Online Trading Debt Burden:ଅନଲାଇନ ଟ୍ରେଡିଂରେ କ୍ଷତି, ଋଣ ଚିନ୍ତାରେ ଜୀବନ ହାରିଲେ!
ସୋରୋର ଭଡା ଘରୁ ମିଳିଲା ୪୩ବର୍ଷୀୟଙ୍କ ଯୁବକଙ୍କ ମୃତଦେହ | ଅନଲାଇନ ଟ୍ରେଡିଂରେ ବ୍ୟାପକ କ୍ଷତି ହେବା ସହ ଋଣର ଭାର ବଢିଯିବାରୁ ଯୁବକଜଣକ ଭଡ଼ା ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।
ସୋରୋର ଭଡା ଘରୁ ମିଳିଲା ୪୩ବର୍ଷୀୟଙ୍କ ଯୁବକଙ୍କ ମୃତଦେହ | ଅନଲାଇନ ଟ୍ରେଡିଂରେ ବ୍ୟାପକ କ୍ଷତି ହେବା ସହ ଋଣର ଭାର ବଢିଯିବାରୁ ଯୁବକଜଣକ ଭଡ଼ା ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବାଲେଶ୍ୱର ଅରଡ଼ବଜାରର ପ୍ରଭାତ ରଞ୍ଜନ ପାଢ଼ୀ (୪୩) ଗତ ଏକ ବର୍ଷ ଧରି ସୋରୋ ଘୋଡ଼ାସାହି ଦାମୋଦର ସାହୁଙ୍କ ଘରେ ଭଡାରେ ରହୁଥିଲେ । ଅଧିକ ଲାଭ ପାଇବା ଆଶାରେ ଅନ୍ଲାଇନ୍ ଟ୍ରେଡିଂରେ ମନ ବଳାଇଥିଲେ । ଏଥିପାଇଁ ଧାରକରଜ କରି ସବୁ ଟ୍ରେଡିଂରେ ଲଗାଇଥିଲେ । ଟ୍ରେଡିଂରେ ବ୍ୟାପକ କ୍ଷତି ହେବା ଯୋଗୁଁ , ଋଣ ବୋଝ ବଢ଼ିଲା । ଏଥିରେ ବ୍ୟଥିତ ହୋଇ ବାଲେଶ୍ବରର ଜଣେ ଯୁବକ ଫାଶୀ ହୋଇ ଜୀବନ ହାରିଛନ୍ତି । ସେ ଅନଲାଇନ ଟ୍ରେଡିଂରେ ବ୍ୟାପକ କ୍ଷତି ସହିବା ସହିତ ଧାର କରଜରେ ବୁଡି ରହିଥିଲେ | ଅନେକ ଲୋକ ତାଙ୍କୁ ବାରମ୍ବାର ଫୋନ କରିଥିବା ତାଙ୍କ ମା କହିଛନ୍ତି । ଫଳରେ ସେ ମାନସିକ ଦୁଶ୍ଚିନ୍ତାରେ ରହୁଥିବାରୁ ଗତ ଦୁଇଦିନ ତଳେ ତାଙ୍କ ସ୍ତ୍ରୀ ଓ ପିଲାଙ୍କୁ ନେଇ ବାଲେଶ୍ୱରରେ ଛାଡି, ଘରେ ଏକାକୀ ରହୁଥିଲେ । ଗତକାଲି ପରିବାର ଲୋକଙ୍କ ସହ କଥା ହୋଇଥିବା ବେଳେ ଅପରାହ୍ନ ପର୍ଯ୍ୟନ୍ତ ପରିବାର ଲୋକଙ୍କ ଫୋନ ଉଠାଇ ନଥିଲେ । ଫଳରେ ପରିବାର ଲୋକେ ଆଜି ସୋରୋରେ ଥିବା ଭଡାଘର ପହଞ୍ଚିଥିଲେ | କବାଟ ବନ୍ଧ ଥିବା ଦେଖି ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଓ ଅଗ୍ନିଶମ ବାହିନୀ ଉପସ୍ଥିତରେ ଚାବି ଭାଙ୍ଗି ପ୍ରଭାତଙ୍କୁ ଶୋଇବା ଘର ଫ୍ୟାନରେ ଦଉଡି ଲଗାଇ ଝୁଲିଥିବାର ଦେଖିଥିଲେ । ପରେ ତାଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସର ସଠିକ୍ ତଦନ୍ତ ପରେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି ।
