Fake Detergent Factory Raid:ଦ୍ରକରେ ନକଲି ସର୍ଫ ଏକ୍ସେଲ କାରଖାନା ଠାବ
ନାମୀଦାମୀ ବ୍ରାଣ୍ଡର ଲୋଗୋ ଲଗାଇ ଚାଲିଥିଲା ନକଲି ସର୍ଫ କାରବାର। ଭଦ୍ରକର ରାଣିତାଲ ନିକଟରେ ପୋଲିସ ଚଢ଼ାଉ କରି ବିପୁଳ ସାମଗ୍ରୀ ଜବତ କରିଛି। ମାଲିକ ଓ କର୍ମଚାରୀ ଫେରାର।
ଭଦ୍ରକ:ବଡ଼ ବ୍ରାଣ୍ଡର ନାଁରେ ଚାଲିଥିଲା ନକଲି ସାମଗ୍ରୀ କାରବାର। ନାମୀଦାମୀ କମ୍ପାନୀର ଲୋଗୋ ଲଗାଇ ତିଆରି ହେଉଥିଲା ନକଲି ସର୍ଫ | ଭଦ୍ରକରେ ଏଭଳି ଏକ ନକଲି ସର୍ଫ ତିଆରି କାରଖାନାର ପର୍ଦ୍ଦାଫାସ କରିଛି ପୋଲିସ। ଚଢ଼ାଉ କରି ବିପୁଳ ପରିମାଣର ନକଲି ସର୍ଫ ପ୍ୟାକେଟ୍, ବିଭିନ୍ନ କମ୍ପାନୀର ଲୋଗୋ, କଞ୍ଚାମାଲ ଓ ମେସିନ୍ ଜବତ କରାଯାଇଛି। ସୂଚନା ଅନୁସାରେ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଣିତାଲ ବଜାର ନିକଟରେ ଦୀର୍ଘଦିନ ଧରି ଏହି ନକଲି କାରଖାନା ଚାଲିଥିଲା। ଏଠାରେ ନାମୀଦାମୀ କମ୍ପାନୀର ଲୋଗୋ ଓ ପ୍ୟାକେଟ୍ ବ୍ୟବହାର କରି ନକଲି ସର୍ଫ ତିଆରି କରାଯାଉଥିଲା। ପରେ ଏହାକୁ ଭଦ୍ରକ ସମେତ ବାଲେଶ୍ୱର ଓ ଯାଜପୁର ଜିଲ୍ଲାର ବିଭିନ୍ନ ବଜାରକୁ ପଠାଯାଉଥିଲା। ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ବିଳମ୍ବିତ ରାତିରେ କାରଖାନା ଉପରେ ଚଢ଼ାଉ କରିଥିଲା। ତେବେ ପୋଲିସ ପହଞ୍ଚିବା ପୂର୍ବରୁ କାରଖାନାରେ ତାଲା ପକାଇ ମାଲିକ ଓ ସମସ୍ତ କର୍ମଚାରୀ ଫେରାର ହୋଇଯାଇଥିଲେ। ଫଳରେ ପ୍ରଥମେ ପୋଲିସ ଭିତରକୁ ପଶିପାରିନଥିଲା। ପରେ ତାଲା ପଡ଼ିଥିବା ଘର ଖୋଲି ଯାଞ୍ଚ କରିବା ସହ ବିପୁଳ ପରିମାଣର ନକଲି ସର୍ଫ, କେମିକାଲ, କଞ୍ଚାମାଲ ଓ ବିଭିନ୍ନ ମେସିନ୍ ଜବତ କରିଛି। ଅନ୍ୟପକ୍ଷରେ ସର୍ଫ ଏକ୍ସେଲ କମ୍ପାନୀର କର୍ତ୍ତୃପକ୍ଷ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହ ଭଦ୍ରକ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି। ଗ୍ରାହକଙ୍କୁ ନକଲି ସାମଗ୍ରୀ ବିକ୍ରି କରି ଠକେଇ କରାଯାଉଥିବା ଏହି ଘଟଣାରେ କାରଖାନା ମାଲିକଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।
