Patient Carried on Cot:ଖଟିଆରେ ବୁହା ହେଇ ନଦୀପାର ହେଲେ ରୋଗୀ
ଗାଁକୁ ନାହିଁ ପକ୍କା ରାସ୍ତା, ନଦୀ ଉପରେ ନାହିଁ ପୋଲ। ଜରୁରୀ ସମୟରେ ଆମ୍ବୁଲାନ୍ସ ପହଞ୍ଚିବା ଅସମ୍ଭବ। ଶେଷରେ ପକ୍ଷାଘାତ ରୋଗୀଙ୍କୁ ଖଟିଆରେ ବୋହି ଭରା ନାଗାବଳୀ ପାର କରାଇଲେ ପରିବାର ଓ ଗ୍ରାମବାସୀ।
ରାୟଗଡ଼ା:ବିକାଶର ପୁଳା ପୁଳା ଦାବି ଭିତରେ ଆଜି ବି ଗ୍ରାମାଞ୍ଚଳରେ ମୌଳିକ ସ୍ୱାସ୍ଥ୍ୟସେବାର ଚିତ୍ର କେତେ ଦୟନୀୟ, ତାହା ପୁଣି ସାମ୍ନାକୁ ଆସିଛି ରାୟଗଡ଼ାର ଏକ ଘଟଣାରୁ। ଗାଁକୁ ଯିବାକୁ ନାହିଁ ପକ୍କା ରାସ୍ତା, ନଦୀ ପାର ହେବାକୁ ନାହିଁ ପୋଲ। ଫଳରେ ଜଣେ ପକ୍ଷାଘାତ ରୋଗୀଙ୍କୁ ଖଟିଆରେ ବୋହି ଭରା ନାଗାବଳୀ ନଦୀ ପାର କରାଇବାକୁ ପଡ଼ିଛି ପରିବାର ଓ ଗ୍ରାମବାସୀଙ୍କୁ। ଏଭଳି ଦୟନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ସଦର ବ୍ଲକ୍ର ପୂଜାରୀବମ୍ବୁ ଗ୍ରାମରେ। ଗ୍ରାମର ଅଭି ବିଡ଼ିକା ହଠାତ୍ ପକ୍ଷାଘାତରେ ପୀଡ଼ିତ ହୋଇପଡ଼ିଥିଲେ। ତୁରନ୍ତ ତାଙ୍କୁ ଡାକ୍ତରଖାନା ନେବାର ଆବଶ୍ୟକତା ଥିଲା। ହେଲେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚିବା ସମ୍ଭବ ହୋଇନଥିଲା। ଶେଷରେ ଅନ୍ୟ କୌଣସି ଉପାୟ ନପାଇ ପରିବାର ଲୋକ ଓ ଗ୍ରାମବାସୀ ତାଙ୍କୁ ଖଟିଆରେ ବୋହି ନଦୀ ପାର କରାଇବାକୁ ବାହାରିଥିଲେ। ବନ୍ୟା ପରର ଭରା ନାଗାବଳୀ ନଦୀର ପ୍ରଖର ଜଳସ୍ରୋତକୁ ପାର କରିବା ନିଜ ଜୀବନକୁ ବାଜି ଲଗାଇବା ସହ ସମାନ । ଏଭଳି ପରିସ୍ଥିତିରେ ମଧ୍ୟ ଗ୍ରାମବାସୀ ତାଙ୍କୁ ଖଟିଆରେ ବୋହି ନଦୀ ପାର କରାଇ ବେହେରାଗୁଡ଼ା ଗ୍ରାମରେ ପହଞ୍ଚିଥିଲେ। ସେଠାରୁ ତାଙ୍କୁ ଆମ୍ବୁଲାନ୍ସ ସେବା ମିଳିଥିଲା। ତେବେ ଏହା କେବଳ ଜଣେ ରୋଗୀଙ୍କ ଦୁର୍ଦ୍ଦଶା ନୁହେଁ, ବରଂ ପୂଜାରୀବମ୍ବୁ ଭଳି ଗ୍ରାମର ଯୋଗାଯୋଗ ଓ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର କରୁଣ ଚିତ୍ର ବୋଲି କହିଛନ୍ତି ଗାଁ ଲୋକେ। ଜରୁରୀ ସମୟରେ ଯେଉଁଠି ଆମ୍ବୁଲାନ୍ସ ଗାଁକୁ ପହଞ୍ଚିବା କଥା, ସେଠି ରୋଗୀଙ୍କୁ ନଦୀ ପାର କରାଇବାକୁ ପଡ଼ୁଛି। ତେବେ,ପ୍ରଶାସନର ନଜର ଏହି ଗାଁ ଉପରେ କେବେ ପଡ଼ିବ ଏବଂ କେବେ ନିର୍ମାଣ ହେବ ରାସ୍ତା ଓ ନାଗାବଳୀ ନଦୀ ଉପରେ ପୋଲ ଗ୍ରାମବାସୀ ଅପେକ୍ଷା କରିଛନ୍ତି |
