VVIP Visit Odisha: ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୨୮ ଓ ୨୯ ଅକ୍ଟୋବର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୫ ଅକ୍ଟୋବର ଓଡ଼ିଶା ଗସ୍ତକୁ ନେଇ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ। ସୁରକ୍ଷା ଓ କାର୍ଯ୍ୟକ୍ରମ ପରିଚାଳନା ଉପରେ ଗୁରୁତ୍ୱ।
ଭୁବନେଶ୍ୱର: ଅକ୍ଟୋବର ୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅକ୍ଟୋବର ୨୮ ଓ ୨୯ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତକୁ ନେଇ ଶନିବାର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଉନ୍ନୟନ କମିଶନର ଦେଓ ରଞ୍ଜନ କୁମାର ସିଂ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କ ସମେତ ବିଭିନ୍ନ ବିଭାଗର ସଚିବ, ପୁଲିସ ମହାନିର୍ଦ୍ଦେଶକ ଓ ସମ୍ପୃକ୍ତ ଅଧିକାରୀ ଉପସ୍ଥିତ ଥିଲେ।
ଅକ୍ଟୋବର ୨୫ରେ ମୋଦୀଙ୍କ ଖୋର୍ଦ୍ଧା ଗସ୍ତ
ପ୍ରଧାନମନ୍ତ୍ରୀ ଅକ୍ଟୋବର ୨୫ ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚି ହେଲିକପ୍ଟର ଯୋଗେ ଖୋର୍ଦ୍ଧା ଯିବେ। ସେଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗ୍ରୀନ୍ଫିଲ୍ଡ ଡାଟା ସେଣ୍ଟର ଓ ପ୍ରଶିକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିବେ। କାର୍ଯ୍ୟକ୍ରମ ପରେ ସେ ଭୁବନେଶ୍ୱର ଫେରି ସନ୍ଧ୍ୟାରେ ପ୍ରତ୍ୟାବର୍ତ୍ତନ କରିବେ।

୨୮ ଓ ୨୯ରେ ମୟୂରଭଞ୍ଜରେ ରାଷ୍ଟ୍ରପତି
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅକ୍ଟୋବର ୨୮ରେ ମୟୂରଭଞ୍ଜ ଜିଲ୍ଲାର ବହଳଦାସ୍ଥିତ ମା’ କୀଚକେଶ୍ୱରୀ ମନ୍ଦିର ଓ ରାଇରଙ୍ଗପୁରର ମହୁଲଡିହାସ୍ଥିତ ଲକ୍ଷ୍ମୀ ମଣ୍ଡପ ପରିଦର୍ଶନ କରିବେ। ଏହାସହ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଓ ମେଗା ସ୍ୱାସ୍ଥ୍ୟ ଶିବିରରେ ଯୋଗଦେବେ। ଏକ ଜନସମାବେଶରେ ଆଭାସୀ ମାଧ୍ୟମରେ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫରେଷ୍ଟ ମ୍ୟାନେଜମେଣ୍ଟ କ୍ୟାମ୍ପସର ଭିତ୍ତିପ୍ରସ୍ତର ସ୍ଥାପନ ସହ ଖିଚିଂ ମା’ କୀଚକେଶ୍ୱରୀ ମନ୍ଦିରର ଉନ୍ନତୀକରଣ ପାଇଁ ଶିଳାନ୍ୟାସ କରିବେ। ରାଇରଙ୍ଗପୁର ଓ ବାଦାମପାହାଡ଼ ଅମୃତ ଭାରତ ରେଳ ଷ୍ଟେସନର ଉଦ୍ଘାଟନ ମଧ୍ୟ କାର୍ଯ୍ୟସୂଚୀରେ ରହିଛି। ୨୯ ତାରିଖରେ ରାଷ୍ଟ୍ରପତି ରାଇରଙ୍ଗପୁରର କ୍ରୀଡ଼ା କମ୍ପ୍ଲେକ୍ସ, ଦକ୍ଷତା ବିକାଶ କେନ୍ଦ୍ର ଓ ଗୋରୁମହିଷାଣୀ ଇସ୍ପାତ କଲେଜ ପରିଦର୍ଶନ କରିବେ।
ଉଭୟ ଗସ୍ତ ପାଇଁ ସୁରକ୍ଷା, ଯାତାୟାତ, ସ୍ୱାସ୍ଥ୍ୟସେବା, ପାନୀୟ ଜଳ, ବିଦ୍ୟୁତ୍ ଓ ଗଣମାଧ୍ୟମ ପରିଚାଳନା ନେଇ ବୈଠକରେ ସମୀକ୍ଷା ହୋଇଛି। ସମସ୍ତ ପ୍ରସ୍ତୁତି ଠିକ୍ ଭାବେ ତଦାରଖ କରିବାକୁ ମୁଖ୍ୟ ଶାସନ ସଚିବ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ରାଜ୍ୟ ସ୍ୱରାଷ୍ଟ୍ର ବିଭାଗ ପକ୍ଷରୁ ଏକ ନିୟନ୍ତ୍ରଣ କକ୍ଷ ମଧ୍ୟ କାର୍ଯ୍ୟ କରିବ।
