ବନ୍ୟା ଘେରରେ ୭୦୦ରୁ ଅଧିକ ଗାଁ ୬ ଜିଲ୍ଲାର ୧୨.୮୭ ଲକ୍ଷ ପ୍ରଭାବିତ
ବନ୍ୟା ଛାଡୁଛି, ହେଲେ ଛାଡୁନି ବିପନ୍ନଙ୍କ ଦୁର୍ଦ୍ଦଶା । ଆଜି ବି ୭ଶହରୁ ଅଧିକ ଗାଁ ପାଣି ଘେରରେ । ୬ଟି ଜିଲ୍ଲାର ୧୨ ଲକ୍ଷ ୮୭ ହଜାରରୁ ଅଧିକ ଲୋକ ପ୍ରଭାବିତ । ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ବନ୍ୟାର କରାଳ ଚିତ୍ର । କେଉଁଠି ରାସ୍ତା ଉପରେ ୪ ଫୁଟ୍ ପାଣି, ତ କେଉଁଠି ଦେଶୀ ଡଙ୍ଗା ଓ ପାୱାରବୋଟ୍ ହୋଇଛି ଜୀବନର ଏକମାତ୍ର ସାହାରା । ଏପଟେ ତିନି ଦିନର ଶିଶୁକୁ ନେଇ ପ୍ରସୂତୀ ଭେଳାରେ ଯାଉଥିବା ଦୃଶ୍ୟ ବୟାନ କରୁଛି ବନ୍ୟାର ଭୟାବହତା । ଉଦ୍ଧାର ଓ ରିଲିଫ୍ ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ । ସରକାର କହୁଛନ୍ତି ସ୍ଥିତି ସୁଧୁରୁଛି, ବିରୋଧୀ କହୁଛନ୍ତି—ବନ୍ୟା ମୁକାବିଲାରେ ସରକାର ଫେଲ୍ ।

ବନ୍ୟାପାଣି ଘେରରେ ଆଜି ବି ୭ଶହରୁ ଅଧିକ ଗାଁ। ୬ ଜିଲ୍ଲାର ୧୨ ଲକ୍ଷ ୮୭ହଜାର ଲୋକ ପ୍ରଭାବିତ ହେଲେଣି। ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ବନ୍ୟାର କରାଳ ଚିତ୍ର ସାମ୍ନାକୁ ଆସିଛି। ବିପନ୍ନଙ୍କ ଦୁର୍ଦ୍ଦଶା ଜଳଜଳ କରି ଦିଶୁଛି। ବାଲିଆପାଳ ଓ ଭୋଗରାଇରେ ବନ୍ୟା ପରିସ୍ଥିତି ଜଟିଳ। ଓଡ୍ରାଫ ଟିମ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଜଳେଶ୍ୱର ବ୍ଲକର ୨ ଟି ପଞ୍ଚାୟତ ବି ପାଣିଘେରରେ ରହିଛି। ସୁବର୍ଣ୍ଣରେଖାରେ ଆସିଥିବା ଦ୍ୱିତୀୟ ବନ୍ୟା ଏମାନଙ୍କ ଦୁର୍ଦଶାକୁ ଦ୍ୱିଗୁଣିତ କରିଦେଇଛି। ତଳିଆ ଅଞ୍ଚଳଲୋକଙ୍କ ଅବସ୍ଥା ବିଗିଡ଼ିଗଲାଣି। ଅନେକ ସ୍ଥାନରେ ରାସ୍ତା ଉପରେ ୪ଫୁଟର ପାଣି ଚାଲିଛି। ଲୋକେ ଦେଶୀ ଡଙ୍ଗା ଓ ପାଓ୍ୱାରବୋଟ ସାହାଯ୍ୟରେ ଯାତାୟତ କରୁଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁରରେ ୩ ଦିନର ଛୁଆକୁ ନେଇ ଭେଳାକୁ କେମିତି ସାହାରା କରିଛନ୍ତି ପ୍ରସୂତୀ, ତାହାର ଛାତିଥରା ଦୃଶ୍ୟ ସାମ୍ନାକୁ ଆସିଛି। ଜଗନ୍ନାଥପ୍ରସାଦ ପଞ୍ଚାୟତ ବନ୍ଦ ସାହିଗ୍ରାମରେ ବନ୍ୟା ଲାଗି ପହଞ୍ଚିପାରିଲାନି ଆଂବୁଲାନ୍ସ। ବାଧ୍ୟ ହୋଇ ପର୍ଶୁରାମ ମଲ୍ଲିକଙ୍କ ପତ୍ନୀ ପ୍ରସବ ଯନ୍ତ୍ରଣାରେ ଘରର କବାଟକୁ ଭେଳା କରି ମୁଖ୍ୟ ରାସ୍ତାକୁ ଆସିଥିଲେ। ଚାନ୍ଦବାଲିରେ ରିଲିଫ ବଣ୍ଟନରେ ଅନିୟମିତତାର ଆରୋପ ଆସିଛି। କେନ୍ଦ୍ରାପଡ଼ାର ଆଳି, ରାଜକନିକା ବିଶେଷ ପ୍ରଭାବିତ ହୋଇଛି। ବୈତରଣୀରେ ବନ୍ୟା ଆସିବାରୁ ରାଜକନିକା କନପୁର ନଦୀବନ୍ଧରେ ବିରାଟ ଘାଇ ସୃଷ୍ଟି ହୋଇଛି। ପ୍ରଶାସନ ବିପନ୍ନଙ୍କୁ ମୁଣ୍ଡ ପିଛା ୮୦ଗ୍ରାମ ଲେଖାଏଁ ଚୂଡ଼ା ଦେଇ ଚୁପ୍ ବସିଛି ବୋଲି ଅଭିଯୋଗ ହୋଇଛି। ପିଇବା ପାଣିର ବି ବ୍ୟବସ୍ଥା କରାଯାଇନି। ସେପଟେ ବନ୍ୟା ମୁକାବିଲାରେ ସରକାର ଫେଲ୍ ବୋଲି କହିଛନ୍ତି ବିରୋଧୀ ଦଳ। କାଂଶବାଂଶ ପିତାକାଳିଆ ଗମେଇ ନଦୀରେ ବନ୍ୟାଜଳ ଆସିବାରୁ ସୋରୋ ବ୍ଲକର ୩ଖଣ୍ଡ ପଞ୍ଚାୟତରେ ପ୍ରଶାସନିକ ସାହାଯ୍ୟ ଓ ସହଯୋଗର ବାସ୍ତବତାକୁ ପରଖିଥିଲା ବିଜେଡିର ଏକ ଟିମ୍। ଲୋକଙ୍କୁ ନା ପଲିଥିନ ମିଳିଛି ନା ଶୁଖିଲା ଖାଦ୍ୟ ମିଳିଥିବାର ଆରୋପ ଲଦିଛି ବିଜେଡି। ଜଳସମ୍ପଦ ବିଭାଗ କହିଛି, ସୁବର୍ଣ୍ଣରେଖାରେ କମୁଛି ବନ୍ୟା ଜଳ। ବ୍ରାହ୍ମଣୀ ଓ ସାଳନ୍ଦିରେ ବି ବନ୍ୟାର ପ୍ରକୋପ କମିଚାଲିଥିଲା ବେଳେ ବୁଢ଼ାବଳଙ୍ଗରେ ବନ୍ୟା ନାହିଁ। ବୈତରଣୀରେ ବି ବନ୍ୟାସ୍ଥିତିରେ ସୁଧାର ଆସିଛି। ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ଲୋକେ ପ୍ରଭାବିତ। ବୈତରଣୀ ଗେଟ୍ ଖୋଲିବା ନେଇ କାରଣଦର୍ଶାଅ ନୋଟିସ୍ ହୋଇଛି। ବନ୍ୟା ସମୟରେ ବେନିୟମ ଭାବେ ଗେଟ୍ ଖୋଲିଥିବାରୁ ବୈତରଣୀ ପାଓ୍ୱାର ପ୍ରୋଜେକ୍ଟସକୁ କାରଣଦର୍ଶାଅ ନୋଟିସ୍ ହୋଇଛି। ସରକାରଙ୍କ ସହ ସମନ୍ୱୟ ନରଖି କେମିତି ପାଣି ଛଡ଼ାଗଲା ବୋଲି ପଚାରିଛନ୍ତି ଏସଆରସି। ବନ୍ୟାକୁ ନେଇ ବିପନ୍ନଙ୍କ ଦୁର୍ଦଶାକୁ ତାଳ ଦେଇ ରାଜନୀତି ବି ଜାରି ରହିଛି। ବିପିପିଏଲର ମନମାନିକୁ ନେଇ ଆନନ୍ଦପୁର ବିଧାୟକ ଆଣିଲେ ସଙ୍ଗୀନ ଅଭିଯୋଗ। ତାଳମେଳ ଅଭାବରୁ ବନ୍ୟା ସ୍ଥିତି ଉପୁଜିଲା। ବିପିପିଏଲ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉ। ବନ୍ୟା ବିପତ୍ତିରୁ ବିପନ୍ନଙ୍କ ଦୁର୍ଦ୍ଦଶା। ବାସ୍ତବରେ ବନ୍ୟା ମୁକାବିଲାରେ ସରକାର କେତେଦୂର ପାସ୍ ଓ କେତେଦୂର ଫେଲ୍, ତାକୁ ବିପନ୍ନ ଓ ବିରୋଧୀ ତଉଲୁଛନ୍ତି।
