବିଭିନ୍ନ ବଗିରେ ଯାଞ୍ଚ କରୁଥିଲା | ଏହି ସମୟରେ କିଛି ମହିଳା ସନ୍ଦିଗ୍ଧ ଭାବେ ଯାତ୍ରା କରୁଥିବା ପୁଲିସ ନଜରକୁ ଆସିଥିଲେ। ପୁଲିସ ସେମାନଙ୍କୁ ପଚରାଉଚରା କରିବା ସହ ସେମାନଙ୍କ ପାଖରେ ଥିବା ବ୍ୟାଗଗୁଡ଼ିକ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ବ୍ୟାଗ ଭିତରୁ ଗଞ୍ଜେଇ ମିଳିଥିବା ଜଣାପଡ଼ିଛି। ପୁଲିସ ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୬ ଜଣ ମହିଳାଙ୍କୁ ଗିରଫ କରିଛି । ଗିରଫ ମହିଳାମାନେ ହେଲେ ସାରଙ୍ଗା ଦୀପଙ୍କ ପତ୍ନୀ ପୁଷ୍ପା ଦୀପ (୩୦), ଧନସିଂହ ଦୀପଙ୍କ ଝିଅ ଭାଗବତ ଦୀପ (୨୯), ତ୍ରିନାଥ ବାଗଙ୍କ ଝିଅ ଅନୁସାୟା (୩୦), ଅନିଲ ଲୁହାଙ୍କ ପତ୍ନୀ ଅଞ୍ଜଳି ଲୁହା (୩୦),ରିଙ୍କୁ ସିଂଙ୍କ ପତ୍ନୀ ରେନୁ ସିଂ (୨୭), ଜୋସେଫ ମୁର୍ମୁଙ୍କ ଝିଅ ଅନୀତା ମୁର୍ମୁ (୨୭) | ଜବତ ଗଞ୍ଜେଇର ଓଜନ ୩୧ କେଜି ୫୦୦ ଗ୍ରାମ ବୋଲି ପୁଲିସ ପକ୍ଷରୁ ଜଣାପଡ଼ିଛି। ଏହି ଗଞ୍ଜେଇ କେଉଁଠାରୁ ଅଣାଯାଉଥିଲା ଏବଂ କେଉଁଠାକୁ ନିଆଯାଉଥିଲା, ଏହା ପଛରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ଜିଆର୍ପି ପୁଲିସ ଅଧିକ ତଦନ୍ତ ଜାରି ରଖିଛି |
