Pilibhit Firing Triple Murder:ରାମଲୀଳା ହିସାବ ବିବାଦରୁ ଗୁଳିକାଣ୍ଡ, ୩ ମୃତ
ରାମଲୀଳା ମେଳାର ଆୟବ୍ୟୟ ହିସାବକୁ ନେଇ ଆରମ୍ଭ ହୋଇଥିବା ବିବାଦ ଶେଷରେ ଭୟଙ୍କର ରକ୍ତପାତର ରୂପ ନେଲା। ଉତ୍ତରପ୍ରଦେଶର ପିଲିଭିତ୍ରେ ଗୁଳିକାଣ୍ଡରେ ତିନି ଜଣଙ୍କ ମୃତ୍ୟୁ ପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। କମିଟି ବିବାଦ କିପରି ଏତେ ଭୟଙ୍କର ହେଲା, ତାହାକୁ ନେଇ ଚାରିଆଡେ ଚର୍ଚ୍ଚା |
ଉତ୍ତରପ୍ରଦେଶ:ଉତ୍ତରପ୍ରଦେଶର ପିଲିଭିତ୍ ଜିଲ୍ଲାରେ ରାମଲୀଳା ମେଳା କମିଟିର ଆୟବ୍ୟୟ ହିସାବକୁ ନେଇ ବିବାଦ ଭୟଙ୍କର ରୂପ ନେଇଛି। ଦୁଇ ପକ୍ଷ ମଧ୍ୟରେ ଗଣ୍ଡଗୋଳ ଗୁଳିକାଣ୍ଡରେ ପରିଣତ ହୋଇଥିଲା । ଏଥିରେ ଦୁଇ ସମ୍ପର୍କୀୟ ଭାଇଙ୍କ ସମେତ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି। ମୃତକମାନେ ହେଲେ ୩୦ ବର୍ଷୀୟ ଅଙ୍କିତ ଗୁପ୍ତା, ୩୨ ବର୍ଷୀୟ ମୋହିତ ଗୁପ୍ତା ଏବଂ ୧୫ ବର୍ଷୀୟ କୁନାଲ ଶ୍ରୀବାସ୍ତବ। ଆହତ ରୋଜ ଗୁପ୍ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ସୂଚନା ପାଇ ଏଏସ୍ପି ହିମାଂଶୁ ଗୌରବଙ୍କ ସମେତ ବହୁ ସଂଖ୍ୟାରେ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୁଖ୍ୟ ଅଭିଯୁକ୍ତ କୌଶଳ ଗୁପ୍ତାଙ୍କୁ ହେପାଜତକୁ ନିଆଯାଇଥିବା ବେଳେ ତାଙ୍କର ଅନ୍ୟ ଦୁଇ ସହଯୋଗୀ ମଧ୍ୟ ଗିରଫ ହୋଇଛନ୍ତି। ପୁଲିସ ଏକ ଲାଇସେନ୍ସପ୍ରାପ୍ତ ରାଇଫଲ୍ ଓ ପିସ୍ତଲ ଜବତ କରିଛି।
ସୂଚନା ଅନୁସାରେ, ଅମରିଆ ସହରର ବାସିନ୍ଦା ନରେଶ ଗୁପ୍ତାଙ୍କ ପୁଅ ଅଙ୍କିତ ଗୁପ୍ତା ଓ ଅନ୍ୟ ପକ୍ଷର କୌଶଳ ଗୁପ୍ତାଙ୍କ ମଧ୍ୟରେ ରାମଲୀଳା କମିଟିର ହିସାବକିତାବକୁ ନେଇ ପୂର୍ବରୁ ବିବାଦ ରହିଥିଲା। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଉତ୍ତେଜନା ମଧ୍ୟ ଲାଗିରହିଥିଲା। ତେବେ,ସୋମବାର ଏକ ସଂଗଠନର ବୈଠକ ସମୟରେ ଉଭୟ ପକ୍ଷ ମଧ୍ୟରେ କଥା କଟାକଟି ହୋଇଥିଲା। ବୈଠକ ଶେଷ ହେବା ପରେ କୌଶଳ ଗୁପ୍ତାଙ୍କ ଘର ବାହାରେ ପୁଣି ବଚସା ଆରମ୍ଭ ହୋଇଥିଲା।
ଅଭିଯୋଗ ଅନୁସାରେ, କଥା କଟାକଟି ବଢ଼ିବା ପରେ କୌଶଳ ଗୁପ୍ତାଙ୍କ ପକ୍ଷରୁ ଲାଇସେନ୍ସପ୍ରାପ୍ତ ରାଇଫଲ୍ରେ ଲଗାତାର ଗୁଳିମାଡ଼ କରାଯାଇଥିଲା। ଏଥିରେ ଅଙ୍କିତ ଓ ତାଙ୍କ ଭାଇ ମୋହିତଙ୍କ ଦେହରେ ଗୁଳି ବାଜିଥିଲା। ସେହି ସମୟରେ ରାସ୍ତା ଦେଇ ଯାଉଥିବା ୧୫ ବର୍ଷୀୟ କୁନାଲ ଶ୍ରୀବାସ୍ତବ ମଧ୍ୟ ଗୁଳିମାଡ଼ର ଶିକାର ହୋଇଥିଲେ। କୁନାଲ ସ୍ଥାନୀୟ ଏକ ବହି ଦୋକାନରେ କାମ କରୁଥିଲେ। କାମ ସାରି ଘରକୁ ଫେରୁଥିବା ସମୟରେ ତାଙ୍କ ଦେହରେ ଗୁଳି ବାଜିଥିଲା। ଗୁଳିମାଡ଼ରେ ଅଙ୍କିତ ଗୁପ୍ତା ଓ କୁନାଲ ଶ୍ରୀବାସ୍ତବଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଗୁରୁତର ଆହତ ମୋହିତ ଗୁପ୍ତାଙ୍କୁ ଚିକିତ୍ସା ପାଇଁ ବରେଲିର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲାବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ଅଧୀକ୍ଷକ ସୁକୀର୍ତ୍ତି ମାଧବ କହିଛନ୍ତି ଯେ ରାମଲୀଳା କମିଟିର ହିସାବକିତାବକୁ ନେଇ ଚାଲିଥିବା ବିବାଦ, ଘଟଣାର ସମ୍ପୂର୍ଣ୍ଣ କ୍ରମ ଏବଂ ଅଭିଯୁକ୍ତମାନଙ୍କ ଭୂମିକା ସମ୍ପର୍କରେ ପୁଲିସ ତଦନ୍ତ କରୁଛି। ମାମଲାରେ ଆବଶ୍ୟକ ଆଇନଗତ ପଦକ୍ଷେପ ନିଆଯାଉଛି।
