Crop Damage: ବାତ୍ୟା ଅର୍ଣ୍ଣବରେ ଉଜୁଡ଼ିଲା ଚାଷୀଙ୍କ ସୁନାର ଫସଲ, କ୍ଷତିପୂରଣ ଅପେକ୍ଷାରେ ଚାଷୀ
ବାତ୍ୟା ଚାଲିଗଲା, ହେଲେ ଛାଡ଼ିଗଲା ଚାଷୀଙ୍କ ପାଇଁ ଦୁଃଖର ପାହାଡ଼। ପ୍ରବଳ ବର୍ଷା ଓ ପବନ ମାଡ଼ରେ ଉଜୁଡ଼ିଗଲା ଚାଷୀଙ୍କ ସୁନାର ଫସଲ। ପାଚିଲା ଧାନ ଗଛ ପାଣିରେ ଶୋଇପଡ଼ିଥିବା ବେଳେ ଚିନ୍ତାରେ ରାୟଗଡ଼ା ଜିଲ୍ଲାର ଚାଷୀ।
ରାୟଗଡ଼ା: ବାତ୍ୟା ଅର୍ଣ୍ଣବ ଚାଲିଗଲା, ହେଲେ ଚାଷୀଙ୍କ ପାଇଁ ଛାଡ଼ିଗଲା ଦୁଃଖ ଓ ଦୁର୍ଦ୍ଦଶା। ପ୍ରବଳ ବର୍ଷା ଓ ପବନ ମାଡ଼ରେ ରାୟଗଡ଼ା ଜିଲ୍ଲାରେ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି ଧାନ ଓ ପରିବା ଚାଷ। ଶହ ଶହ ହେକ୍ଟର ଧାନ ଜମିରେ ଏବେ ବି ଜମି ରହିଛି ବର୍ଷା ପାଣି। ପାଚିଲା ଧାନ ଗଛ ପାଣିରେ ବୁଡ଼ି ରହିବା ସହ ଅନେକ ସ୍ଥାନରେ ଗଛ ଭାଙ୍ଗି ମାଟିରେ ଶୋଇପଡ଼ିଛି। ଫଳରେ ଅମଳ ଆଶା ରଖିଥିବା ଚାଷୀଙ୍କ ମୁଣ୍ଡରେ ଏବେ ଚଡ଼କ ପଡ଼ିଛି। ଗୁଣପୁର ଉପଖଣ୍ଡର ପଦ୍ମପୁର, ମୁଚିକିପଦର, ରାଡୁ, ଗୋଡ଼ିଆବନ୍ଦ, ଇନ୍ଦୁପୁର ଓ ଡେରିଙ୍ଗା ଅଞ୍ଚଳରେ ବର୍ଷାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ସେହିପରି ପୁଟାସିଂ ଅଞ୍ଚଳରେ ମଧ୍ୟ ଅନେକ ଚାଷୀଙ୍କ ଧାନ ଫସଲ ନଷ୍ଟ ହୋଇଛି। ଆଉ ମାତ୍ର କେଇଟା ଦିନ ପରେ ଧାନ ଅମଳ ଆରମ୍ଭ ହୋଇଥାନ୍ତା। ହେଲେ ବାତ୍ୟାର ବର୍ଷା ଓ ପବନ ସବୁ ଆଶାକୁ ଧୂଳିସାତ୍ କରିଦେଇଛି। ଧାରକରଜ କରି ଚାଷ କରିଥିବା ଚାଷୀ ଏବେ ଋଣ ସୁଝିବା ସହ ପରିବାର ପ୍ରତିପୋଷଣ କିପରି କରିବେ, ସେହି ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି। କେବଳ ଧାନ ନୁହେଁ, ବର୍ଷା ଓ ପବନ ଯୋଗୁଁ ପରିବା ଚାଷ ମଧ୍ୟ ନଷ୍ଟ ହୋଇଛି। ତେଣୁ ତୁରନ୍ତ କ୍ଷୟକ୍ଷତି ଆକଳନ କରି ପ୍ରଭାବିତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ୟାକେଜ୍ ଯୋଗାଇଦେବାକୁ ଦାବି ହୋଇଛି। ଅନ୍ୟପଟେ ପ୍ରଶାସନ ପକ୍ଷରୁ ରାଜସ୍ୱ ଓ କୃଷି ବିଭାଗର ମିଳିତ ସର୍ଭେ ଆରମ୍ଭ ହୋଇଛି। କ୍ଷୟକ୍ଷତିର ଆକଳନ କରି ତହସିଲଦାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ପଦ୍ମପୁରର ରାଜସ୍ୱ ନିରୀକ୍ଷକ ସୂଚନା ଦେଇଛନ୍ତି। ତେବେ କେବେ ସରିବ କ୍ଷୟକ୍ଷତି ଆକଳନ ଏବଂ କେବେ ମିଳିବ ସରକାରୀ ସହାୟତା, ଏବେ ତାହାକୁ ହିଁ ଅପେକ୍ଷା କରି ରହିଛନ୍ତି ବିପନ୍ନ ଚାଷୀ।
