Urban Waterbody Protection:ପ୍ରାକୃତିକ ଜଳ ନିଷ୍କାସନ ପଥର ସୁରକ୍ଷା ପାଇଁ ରାଜ୍ୟବ୍ୟାପୀ SOP ପ୍ରସ୍ତାବ
ସହରାଞ୍ଚଳରେ ଜଳବନ୍ଦୀ ରୋକିବାକୁ ସରକାରଙ୍କ ପଦକ୍ଷେପ, ପ୍ରାକୃତିକ ଜଳ ନିଷ୍କାସନ ପଥ ସୁରକ୍ଷା ଉପରେ ଗୁରୁତ୍ୱ ।

ଭୁବନେଶ୍ୱର: ସହରାଞ୍ଚଳରେ ଜଳବନ୍ଦୀ ଓ ବନ୍ୟା ସମସ୍ୟା ହ୍ରାସ କରିବା ସହ ପ୍ରାକୃତିକ ଜଳ ନିଷ୍କାସନ ପଥ ଓ ଜଳାଶୟଗୁଡ଼ିକର ସୁରକ୍ଷା ପାଇଁ ରାଜ୍ୟବ୍ୟାପୀ ଢାଞ୍ଚା ପ୍ରସ୍ତୁତ କରୁଛନ୍ତି ଓଡ଼ିଶା ସରକାର। ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରସ୍ତାବିତ ମାନକ କାର୍ଯ୍ୟପଦ୍ଧତି (SOP) ଉପରେ ଭୁବନେଶ୍ୱର ଖାରବେଳ ଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ସମସ୍ତ ସହରାଞ୍ଚଳରେ ଜଳ ନିଷ୍କାସନ ପଥ, ପୋଖରୀ, ଆର୍ଦ୍ରଭୂମି ଓ ବନ୍ୟାଜଳ ସଂରକ୍ଷଣ କ୍ଷେତ୍ରଗୁଡ଼ିକର ଚିହ୍ନଟ, ମାନଚିତ୍ର ପ୍ରସ୍ତୁତି ଏବଂ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି। ବିଶେଷକରି ଜଳବନ୍ଦୀ ଓ ବନ୍ୟାପ୍ରବଣ ଅଞ୍ଚଳଗୁଡ଼ିକୁ ପ୍ରାଥମିକତା ଦେବାକୁ ଅଧିକାରୀଙ୍କୁ କୁହାଯାଇଛି। ପ୍ରାକୃତିକ ଜଳ ନିଷ୍କାସନ ପଥରେ ଜବରଦଖଲ, ଅନଧିକୃତ ପୋତିବା ଓ ଜଳ ପ୍ରବାହରେ ଅବରୋଧକୁ ରୋକିବା ଏହି ପ୍ରସ୍ତାବର ମୁଖ୍ୟ ଲକ୍ଷ୍ୟ। ଏଥିସହ ଜଳ ନିଷ୍କାସନ ନେଟୱର୍କର ସର୍ଭେ କରାଯାଇ ଜିଆଇଏସ୍ ଆଧାରିତ ମାନଚିତ୍ର ପ୍ରସ୍ତୁତି ଏବଂ ସେହି ତଥ୍ୟକୁ ସହରାଞ୍ଚଳ ବିକାଶ ଯୋଜନାରେ ସାମିଲ କରିବାକୁ ପ୍ରସ୍ତାବ ରହିଛି।

ଏହାର କାର୍ଯ୍ୟକାରିତା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କମିଟି ଓ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ, ନିୟମିତ ନିରୀକ୍ଷଣ ଏବଂ ମୌସୁମୀ ପୂର୍ବରୁ ଯାଞ୍ଚ ବ୍ୟବସ୍ଥା ପ୍ରସ୍ତାବିତ ହୋଇଛି। ପ୍ରସ୍ତାବିତ ଏସ୍ଓପିର ମୁଖ୍ୟ ନୀତି ହେଉଛି ପ୍ରାକୃତିକ ଜଳ ନିଷ୍କାସନ ଓ ବନ୍ୟାଜଳ ସଂରକ୍ଷଣ କ୍ଷମତାରେ କୌଣସି ନିଟ୍ କ୍ଷତି ନ ହେବା। ବୈଠକରେ ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ, ମୁଖ୍ୟଯନ୍ତ୍ରୀ ତଥା ଅତିରିକ୍ତ ସଚିବ ଭାଗ୍ୟଧର ମହାନ୍ତିଙ୍କ ସମେତ ଜଳସମ୍ପଦ ବିଭାଗ ଓ ନଗର ଯୋଜନା ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ପ୍ରସ୍ତାବଟି ବର୍ତ୍ତମାନ ବିଚାରାଧୀନ ଥିବାବେଳେ ଏହାର ଅନୁମୋଦନ ଓ କାର୍ଯ୍ୟକାରିତା ଉପରେ ନଜର ରହିଛି।
