ବ୍ରହ୍ମପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ବ୍ରହ୍ମପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ତପ୍ତପାଣିରେ କରିବେ ପୂଜାର୍ଚ୍ଚନା । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସଜେଇ ହୋଇଛି ଗଞ୍ଜାମ, ୪୫ ପ୍ଲାଟୁନ୍ ପୋଲିସ ମୁତୟନ ।
ଗଞ୍ଜାମ: ବ୍ରହ୍ମପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଆଜିଠାରୁ ଦୁଇ ଦିନିଆ ଗଞ୍ଜାମ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସ୍ବତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ୱରରୁ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିଲେ ରାଷ୍ଟ୍ରପତି । ସେଠାରୁ ସଡ଼କ ପଥରେ ତପ୍ତପାଣି ଯାଇ ମା' କନ୍ଧୁଣି ଦେବୀଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିବେ। ପୂଜା ପରେ ରାଷ୍ଟ୍ରପତି ଗୋଳାବନ୍ଧସ୍ଥିତ ଆର୍ମି ଏଡି କଲେଜକୁ ଯାଇ ରାତ୍ରିଯାପନ କରିବେ। ଅଗଷ୍ଟ ୫ ତାରିଖ ସକାଳେ ସେ କାର ଯୋଗେ ବ୍ରହ୍ମପୁର ରେଳ ଷ୍ଟେସନକୁ ଆସି ସେଠାରୁ ଟ୍ରେନ୍ ଯୋଗେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବ୍ରହ୍ମପୁର ରେଳ ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ସଫେଇ କାର୍ଯ୍ୟ ସହ ଡଗ୍ ସ୍କ୍ୱାଡ୍, ବୋମା ନିଷ୍କ୍ରିୟକାରୀ ଦଳ ଏବଂ ମେଟାଲ ଡିଟେକ୍ଟର ମାଧ୍ୟମରେ ସୁରକ୍ଷା ଯାଞ୍ଚ କରାଯାଉଛି। ନକ୍ସଲ ବିରୋଧୀ ଅପରେସନର ଏଡିଜି ସଞ୍ଜିବ ପଣ୍ଡା ଓ ଏଡିଜି ଅନୁପ କୁମାର ସାହୁ ମଧ୍ୟ ଷ୍ଟେସନରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।
ରାଷ୍ଟ୍ରପତିଙ୍କ ଯାତ୍ରାପଥରେ ଥିବା ଗୋଷାଣୀ ନୂଆଗାଁ, ଅନ୍ଧପସରା, ମେଣ୍ଟୁ ଛକ, ହରିଡ଼ାଖଣ୍ଡି ଛକ, ଫାଷ୍ଟ ଗେଟ, ଦିଗପହଣ୍ଡି ଏବଂ ତପ୍ତପାଣି ଅଞ୍ଚଳରେ କଡ଼ା ସୁରକ୍ଷା ବଳୟ ସୃଷ୍ଟି କରାଯାଇଛି। ପ୍ରାୟ ୪୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିବାବେଳେ ସମଗ୍ର ଗଞ୍ଜାମ ଜିଲ୍ଲାକୁ ଆଜି 'ନୋ ଡ୍ରୋନ୍ ଫ୍ଲାଇଙ୍ଗ ଜୋନ୍' ଘୋଷଣା କରାଯାଇଛି। କୌଣସି ବ୍ୟକ୍ତିଙ୍କୁ ଡ୍ରୋନ୍ ଉଡ଼ାଇବାକୁ ଅନୁମତି ନାହିଁ। ଅନ୍ୟପଟେ, ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ବିଭିନ୍ନ କଳାକାର ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚି ନିଜ ନିଜ କଳା ପରିବେଷଣ ପାଇଁ ପ୍ରସ୍ତୁତ ରହିଛନ୍ତି। ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ନେଇ ସମଗ୍ର ଗଞ୍ଜାମ ଜିଲ୍ଲାରେ ଉତ୍ସାହ ସହ ସୁରକ୍ଷା ବ୍ୟବସ୍ଥା ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି।
