ନିଶା ମୁକ୍ତ ଓଡ଼ିଶା ଗଠନ: ଖୋର୍ଦ୍ଧା ପୋଲିସର ବଡ଼ ଅଭିଯାନ
ନିଶା କାରବାର ରୋକିବା ଦିଗରେ ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ଅଭିଯାନ। ବିଭିନ୍ନ ସ୍ଥାନରେ ଚଢ଼ାଉ। ୬୦କେଜି ଗଞ୍ଜେଇ ସହ ୧୦୦ ବୋତଲ ବେଆଇନ କଫ୍ ସିରପ୍ ଜବତ।
ଖୋର୍ଦ୍ଧା: ନିଶା କାରବାର ରୋକିବା ଦିଗରେ ଖୋର୍ଦ୍ଧା ଜିଲ୍ଲା ପୋଲିସକୁ ମିଳିଛି ବଡ଼ ସଫଳତା। ଖୋର୍ଦ୍ଧା ସଦର ଥାନା ଓ ବୋଲଗଡ଼ ଥାନା ପୋଲିସ ପୃଥକ ପୃଥକ ଚଢ଼ାଉ କରି ନିଷିଦ୍ଧ କଫ୍ ସିରପ ଓ ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ଖୋର୍ଦ୍ଧା ସଦର ଥାନା ପୋଲିସ କାଇପଦର କଲେଜ ନିକଟରେ ଚଢ଼ାଉ କରି ୧୦୦ ବୋତଲ ନିଷିଦ୍ଧ ଏସ୍କଫ୍ କଫ୍ ସିରପ ଜବତ କରିଛି। ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ପୋଲିସ ସୂଚନା ଅନୁଯାୟୀ, ଦୁଇ ଜଣ ବ୍ୟକ୍ତି ବାଇକ୍ ଯୋଗେ ଅବୈଧ କଫ୍ ସିରପ ବିକ୍ରି ପାଇଁ ନେଇଯାଉଥିବା ବେଳେ ସେମାନଙ୍କୁ ଅଟକ କରାଯାଇଥିଲା। ଯାଞ୍ଚ ସମୟରେ ଜଣଙ୍କ ନିକଟରୁ ୧୦୦ ବୋତଲ ଏସ୍କଫ୍ କଫ୍ ସିରପ, ଦୁଇଟି ମୋଟରସାଇକେଲ ଓ ଗୋଟିଏ ଆଣ୍ଡ୍ରଏଡ୍ ମୋବାଇଲ ଫୋନ ଜବତ ହୋଇଛି। ପଚରାଉଚରା ସମୟରେ ଅଭିଯୁକ୍ତମାନେ ଲାଭ ଉଦ୍ଦେଶ୍ୟରେ ଅବୈଧ ଭାବେ କଫ୍ ସିରପ ବିକ୍ରି କରିବାକୁ ଯୋଜନା କରିଥିବା ସ୍ୱୀକାର କରିଥିବା ପୋଲିସ କହିଛି। ସେହିପରି ବୋଲଗଡ଼ ଥାନା ପୋଲିସ ୫୭ ନମ୍ବର ଜାତୀୟ ରାଜପଥରେ ପାଟ୍ରୋଲିଂ ସମୟରେ ଗଞ୍ଜେଇ ଚାଲାଣକାରୀ ଏକ ରାକେଟକୁ ଧରିଛି।
କନ୍ଧମାଳ ଅଞ୍ଚଳରୁ ଆସୁଥିବା ଏକ କାର ଓ ଏକ ବାଇକକୁ ସନ୍ଦେହ ଆଧାରରେ ଅଟକାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ କାର ଭିତରୁ ୬୦ କେଜି ଗଞ୍ଜେଇ ମିଳିଥିଲା। ପୋଲିସକୁ ଭ୍ରମିତ କରିବା ପାଇଁ କାରରେ ୩ ଜଣ ମହିଳାଙ୍କ ସମେତ ୫ ଜଣ ଯାତ୍ରୀ ଭାବେ ଯାଉଥିବା ବେଳେ ଆଉ ଦୁଇ ଜଣ ବାଇକରେ ସେମାନଙ୍କୁ ଏସ୍କର୍ଟ କରୁଥିଲେ। ଏହି ଅଭିନବ ଉପାୟରେ ଚାଲିଥିବା ଗଞ୍ଜେଇ ଚାଲାଣକୁ ବୋଲଗଡ଼ ପୋଲିସ ପଣ୍ଡ କରିଛି। ଘଟଣାରେ ଗଞ୍ଜେଇ ଭର୍ତ୍ତି କାର, ବାଇକ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି। ଏନେଇ ଖୋର୍ଦ୍ଧା ଏସ୍ପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
