ପୁଣି ଘୁଞ୍ଚିଲା OTET ପରୀକ୍ଷା, ଜୁଲାଇ ୫ରେ ହେବ ପରୀକ୍ଷା
ଜୁନ ୨୮ ରେ ହେବାକୁ ଥିବା ଓଟିଇଟି ପରୀକ୍ଷା ଜୁଲାଇ ୫ ତାରିଖରେ କରିବାକୁ ସ୍ଥିର କରିଛି ମାଧ୍ୟମିକ ଶିକ୍ଷା ପରିଷଦ।

କଟକ: ପୁଣି ଘୁଞ୍ଚିଲା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)। ଜୁନ ୨୮ ରେ ହେବାକୁ ଥିବା ଓଟିଇଟି ପରୀକ୍ଷା ଜୁଲାଇ ୫ ତାରିଖରେ କରିବାକୁ ସ୍ଥିର କରିଛି ମାଧ୍ୟମିକ ଶିକ୍ଷା ପରିଷଦ। ଓଏସଏସଏସସି (OSSSC) ପକ୍ଷରୁ ଜୁନ୍ ୨୮ ତାରିଖରେ ଆରଆଇ ଓ ଅମିନ ପଦବୀ ପାଇଁ ପରୀକ୍ଷା ଧାର୍ଯ୍ୟ ହୋଇଥିବାରୁ ପରୀକ୍ଷାର୍ଥୀଙ୍କ ସୁବିଧା ଦୃଷ୍ଟିରୁ OTET ପରୀକ୍ଷାର ତାରିଖ ପରିବର୍ତ୍ତନ କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଓଟିଇଟି ପରୀକ୍ଷା ପାଇଁ ୯୭ ହଜାରରୁ ଅଧିକ ପ୍ରାର୍ଥୀ ଆବେଦନ କରିଥିବା ବେଳେ ଜୁଲାଇ ୫ ରେ ଏହି ପରୀକ୍ଷା କରିବାକୁ ସ୍ଥିର କରିଛି ବୋର୍ଡ । ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ୨୦୨୬ ପାଇଁ ଚଳିତ ବର୍ଷ ମୋଟ ୯୭,୧୫୧ ଜଣ ପ୍ରାର୍ଥୀ ପଞ୍ଜୀକରଣ କରିଛନ୍ତି । ସେଥିମଧ୍ୟରୁ ପେପର-୧ ପାଇଁ ୨୮,୮୨୧ ଜଣ ଏବଂ ପେପର-୨ ପାଇଁ ୬୮,୩୩୦ ଜଣ ପ୍ରାର୍ଥୀ ଆବେଦନ କରିଛନ୍ତି। ଏହି ପ୍ରାର୍ଥୀମାନଙ୍କ ମଧ୍ୟରେ ୧୩,୫୪୪ ଜଣ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ରହିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ମୋଟ ୩୧୧ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଆୟୋଜିତ ହେବ । ଆସନ୍ତା ଜୁଲାଇ ୫ ତାରିଖ ରବିବାର ଦିନ ପରୀକ୍ଷା କରିବା ପାଇଁ ବୋର୍ଡ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛି । ପରୀକ୍ଷା ସୂଚୀ ଅନୁଯାୟୀ, ପେପର-୧ ପରୀକ୍ଷା ସକାଳ ୯ଟାରୁ ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ଚାଲିବ । ସେହିପରି ପେପର-୨ ପରୀକ୍ଷା ଅପରାହ୍ନ ୨ଟାରୁ ୪ଟା ୩୦ ମିନିଟ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ପରୀକ୍ଷାକୁ ସୁଚାରୁ ଓ ସ୍ୱଚ୍ଛ ଭାବେ ପରିଚାଳନା କରିବା ପାଇଁ ରାଜ୍ୟ ସରକାର ଏବଂ ବୋର୍ଡ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି ଆରମ୍ଭ ହୋଇଛି । ପରୀକ୍ଷାର୍ଥୀମାନଙ୍କୁ ସମୟ ପୂର୍ବରୁ କେନ୍ଦ୍ରରେ ପହଞ୍ଚିବା ସହ ନିର୍ଦ୍ଧାରିତ ନିୟମାବଳୀ ପାଳନ କରିବାକୁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି । ସୂଚନାଯୋଗ୍ୟ, ପ୍ରଥମେ OTET ପରୀକ୍ଷା ପୂର୍ବରୁ ଜୁନ୍ ୨୧ରେ ହେବାକୁ ଥିଲା। NEET ପରୀକ୍ଷାକୁ ଦୃଷ୍ଟିରେ ରଖି ଜୁନ ୨୮କୁ ଘୁଞ୍ଚାଇଥିଲା । ତେବେ ଓଏସଏସଏସସି ପକ୍ଷରୁ ଜୁନ ୨୮ ରେ ଆରଆଇ ଅମିନ ପରୀକ୍ଷା ପାଇଁ ଦିନ ଧାର୍ଯ୍ୟ ହେବା ପରେ ବୋର୍ଡ କର୍ତ୍ତୃପକ୍ଷ ପୁଣି ଘୁଞ୍ଚାଇବାକୁ ବାଧ୍ୟ ହୋଇଥିଲେ ।
