GST Reforms in Focus : GST ରିଫଣ୍ଡ ହେବ ସହଜ, କମିବ ଟିକସ ଝାମେଲା
ଓଡ଼ିଶାରେ GST ସଂସ୍କାର ଦ୍ୱାରା କ୍ଷୁଦ୍ର ବ୍ୟବସାୟୀ, MSME ଓ ରପ୍ତାନିକାରୀମାନେ ଉପକୃତ ହେବାର ଆଶା ରହିଛି। ସରଳ ରିଟର୍ଣ୍ଣ ଦାଖଲ, ଦ୍ରୁତ ରିଫଣ୍ଡ, ITC ଫେରସ୍ତ ଏବଂ ଅନାବଶ୍ୟକ ନୋଟିସ୍ ହ୍ରାସ ଦ୍ୱାରା ବ୍ୟବସାୟୀଙ୍କ ଅନୁପାଳନ ଖର୍ଚ୍ଚ କମିବା ସହ ବ୍ୟବସାୟ କରିବା ସହଜ ହେବ।

GST ନିୟମରେ ଆସିବ ସରଳତା, କମିବ ନୋଟିସ୍ ଓ ଅନୁପାଳନ ଖର୍ଚ୍ଚ । ରିଫଣ୍ଡ ପ୍ରକ୍ରିୟାର ସରଳୀକରଣ, ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ITC) ଫେରସ୍ତ ଏବଂ GST ରିଟର୍ଣ୍ଣ ସଂଶୋଧନ ପାଇଁ ବିକଳ୍ପ ବ୍ୟବସ୍ଥା ଭଳି ପ୍ରସ୍ତାବ ଦ୍ୱାରା କ୍ଷୁଦ୍ର ବ୍ୟବସାୟୀ, MSME ଓ ରପ୍ତାନିକାରୀମାନେ ଉପକୃତ ହେବା ଆଶା କରାଯାଉଛି।କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ଲୀଠାରେ ଆୟୋଜିତ GST ପରିଷଦର ବୈଠକରେ କର ବ୍ୟବସ୍ଥାର ସରଳୀକରଣ ଓ ବିଭିନ୍ନ ସଂସ୍କାର ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ବୈଠକରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧିଙ୍କ ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧିତ୍ୱ କରି ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବୈଠକରେ ଯୋଗଦେଇ ରାଜ୍ୟ ସମ୍ପୃକ୍ତ ବିଭିନ୍ନ ସଂସ୍କାର ପ୍ରସଙ୍ଗ ଉପସ୍ଥାପନ କରିଥିଲେ। GST ବ୍ୟବସ୍ଥାରେ ସିଷ୍ଟମ୍-ଆଧାରିତ ପ୍ରକ୍ରିୟାକରଣ ଏବଂ ରିଫଣ୍ଡ ମଞ୍ଜୁରୀ ସମ୍ବନ୍ଧୀୟ ପ୍ରସ୍ତାବକୁ ଗୁରୁତ୍ୱ ଦିଆଯାଇଛି। ଏହାଦ୍ୱାରା କରଦାତାଙ୍କ ସମୟ ବଞ୍ଚିବା ସହ ବ୍ୟବସାୟରେ ଆବଶ୍ୟକ ପୁଞ୍ଜିର ଉପଲବ୍ଧତା ମଧ୍ୟ ସୁଧୁରିବ। ଶୂନ୍ୟ-ହାର ଯୋଗାଣ (Zero-rated supplies) ସହ ଜଡ଼ିତ ପୁଞ୍ଜିଗତ ସାମଗ୍ରୀ ଉପରେ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ଫେରସ୍ତ ଏବଂ ଇନଭର୍ଟେଡ୍ ଡ୍ୟୁଟି ଷ୍ଟ୍ରକଚର୍ ଅଧୀନରେ ସେବା ଓ ପୁଞ୍ଜିଗତ ସାମଗ୍ରୀ ସମ୍ବନ୍ଧୀୟ ITC ଫେରସ୍ତ ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ପ୍ରସ୍ତାବଗୁଡ଼ିକ କାର୍ଯ୍ୟକାରୀ ହେଲେ ରପ୍ତାନିକାରୀ ଓ ଉତ୍ପାଦନକାରୀମାନେ ଆର୍ଥିକ ଦୃଷ୍ଟିରୁ ଉପକୃତ ହେବା ସହ ୱାର୍କିଂ କ୍ୟାପିଟାଲ୍ର ଚାପ ହ୍ରାସ ପାଇପାରିବ। ଫଳରେ ବ୍ୟବସାୟିକ କାର୍ଯ୍ୟକଳାପକୁ ଅଧିକ ସୁଗମ କରିବାରେ ସହାୟତା ମିଳିବ। GST ରିଟର୍ଣ୍ଣ ଦାଖଲ, ଟିକସ ଦେୟ (Liabilities) ଏବଂ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ITC) ସଂଶୋଧନ ପାଇଁ ଏକ ବିକଳ୍ପ ବ୍ୟବସ୍ଥା ସମ୍ପର୍କରେ ସୁପାରିସ ପ୍ରସ୍ତୁତ କରାଯାଇଛି। GST Returns and Processes ସମ୍ପର୍କିତ କାର୍ଯ୍ୟକାରୀ ଗୋଷ୍ଠୀ ଏହି ସୁପାରିସ ପ୍ରସ୍ତୁତ କରିଥିବାବେଳେ ଏଥିରେ ଓଡ଼ିଶାର GST ଟିମ୍ର ମଧ୍ୟ ଯୋଗଦାନ ରହିଛି।ଏହି ବିକଳ୍ପ ବ୍ୟବସ୍ଥା ଦ୍ୱାରା GST ରିଟର୍ଣ୍ଣରେ ତଥ୍ୟଗତ ଅମେଳ ହ୍ରାସ ପାଇବା ସହ ଅନାବଶ୍ୟକ ନୋଟିସ୍ ସଂଖ୍ୟା କମିପାରିବ। ଏହା ବ୍ୟତୀତ GST Law Committee ମାଧ୍ୟମରେ ଅନ୍ୟାନ୍ୟ ପ୍ରକ୍ରିୟାଗତ ସଂସ୍କାର କ୍ଷେତ୍ରରେ ମଧ୍ୟ ଓଡ଼ିଶା ନିଜର ଅବଦାନ ରଖିଛି।GST ଆଇନ ଅଧୀନରେ ସମାଧାନଯୋଗ୍ୟ କିଛି ଆର୍ଥିକ ଅପରାଧ ପାଇଁ ଗିରଫ ବ୍ୟବସ୍ଥା ହଟାଇବା ସମ୍ପର୍କିତ ପ୍ରସ୍ତାବ ମଧ୍ୟ ଆଲୋଚନାରେ ସ୍ଥାନ ପାଇଥିଲା। ଏହି ପ୍ରସ୍ତାବର ଉଦ୍ଦେଶ୍ୟ ଆଇନର କାର୍ଯ୍ୟକାରିତା ଓ କରଦାତାଙ୍କ ଆତ୍ମବିଶ୍ୱାସ ମଧ୍ୟରେ ଉପଯୁକ୍ତ ସନ୍ତୁଳନ ସ୍ଥାପନ କରିବା।GST ପ୍ରକ୍ରିୟାର ସରଳୀକରଣ ଦ୍ୱାରା ଓଡ଼ିଶାର ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ସମେତ ଅନ୍ୟାନ୍ୟ କ୍ଷୁଦ୍ର ବ୍ୟବସାୟୀମାନେ ଉପକୃତ ହେବାର ଆଶା ରହିଛି। ସହଜ ରିଟର୍ଣ୍ଣ ଦାଖଲ, ଦ୍ରୁତ ରିଫଣ୍ଡ ଏବଂ ଅନାବଶ୍ୟକ ନୋଟିସ୍ରେ ହ୍ରାସ ବ୍ୟବସାୟୀଙ୍କ ଅନୁପାଳନ ଖର୍ଚ୍ଚ ଓ ପ୍ରଶାସନିକ ଚାପ କମାଇପାରିବ।ସାମଗ୍ରିକ ଭାବେ, ପ୍ରସ୍ତାବିତ GST ସଂସ୍କାରଗୁଡ଼ିକ ବ୍ୟବସାୟ କରିବାର ସହଜତା (Ease of Doing Business) ଏବଂ ଟିକସ ଅନୁପାଳନର ସରଳତା (Ease of Compliance) ବୃଦ୍ଧି କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ। ଏହା ଭାରତୀୟ ଅର୍ଥନୀତିର ଅଭିବୃଦ୍ଧିକୁ ଗତିଶୀଳ କରିବା ସହ ୨୦୪୭ ସୁଦ୍ଧା 'ବିକଶିତ ଭାରତ' ଗଠନର ଲକ୍ଷ୍ୟ ହାସଲରେ ସହାୟକ ହୋଇପାରିବ।
