Prayagraj Cash Seizure:ମାଟି ତଳେ ପୋତା ହୋଇଥିଲା ଟଙ୍କା ଭର୍ତ୍ତି ୩ ଡ୍ରମ୍
ଘର ଭିତରେ ମାଟି ତଳେ ପୋତା ହୋଇଥିଲା ଟଙ୍କା ଭର୍ତ୍ତି ତିନିଟି ପ୍ଲାଷ୍ଟିକ୍ ଡ୍ରମ୍। ଗୁପ୍ତ ସୂଚନା ଆଧାରରେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚଢ଼ାଉ କରି ଏହି ନଗଦ ଟଙ୍କା ଜବତ କରିଛି ପୋଲିସ। ଟଙ୍କାର ପରିମାଣ କୋଟି କୋଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି।
ପ୍ରୟାଗରାଜ: ଘର ଭିତରେ ମାଟି ଖୋଳି ବାହାର କରାଗଲା ଟଙ୍କା ଭର୍ତ୍ତି ତିନିଟି ଡ୍ରମ୍। ଉତ୍ତରପ୍ରଦେଶର ପ୍ରୟାଗରାଜ ଜିଲ୍ଲାର ନବାବଗଞ୍ଜ ଥାନା ଅଞ୍ଚଳରେ ପୋଲିସର ଚଢ଼ାଉ ବେଳେ ଏଭଳି ବିପୁଳ ପରିମାଣର ନଗଦ ଟଙ୍କା ଜବତ ହୋଇଛି। ଟଙ୍କାର ପରିମାଣ କୋଟି କୋଟି ହୋଇପାରେ ବୋଲି ପୋଲିସ ଅନୁମାନ କରୁଥିବାବେଳେ ଏବେ ନୋଟ୍ ଗଣତି ଜାରି ରହିଛି।ସୂଚନା ଅନୁସାରେ, ନବାବଗଞ୍ଜ ଥାନା ଅନ୍ତର୍ଗତ ବରେଇପୁର ରାମନଗର ଗ୍ରାମର ଏକ ଘରେ ଚୋରି ଟଙ୍କା ମାଟି ତଳେ ପୋତା ହୋଇଥିବା ନେଇ ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା। ଚୋରି ଓ ଘରେ ପଶି ଲୁଟ୍ ଘଟଣାର ତଦନ୍ତ କରୁଥିବା ପୋଲିସ ଏହି ସୂଚନା ଆଧାରରେ ଚଢ଼ାଉ କରିଥିଲା। ଏସିପି ସୋରାଁ ଓ ଏସିପି ଫୁଲପୁରଙ୍କ ନେତୃତ୍ୱରେ ନବାବଗଞ୍ଜ ଓ ସୋରାଁ ପୋଲିସର ମିଳିତ ଟିମ୍ ଘରେ ତଲାସି କରିଥିଲା। ସନ୍ଦେହଜନକ ସ୍ଥାନରେ ମାଟି ଖୋଳିବା ପରେ ତିନିଟି ପ୍ଲାଷ୍ଟିକ୍ ଡ୍ରମ୍ ମିଳିଥିଲା। ଡ୍ରମ୍ଗୁଡ଼ିକୁ ବାହାର କରି ଖୋଲିବା ପରେ ସେଥିରେ ନୋଟ୍ ବିଡ଼ା ଭର୍ତ୍ତି ହୋଇ ରହିଥିବା ଦେଖିବାକୁ ମିଳିଥିଲା। ପୋଲିସ ଏହି ଟଙ୍କା ଓ ଡ୍ରମ୍ଗୁଡ଼ିକୁ ଜବତ କରି ସିଲ୍ କରିଛି। ଡିସିପି ଗଙ୍ଗାନଗର ସୋନମ କୁମାରଙ୍କ ସୂଚନା ଅନୁସାରେ, ନଗଦ ଟଙ୍କାର ପରିମାଣ ବହୁତ ଅଧିକ। ଗଣତି ସମ୍ପୂର୍ଣ୍ଣ ହେବା ପରେ ହିଁ ଏହାର ସଠିକ୍ ପରିମାଣ ସ୍ପଷ୍ଟ ହେବ। ଘଟଣା ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଚରାଉଚରା ମଧ୍ୟ କରାଯାଉଛି।
