Harapriya Death Case: ପରକୀୟା ପ୍ରୀତି ନା ଯୌତୁକ କଳହ? ହରପ୍ରିୟାଙ୍କ ମୃତ୍ୟୁ, ସ୍ୱାମୀ ଗିରଫ!
ବାଲେଶ୍ୱରର ହରପ୍ରିୟାଙ୍କ ମୃତ୍ୟୁ ମାମଲାରେ ସ୍ୱାମୀ ସଞ୍ଜୀବ ଲେଙ୍କା ଗିରଫ। ପରକୀୟା ପ୍ରୀତି ଓ ଅଧିକ ଯୌତୁକ ଦାବି ସହ ନିର୍ଯାତନାକୁ ନେଇ ପରିବାର ପକ୍ଷରୁ ସଙ୍ଗୀନ ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

ସ୍ତ୍ରୀଙ୍କ ମୃତ୍ୟୁ ମାମଲାରେ ସ୍ୱାମୀ ଗିରଫ। ପରକୀୟା ପ୍ରୀତିକୁ ନେଇ ଦାମ୍ପତ୍ୟ ଜୀବନରେ ତିକ୍ତତା ଥିବା ଅଭିଯୋଗ ହୋଇଥିବାବେଳେ, ଅଧିକ ଯୌତୁକ ଦାବି ଓ ନିର୍ଯାତନାକୁ ନେଇ ମୃତ ମହିଳାଙ୍କ ପରିବାର ପକ୍ଷରୁ ମଧ୍ୟ ଗୁରୁତର ଅଭିଯୋଗ ହୋଇଛି। ଘଟଣାରେ ପୋଲିସ ଅଭିଯୁକ୍ତ ସ୍ୱାମୀ ସଞ୍ଜୀବ ଲେଙ୍କାଙ୍କୁ ଗିରଫ କରି ତଦନ୍ତ ଚଳାଇଛି। ଅଭିଯୋଗ ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ କ୍ଷୀରକୋଣି ଗ୍ରାମର ଶିବପ୍ରସାଦ ପାତ୍ରଙ୍କ ବଡ଼ଝିଅ ହରପ୍ରିୟା (୨୩)ଙ୍କ ବିବାହ ୨୦୨୩ ମସିହାରେ ଖଇରା ଥାନା ଅନ୍ତର୍ଗତ ଫଗୁଣା ଗ୍ରାମର ହରିହର ଲେଙ୍କାଙ୍କ ପୁଅ ସଞ୍ଜୀବଙ୍କ ସହ ସୋର କମରପୁରସ୍ଥିତ କୁଶଳେଶ୍ୱର ମନ୍ଦିରରେ ବୈଦିକ ରୀତିନୀତିରେ ହୋଇଥିଲା।ବିବାହ ପରେ ହରପ୍ରିୟାଙ୍କ ଦାମ୍ପତ୍ୟ ଜୀବନରେ ଅଶାନ୍ତି ଲାଗି ରହିଥିବା ଅଭିଯୋଗ ହୋଇଛି। ଶାଶୂଘର ଲୋକେ ଅଧିକ ଯୌତୁକ ଦାବି କରି ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଏପରିକି ତାଙ୍କୁ ହତ୍ୟା କରି ଘଟଣାକୁ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ ହୋଇଥିବା ମଧ୍ୟ ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଗୁଜରାଟର ଅହମଦାବାଦ ପୋଲିସଠାରୁ ହରପ୍ରିୟାଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ ପରିବାର ଲୋକେ ସୂଚନା ପାଇଥିଲେ। ଏହାପରେ ପୋଲିସ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ମୃତଦେହ ଜବତ କରିଥିଲା।ଅନ୍ୟପକ୍ଷରେ, ସ୍ତ୍ରୀଙ୍କ ମୃତ୍ୟୁ ପରେ ସ୍ୱାମୀ ସଞ୍ଜୀବ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ପରେ ଖଇରା ପୋଲିସ ତାଙ୍କୁ ଗିରଫ କରି ଫଗୁଣା ଗ୍ରାମସ୍ଥିତ ଘରକୁ ନେଇଥିଲା। ସେଠାରେ ବିବାହ ସମୟରେ ଦିଆଯାଇଥିବା ଯୌତୁକ ସାମଗ୍ରୀ ଜବତ କରାଯାଇଥିବା ସୂଚନା ମିଳିଛି।ବିବାହ ପରଠାରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିବାରୁ ପୂର୍ବରୁ ପରିବାର ଲୋକେ ଓ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ସମାଧାନ ପାଇଁ ଉଦ୍ୟମ କରାଯାଇଥିଲା। ତଥାପି ଶେଷରେ ତାଙ୍କ ଝିଅଙ୍କୁ ହତ୍ୟା କରାଯାଇଥିବା ହରପ୍ରିୟାଙ୍କ ବାପା ଓ ଭାଇ ଅଭିଯୋଗ କରିଛନ୍ତି। ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ସଞ୍ଜୀବଙ୍କ ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ।
