ଦୁଇ ଶିକ୍ଷକଙ୍କ ଡେପୁଟେସନ୍କୁ ନେଇ ଅସନ୍ତୋଷ, ଧାରଣାରେ ଛାତ୍ରଛାତ୍ରୀ-ଅଭିଭାବକ
ଜୟପାଟଣାରେ ଶିକ୍ଷା ସମସ୍ୟାକୁ ନେଇ ଆନ୍ଦୋଳନ। ଶିକ୍ଷକ ଡେପୁଟେସନ୍ ବିରୋଧରେ ବଡକର୍ଲାକୋଟ ପିଏମ୍ ଶ୍ରୀ ବିଦ୍ୟାଳୟରେ ତାଲାବନ୍ଦ, ଧାରଣାରେ ଛାତ୍ରଛାତ୍ରୀ-ଅଭିଭାବକ।
ଜୟପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧୀନରେ ଥିବା ବଡକର୍ଲାକୋଟ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୁଇ ଶିକ୍ଷକଙ୍କ ଡେପୁଟେସନ୍କୁ ବିରୋଧ କରି ଛାତ୍ରଛାତ୍ରୀ, ଅଭିଭାବକ ଓ ଏସଏମସି ସଦସ୍ୟମାନେ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଛନ୍ତି। ଅଭିଯୋଗ ଅନୁଯାୟୀ, ଜିଲ୍ଲା ଶିକ୍ଷା ଅଧିକାରୀ ଟିଜିଟି ସାଇନ୍ସ ଶିକ୍ଷକ ଅବିରାମ ଭୋଇ ଓ ଟିଜିଟି ଆର୍ଟ ଶିକ୍ଷକ କୃଷ୍ଣଚନ୍ଦ୍ର କୁମାରଙ୍କୁ ଡେପୁଟେସନ୍ରେ ପଠାଇଛନ୍ତି। ଏହା ପୂର୍ବରୁ ମଧ୍ୟ ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀଙ୍କୁ ଡେପୁଟେସନ୍ରେ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ଶିକ୍ଷକ ପରେ ବିଦ୍ୟାଳୟକୁ ଫେରିଥିବା ଜଣାପଡ଼ିଛି। ଏହିପରି ଶିକ୍ଷକ ଅଭାବ ହେଲେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବ୍ୟାହତ ହେବ। ଶିଶୁବାଟିକାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୬୦୦ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରେ ପଢ଼ୁଥିବାରୁ ତୁରନ୍ତ ଡେପୁଟେସନ୍ ବାତିଲ କରିବାକୁ ଦାବି ହୋଇଛି। ଦାବି ପୂରଣ ନହେଲେ ଆନ୍ଦୋଳନ ଜାରି ରଖାଯିବ ବୋଲି ଅଭିଭାବକ ଓ ଏସଏମସି ସଦସ୍ୟମାନେ ଚେତାବନୀ ଦେଇଛନ୍ତି। ଏବେ ଶିକ୍ଷା ବିଭାଗ ଏହି ଘଟଣାରେ କେଉଁ ପଦକ୍ଷେପ ନେଉଛି, ତାହା ଉପରେ ନଜର ରହିଛି।
