Prasanna Patra Arrest:ଭିଜିଲାନ୍ସ ଚଢ଼ାଉରେ ମିଳିଲା ୧.୪୬ କୋଟିର ଜମା
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ର ଉପନିର୍ଦ୍ଦେଶକ ପ୍ରସନ୍ନ କୁମାର ପାତ୍ରଙ୍କୁ ଗିରଫ କଲା ଓଡ଼ିଶା ଭିଜିଲାନ୍ସ | ଚଢ଼ାଉରେ ୪ଟି କୋଠା, ୭ଟି ପ୍ଲଟ୍, ସୁନା ଓ ୧.୪୬ କୋଟି ଟଙ୍କାର ଜମା ଠାବ ହୋଇଛି |

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ପ୍ରସନ୍ନ କୁମାର ପାତ୍ର | ସେ ସୁନ୍ଦରଗଡ଼ରେ ମୃତ୍ତିକା ସଂରକ୍ଷଣ ବିଭାଗର ଉପନିର୍ଦ୍ଦେଶକ ତଥା ପ୍ରକଳ୍ପ ନିର୍ଦ୍ଦେଶକ (ୱାଟରସେଡ୍) ଭାବେ କାର୍ଯ୍ୟରତ ଅଛନ୍ତି | ଗିରଫ ପରେ ତାଙ୍କୁ ଆଜି ସୁନ୍ଦରଗଡ଼ର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯିବ | ଭିଜିଲାନ୍ସ ପକ୍ଷରୁ ତାଙ୍କ ବିଭିନ୍ନ ସମ୍ପତ୍ତି ଉପରେ ଚଢ଼ାଉ ଓ ତଲାସୀ ସମୟରେ ବହୁ ସମ୍ପତ୍ତି ଠାବ କରାଯାଇଛି | ଏଥିରେ ୪ଟି ବହୁତଳ କୋଠା, ଭୁବନେଶ୍ୱରରେ ଗୋଟିଏ ଫ୍ଲାଟ୍, ୭ଟି ମୂଲ୍ୟବାନ ପ୍ଲଟ୍, ୨୧୨ ଗ୍ରାମ ସୁନା, ୧ କୋଟି ୪୬ ଲକ୍ଷ ଟଙ୍କାର ଜମା ରାଶି ଏବଂ ୧ ଲକ୍ଷ ୨୯ ହଜାର ଟଙ୍କା ନଗଦ ରହିଛି | ଭିଜିଲାନ୍ସ ସୂତ୍ରର ସୂଚନା ଅନୁଯାୟୀ, ଠାବ ହୋଇଥିବା ସମ୍ପତ୍ତିର ଉତ୍ସ ସମ୍ପର୍କରେ ପ୍ରସନ୍ନ କୁମାର ପାତ୍ର ସନ୍ତୋଷଜନକ ସ୍ପଷ୍ଟୀକରଣ ଦେଇପାରିନଥିଲେ | ଏହି ଘଟଣାରେ ରାଉରକେଲା ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୧୩/୨୦୨୬ ରୁଜୁ କରାଯାଇ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି | ଘଟଣାର ଅଧିକ ତଦନ୍ତ ଜାରି ରହିଛି |
